କନକ ବ୍ୟୁରୋ: ଗୋ ପାଳନ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାର ଦେଇଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ସାହାନାଜପୁର ଗାଁର ଦେବନ୍ଦ୍ର କୁମାର ଦାସ । ପ୍ରଥମେ ଗୋଟିଏ ଗାଈରୁ ଆରମ୍ଭ କରିଥିଲେ ବ୍ୟବସାୟ । ଏବେ ସେ ଲକ୍ଷପତି । 

Advertisment

କଟକ ଜିଲ୍ଲା ନିଆଳି ଅଞ୍ଚଳ ଛେନା ପାଇଁ ବେଶ ପରିଚିତ । ଏହି ଅଂଚଳରେ ଅଧିକାଂଶ ଲୋକ କ୍ଷୀର ବ୍ୟବସାୟ କରନ୍ତି । ଗୋପାଳନ ଏମାନଙ୍କ ରୋଜଗାରର ବଡ଼ ମାଧ୍ୟମ । ତେବେ ଜଲ୍ଲାରପୁର ପଂଚାୟତ ଶାହାନାଜପୁର ଗାଁର ଦେବେନ୍ଦ୍ର କୁମାର ଦାସ, ପ୍ରଥମେ ଗୋଟିଏ ଗାଈରୁ ଗୋପାଳନ ଆରମ୍ଭ କରିଥିଲେ । ଏବେ ତାଙ୍କ ଗୋଶାଳାରେ ୨୪ଟି ଗାଈ ଅଛନ୍ତି । ଏହାଦ୍ବାରା ସେ ନିଜେ ରୋଜଗାର କରିବା ସହ ୪ ଜଣଙ୍କୁ ନିୟୋଜିତ କରିଛନ୍ତି । ପ୍ରତିମାସରେ କେବଳ କ୍ଷୀରରୁ ୨ ଲକ୍ଷ ୩୦ ହଜାର ଟଙ୍କା ରୋଜଗାର କରନ୍ତି । କର୍ମଚାରୀଙ୍କୁ ମଧ୍ୟ ସେ ପ୍ରତିମାସରେ ୧୫ ହଜାର ଟଙ୍କା ଦରମା ଦେଉଛନ୍ତି । ଫଳରେ କର୍ମଚାରୀ ମାନେ ଘର ପାଖରେ କାମ କରି ବେଶ ଦୁଇ ପଇସା ରୋଜଗାର କରନ୍ତି । ସେମାନଙ୍କ ପରିବାର ମଧ୍ୟ ଖୁସିରେ ଚଳୁଛି । ବାହାର ରାଜ୍ୟରେ ଯାଇ କାମ କରିବା ଅପେକ୍ଷା ଏଠାରେ କାମ କରି ସେ ଖୁସି ପ୍ରକାଶ କରିଛନ୍ତି । 

କଂସା ପିତ୍ତଳ ପାଇଁ ଭୁବନ ପ୍ରସିଦ୍ଧ: ପିଢ଼ି ପରେ ପିଢ଼ି କୌଳିକ ବୃତ୍ତି ବଞ୍ଚାଇ ରଖିଛନ୍ତି କାରିଗର

ଦେବେନ୍ଦ୍ରଙ୍କ ଗୋଶାଳାରେ ହଲିଷ୍ଟନ, ଆନ୍ଧ୍ର ଓ ଦେଶୀ ଗାଈ ଅଛନ୍ତି । ପ୍ରତିଦିନ ତାଙ୍କ ଗୋଶାଳାରୁ ୨ କ୍ବିଣ୍ଟାଲ କ୍ଷୀର ଉତ୍ପାଦନ ହେଉଛି । ଗାଈଙ୍କୁ ଦାନା ଖାଇବାକୁ ଦେବା, ଗାଧୋଇଦେବା ଓ ଗୋଶାଳା ସଫା କରିବା ଭଳି ସବୁ କାମ କରନ୍ତି ଦେବେନ୍ଦ୍ର । ଖାଲି ଗୋପାଳନ ନୁହେଁ ସେ ଦୁଇଟି ପୋଖରୀରେ ମାଛଚାଷ କରନ୍ତି । ମାଛ ପୋଖରୀରୁ ବର୍ଷକୁ ୨ ଲକ୍ଷ ଟଙ୍କା ରୋଜଗାର ହେଉଛି । ଯାହା ତାଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇଛି । 

ପ୍ରତିଦିନ ନିଆଳି ଅଞ୍ଚଳରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଛେନା, ପନିର କଟକ ଓ ଭୁବନେଶ୍ବରକୁ ବିକ୍ରି ପାଇଁ ଆସୁଛି । ଅନେକ ଦୁଗ୍ଧ ଚାଷୀ ଗୋପାଳନ କରି ସ୍ବାବଲମ୍ବୀ ହେଉଛନ୍ତି । ସେମାନଙ୍କ ମଧ୍ୟରେ ଦେବେନ୍ଦ୍ରଙ୍କ ଗୋପାଳନ ଅନ୍ୟମାନଙ୍କ ପାଇଁ ଉଦାହରଣ।