କନକ ବ୍ୟୁରୋ : ପୁଅ,ମୁଁ ସେହି ରାକ୍ଷସଙ୍କ ପାଖରେ ହାରିଗଲି, ମା’ର ଯତ୍ନ ନେବୁ..." – ଜଣେ ଅସହାୟ ବାପାର ଏହି ଶେଷ ଶବ୍ଦ ଆଜି ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି । ଗୋଟେପଟେ ସମସ୍ତେ ନୂଆ ବର୍ଷର ଉତ୍ସବ ମନାଉଥିବ ବେଳେ ଅନ୍ୟପଟେ ଜଣେ କର୍ତ୍ତବ୍ୟରତ ୱାର୍ଡେନ୍ ବରିଷ୍ଠ ଅଧିକାରୀଙ୍କ 'ଦାଦାଗିରି' ଆଗରେ ଆଣ୍ଠୁ ମାଡ଼ି ବସିଥିଲେ । ହୃଦରୋଗରେ ପୀଡ଼ିତ ହୋଇ ମଧ୍ୟ ଡ୍ୟୁଟି କରୁଥିଲେ , ରାତି ଡ୍ୟୁଟି କରିବେନି ବୋଲି ନିବେଦନ କରି କରି ଶେଷରେ ନିରାଶ ହୋଇ ସୁଖଦେବ ସିଂହ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ମୃତ୍ୟୁ ପୂର୍ବରୁ ସେ ନିଜ ପରିବାର ଏବଂ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ନାମରେ ଲେଖିଥିବା ଚିଠି ଏବେ ପ୍ରଶାସନିକ ବ୍ୟବସ୍ଥାର ଅମାନୁଷିକ ଚେହେରାକୁ ପଦାରେ ପକାଇଛି ।

Advertisment

ହରିୟାଣାର ସିରସା ଜିଲ୍ଲା ଜେଲର ୱାର୍ଡେନ ସୁଖଦେବ ସିଂ ସଲଫାସ୍ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ୨ଟି ସୁସାଇଡ୍ ନୋଟ୍ ମଧ୍ୟ ଛାଡିଛନ୍ତି, ଯେଉଁଥିରେ ସେ ଜଣେ DSPଙ୍କ ସମେତ ୨ ଜଣ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି ଯେ ଡ୍ୟୁଟି ଲଗାଇବାକୁ ନେଇ ସେମାନେ ତାଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ ଏବଂ ସର୍ବସାଧାରଣରେ କ୍ଷମା ମାଗିବାକୁ ଚାପ ପକାଉଥିଲେ । ଏହି ମାନସିକ ଚାପ ସହି ନପାରି ୱାର୍ଡେନ ଜଣକ ଆତ୍ମହତ୍ୟା କରିଛନ୍ତି । ଏହା ସତ୍ତ୍ୱେ ଜେଲ୍ ୱାର୍ଡେନଙ୍କ ପରିବାର ଲୋକେ ସିରସା ପୁଲିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ହୁଡା ପୁଲିସ ମାମଲାର ତଦନ୍ତ କରୁଛି । ମୃତକଙ୍କ ସମ୍ପର୍କୀୟମାନେ ଜେଲ୍ DSPଙ୍କ ସମେତ ୨ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଯେପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ, ସେମାନେ ଶବ ଗ୍ରହଣ କରିବେ ନାହିଁ ।

ଅଧିକ ପଢ଼ନ୍ତୁ---ଆକାଶରୁ ବର୍ଷୁଛି ଘନଘନ ବରଫ ; ଶରୀରକୁ ପଥର କରି ସୀମାକୁ ସୁରକ୍ଷା ଦେଉଛନ୍ତି ଯବାନ

ସୂଚନା ଅନୁସାରେ ଆତ୍ମହତ୍ୟା କରିବା ପୂର୍ବରୁ ୱାର୍ଡେନ ନିଜ ପୁଅକୁ ଫୋନ୍ କରିଥିଲେ । ସେ କହିଥିଲେ ଯେ ଦୁଇ ଅଧିକାରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ମୁଁ ବିଷ ଖାଉଛି । ମୋ ବ୍ୟାଗରେ ଜେଲ୍ ମହାନିର୍ଦ୍ଦେଶକ ଏବଂ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ନାମରେ ସୁସାଇଡ୍ ନୋଟ୍ ରହିଛି । ସୁଖଦେବଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖା ଅଛି , ମୁଁ ଗତ ୭ ବର୍ଷ ଧରି ସିରସା ଜିଲ୍ଲା ଜେଲ୍‌ରେ ୱାର୍ଡେନ୍ ପଦରେ କାର୍ଯ୍ୟରତ ଅଛି । ମୁଁ ଗତ ୬ ବର୍ଷ ଧରି ହୃଦରୋଗରେ ପୀଡ଼ିତ , ୧୪ ଡିସେମ୍ବରରେ ମୁଁ ପୁଲିସ୍ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କୁ ଅନୁରୋଧ କରିଥିଲି ଯେ ମୋର ରାତି ଡ୍ୟୁଟି ନ ଲଗାଯାଉ, ଯେଉଁଥିରେ ସେ ରାଗିଗଲେ ।' ସେମାନେ ଲଗାତାର ୧୫ ଦିନ ଧରି ମୋତେ ହଇରାଣ କଲେ । ୩୧ ଡିସେମ୍ବର, ୨୦୨୫ରେ ପୁଣି ସନ୍ଧ୍ୟା ୬ଟାରେ ସେ ମୋତେ ଗାଳିଗୁଲଜ କଲେ । ମୁଁ ନୂଆ ବର୍ଷରେ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ସାମ୍ନାରେ, ନିଜ ଗାର୍ଡଙ୍କ ସାମ୍ନାରେ କ୍ଷମା ମାଗିଲି । ଏହା ପରେ ଏଲ୍.ଓ ଏବଂ ଡିଏସପି ଆସିଲେ ଏବଂ ସାରା ଦିନ ମୋତେ ଡ୍ୟୁଟିରେ ଠିଆ କରି ରଖିଲେ । ପୁଅ..ମୁଁ ଏହି ରାକ୍ଷସମାନଙ୍କ ପାଖରେ ହାରିଗଲି , ମୋତେ କ୍ଷମା କରିଦେବୁ । ମାଆ ଆଉ ପରିବାରର ଧ୍ୟାନ ରଖିବୁ , ଆଇ ଲଭ୍‌ ୟୁ । ଜୀବନ ହାରିବା ଆଗରୁ ଏମିତି କୋହଭରା ଚିଠି ଲେଖି ଛାଡ଼ିଯାଇଛନ୍ତି ସୁଖଦେବ । ପରିବାର ଲୋକେ ବର୍ତ୍ତମାନ ସଠିକ୍ ତଦନ୍ତ ସହ ନ୍ୟାୟ ଦାବି କରିଛନ୍ତି ।