କନକ ବ୍ୟୁରୋ: ପ୍ଲାଷ୍ଟିକ ଓ ଫାଇବର ଯୁଗରେ ଚାହିଦା କମିଯାଇଛି ସତ କିନ୍ତୁ କୂଳବେଉସା ବଞ୍ଚାଇ ରଖିଛନ୍ତି କାରିଗର । କଂସା ବାସନର ଗାଁ ଭୁବନ । ପିଢି ପରେ ପିଢ଼ି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ଏହି ଗାଁର କାରିଗର । 

Advertisment

ଏସିୟା ମହାଦେଶର ସବୁଠାରୁ ବଡ଼ ଗ୍ରାମ । ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଭୁବନ । ଏହି ଗାଁ ତାର କଳା ଓ ସଂସ୍କୃତି ପାଇଁ ବେଶ ପରିଚିତ । ବଳଦଯାତ୍ରା ଓ କଂସା ବାସନ କାରିଗରୀ ପାଇଁ ଭୁବନ ପ୍ରସିଦ୍ଧ । ପ୍ଲାଷ୍ଟିକ୍‌ ଓ ଫାଇବର ସାମଗ୍ରୀର ବହୁଳ ବ୍ୟବହାର ଭିତରେ କଂସା ବାସନ ଓ ମାଟି ପାତ୍ରର ଚାହିଦା କମିନି । ପୂର୍ବରୁ ଏଠାରେ ୫୦ରୁ ଅଧିକ କଂସା- ବାସନଶାଳ ଥିଲା । ବର୍ତ୍ତମାନ ଏହା କମି ୮ରୁ ୧୦ଟି ଶାଳରେ ପହଞ୍ଚିଛି । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା କାରିଗର ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଧିକାଂଶ ସାମଗ୍ରୀ ମେସିନରେ ତିଆରି ହେଉଛି । ଫଳରେ ଅନେକ କାରିଗର ଏହି କାମରୁ ମୁହଁ ଫେରାଇଲେଣି ।  

ଚିଙ୍ଗୁଡ଼ି ପରେ କଙ୍କଡ଼ା ଚାଷର ଚାହିଦା, ଅସ୍ତରଙ୍ଗ ଅଞ୍ଚଳରେ ଚାଷୀ ମାଲାମାଲ

ଭୁବନରେ ତିଆରି ହେଉଥିବା ଏହି କଂସା ସାମଗ୍ରୀ ବିଭିନ୍ନ ଦୋକାନରେ ମିଳିଥାଏ । କେତେକ ଲୋକ ଏଠାରୁ କିଣି ବିଭିନ୍ନ ଗାଁ ହାଟକୁ ଯାଇ ଫେରି କରିଥାନ୍ତି । ଗରା, ବାଲତି, ହଣ୍ଡା, କଂସା, ଥାଳି, ଗିନା, ଘଣ୍ଟ, ଝାଞ୍ଜ, ଘଣ୍ଟି, ଢାଳ, ବିଭିନ୍ନ ଠାକୁର ସାମଗ୍ରୀ ମଧ୍ୟ ଏଠାରେ ତିଆରି ହୋଇ ବିକ୍ରି ହୋଇଥାଏ । ଆଗଭଳି ଲୋକମାନେ ପିତ୍ତଳ ସାମଗ୍ରୀରେ ଖାଇବାକୁ ପସନ୍ଦ କରୁଛନ୍ତି । ବଜାରରେ ଠାକୁର ବାସନର ବ୍ୟବସାୟ ଭଲ ଥିବା କହିଛନ୍ତି ବ୍ୟବସାୟୀ ।    

ଠାକୁରଙ୍କ ସରଞ୍ଜାମ ହେଉ ଅବା ଘରେ ନିତ୍ୟ ବ୍ୟବହାର ହେଉଥିବା ପିତଳ ସାମଗ୍ରୀ ପାଇଁ ଭୁବନ ଗାଁ କଥା ଲୋକଙ୍କ ମନେପଡ଼ିଥାଏ । ଝିଅ ବାହାଘର ପାଇଁ ଆବଶ୍ୟକ ହେଉଥିବା ବାସନକୁସନ ପାଇଁ ଲୋକମାନେ ଏହି ଗାଁକୁ ଆସି କିଣି ନିଅନ୍ତି ।  

ଆଜି ବି କଂସା ବାସନର ସ୍ୱତନ୍ତ୍ରତା ରହିଛି । ସରକାର ଏହି କାରିଗରି ଉପରେ ଦୃଷ୍ଟି ଦେଲେ ଏହି କୌଳିକ ବୃତି ବଂଚିପାରନ୍ତା ।