କନକ ବ୍ୟୁରୋ : ଯେତେବେଳେ ସାରା ଦେଶ ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ଗରମ କପଡ଼ା ଏବଂ କମ୍ବଳ ଭିତରେ ନିଜକୁ ସୁରକ୍ଷିତ ରଖୁଛି, ସେତେବେଳେ ଦେଶର ସୀମାରେ ମାଇନସ୍ ୩୦ରୁ ୪୦ ଡିଗ୍ରୀ ତାପମାତ୍ରାରେ ମୁତୟନ ଅଛନ୍ତି ଆମର ବୀର ଯବାନ । ହିମାଳୟର ବରଫାବୃତ ପାହାଡ଼ ହେଉ କିମ୍ବା ସିଆଚିନ୍ର ଦୁର୍ଗମ ଅଞ୍ଚଳ, କିମ୍ୱା କାଶ୍ମୀରର ପୁଞ୍ଚ ଭାରତୀୟ ସେନାର "ଅପରେସନ୍" ଶୀତରେ ବି ଅଟକି ନାହିଁ ।
ଦେଶର ସୁରକ୍ଷା ପାଇଁ ଯବାନଙ୍କ ବଳିଦାନ ସମ୍ପର୍କରେ ଅଧିକ କିଛି କହିବା ଆବଶ୍ୟକ ନାହିଁ । କେବଳ ଯୁଦ୍ଧ ସମୟରେ ନୁହେଁ, ଅନ୍ୟ ସମୟରେ ମଧ୍ୟ ସେମାନଙ୍କ କାର୍ଯ୍ୟ ଦେଖିଲେ ମୁଣ୍ଡ ନୁଆଁଇବାକୁ ପଡ଼ିବ । ଅସହ୍ୟ ପ୍ରତିକୂଳ ପାଗ ଓ ପରିସ୍ଥିତି ଭିତରେ ସେମାନେ ନିଜ ଦାୟିତ୍ବରେ ଟିକେମାତ୍ର ଅବହେଳା କରିନାହାନ୍ତି । ସମୁଦ୍ର ପତ୍ତନଠାରୁ ୧୩ ହଜାର ଫୁଟ୍ ଉଚ୍ଚ ଜମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲା ପୀର୍ ପଞ୍ଜାଲ ଅଞ୍ଚଳରେ ଏବେ ପ୍ରବଳ ବରଫ ପାତ ହେଉଛି । ଏହାରି ଭିତରେ ଯବାନମାନେ ଡ୍ୟୁଟି କରୁଛନ୍ତି । ଚାଲିଛି ସ୍ବତନ୍ତ୍ର ସର୍ଚ୍ଚ ଅପରେସନ । ସେ ଦୃଶ୍ୟ ଦେଖିଲେ ପାଟିରୁ ଆପଣାଛାଏଁ ବାହାରି ଆସିବ ଜୟ ଯବାନ, ଶତଶତ ସଲାମ ।
ଜମ୍ମୁ-କାଶ୍ମୀର ଏବଂ ଲଦାଖର ସୀମାନ୍ତ ଅଞ୍ଚଳରେ ଏବେ ପ୍ରବଳ ତୁଷାରପାତ ଜାରି ରହିଛି । ଚାରିଆଡ଼େ କେବଳ ଧଳା ବରଫର ଆସ୍ତରଣ । କିନ୍ତୁ ଏହି କଷ୍ଟକର ପରିସ୍ଥିତି ଭାରତୀୟ ସେନାର ମନୋବଳକୁ ଦୋହଲାଇ ପାରିନାହିଁ । ଶତ୍ରୁପକ୍ଷର ଅନୁପ୍ରବେଶକୁ ରୋକିବା ଏବଂ ଦେଶର ସୁରକ୍ଷା ପାଇଁ ସେନା ପକ୍ଷରୁ କଡ଼ା ପାଟ୍ରୋଲିଂ କରାଯାଉଛି । ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶୀତ ଦିନେ ପାକିସ୍ତାନ ଏବଂ ଚୀନ ସୀମାରେ ସତର୍କତା ବଢ଼ାଇ ଦିଆଯାଏ । ବରଫପାତ ଯୋଗୁଁ ଅନେକ ସମୟରେ ରାସ୍ତା ବନ୍ଦ ହୋଇଯାଏ, ଅମ୍ଳଜାନର ମାତ୍ରା କମିଯାଏ, ତଥାପି ଯବାନମାନେ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଅନ୍ତି ନାହିଁ । ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସ୍ୱତନ୍ତ୍ର ଶୀତକାଳୀନ ଗିୟର ସହିତ ସେମାନେ ୨୪ ଘଣ୍ଟା ପହରା ଦେଉଛନ୍ତି ।
ଅଧିକ ପଢ଼ନ୍ତୁ---ଆଜି ଦୃଶ୍ୟମାନ ହେବ ଶତାବ୍ଦୀର ବିରଳ ସୁପରମୁନ୍, ଦୀର୍ଘ ୧୧୩ ବର୍ଷ ପରେ ଘଟିବ ବିରଳ ସଂଯୋଗ
ସୋସିଆଲ ମିଡିଆରେ ଏବେ ଭାରତୀୟ ସେନାର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯବାନମାନେ ଆଣ୍ଠୁଏ ଉଚ୍ଚର ବରଫରେ ଚାଲି ଚାଲି ଅପରେସନ୍ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ଦେଖି ସାରା ଦେଶବାସୀ ସେମାନଙ୍କୁ ସଲାମ ଜଣାଉଛନ୍ତି। ଜନସାଧାରଣ ମଧ୍ୟ ଗର୍ବର ସହ କହୁଛନ୍ତି, "ଆମେ ଆରାମରେ ଶୋଇଛୁ କାରଣ ସେମାନେ ସୀମାରେ ଜାଗ୍ରତ ଅଛନ୍ତି।"
ସେନା କେବଳ ସୀମା ଜଗୁନାହିଁ, ବରଂ ବରଫରେ ଫସି ରହିଥିବା ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିବା ଏବଂ ଜରୁରୀକାଳୀନ ସ୍ଥିତିରେ ଡାକ୍ତରୀ ସହାୟତା ଯୋଗାଇବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଭାରତୀୟ ସେନାର ଏହି ସାହସିକତା ଓ ଦେଶପ୍ରେମ ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣା । ଶୀତୁଆ କାକରରେ ସେମାନଙ୍କର ଏହି ଅପରେସନ୍ ସଫଳ ହେଉ ଏବଂ ଆମର ପ୍ରତିଟି ଯବାନ ସୁରକ୍ଷିତ ରୁହନ୍ତୁ, ଏହା ହିଁ ସାରା ଦେଶର ପ୍ରାର୍ଥନା । ଭାରତୀୟ ସେନାକୁ କୋଟି କୋଟି ସଲାମ! ଜୟ ହିନ୍ଦ୍!
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/03/indian-army-2026-01-03-10-59-36.jpg)