କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଜଗତର ଅନେକ ପ୍ରତିଭାବାନ ଖେଳାଳି ସମୟକ୍ରମେ ଦେଶ ବାହାରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ହରମିତ ସିଂହ । ୨୦୧୨ ମସିହାରେ ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ବାମହାତୀ ସ୍ପିନରଙ୍କ ଜୀବନ କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ । ସଫଳତାର ଶୀର୍ଷରୁ ବିବାଦ ଏବଂ ପରେ ଏକ ନୂଆ ଦେଶ ପାଇଁ ଖେଳି ପୁଣି ଥରେ ଚର୍ଚ୍ଚାକୁ ଆସିବା ତାଙ୍କର ଦୃଢ଼ ଇଚ୍ଛାଶକ୍ତିର ପ୍ରମାଣ ଦିଏ ।

Advertisment

୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଭାରତୀୟ ଅଣ୍ଡର-୧୯ ଦଳ ଅଷ୍ଟ୍ରେଲିଆରେ ବିଶ୍ୱକପ୍ ଜିତିଥିଲା । ସେହି ଦଳର ପ୍ରମୁଖ ସଦସ୍ୟ ଥିଲେ ହରମିତ । ତାଙ୍କର ଶୃଙ୍ଖଳିତ ବୋଲିଂ ଦେଖି କିମ୍ବଦନ୍ତୀ ସ୍ପିନର ବିଶନ ସିଂହ ବେଦୀଙ୍କ ସହ ତାଙ୍କୁ ତୁଳନା କରାଯାଉଥିଲା । ଏହି ସଫଳତା ପରେ ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବା ସହ ଘରୋଇ କ୍ରିକେଟରେ ମୁମ୍ବାଇ ଦଳର ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ କ୍ୟାରିୟର ଯେତିକି ଶୀଘ୍ର ଉପରକୁ ଉଠିଥିଲା, ପରବର୍ତ୍ତୀ ସମୟରେ କିଛି ବିବାଦ ଯୋଗୁଁ ସେତିକି ବାଧାପ୍ରାପ୍ତ ହୋଇଥିଲା ।

୨୦୧୭ ମସିହାରେ ହରମିତ ଏକ ଅପ୍ରୀତିକର ପରିସ୍ଥିତି ପାଇଁ ଚର୍ଚ୍ଚାକୁ ଆସିଥିଲେ। ମୁମ୍ବାଇର ଅନ୍ଧେରୀ ରେଳ ଷ୍ଟେସନର ପ୍ଲାଟଫର୍ମ ଭିତରକୁ ସେ ନିଜ କାର୍ ପୂରାଇ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ସେହି ସମୟରେ ତାଙ୍କ ଉପରେ ଯାତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇବା ଏବଂ ବେଆଇନ ଅନୁପ୍ରବେଶ ଭଳି ସଂଗୀନ ଅଭିଯୋଗ ଲାଗିଥିଲା । ପରେ ଜାମିନରେ ସେ ମୁକୁଳିଥିଲେ ମଧ୍ୟ ଏହି ଘଟଣା ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଏକ କଳା ଦାଗ ସଦୃଶ ଥିଲା । ଭାରତୀୟ କ୍ରିକେଟରେ କ୍ରମାଗତ ସୁଯୋଗର ଅଭାବ ଏବଂ ଏହିଭଳି ବିବାଦ ତାଙ୍କ କ୍ୟାରିୟରକୁ କିଛି ଦିନ ପାଇଁ ଥମାଇ ଦେଇଥିଲା । ସେ ମୁମ୍ବାଇ ଛାଡି ଜାମ୍ମୁ-କାଶ୍ମୀର ଏବଂ ପରେ ତ୍ରିପୁରା ପାଇଁ ମଧ୍ୟ ଖେଳିଥିଲେ, କିନ୍ତୁ ଭାରତୀୟ ଜାତୀୟ ଦଳ ପାଇଁ ଖେଳିବା ସ୍ୱପ୍ନ ଅଧୁରା ରହିଥିଲା ।

ଆହୁରି ପଢ଼ନ୍ତୁ... ପାକିସ୍ତାନର ୩ ଅଜବ ସର୍ତ୍ତ! ଗୋଟିଏ ପଟେ ବୟକଟ୍‌, ଅନ୍ୟପଟେ ଭାରତ ସହ ଖେଳିବାକୁ ଜିଦ୍‌!

ତେବେ ହରମିତ ହାର୍ ମାନି ନଥିଲେ । ୨୦୨୧ ମସିହାରେ ସେ କ୍ରିକେଟରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ପାଇଁ ଆମେରିକା ଚାଲିଗଲେ। ସେଠାରେ ସେ ମାଇନର ଲିଗ୍ ଏବଂ ପରେ ମେଜର ଲିଗ୍ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କଲେ । ତାଙ୍କର ପରିଶ୍ରମ ରଙ୍ଗ ଆଣିଲା ଏବଂ ୨୦୨୪ ମସିହାରେ ସେ ଆମେରିକା ଜାତୀୟ ଦଳ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଲେ । ୨୦୨୪ ଟି-୨୦ ବିଶ୍ୱକପରେ ସେ ଆମେରିକା ପାଇଁ ଖେଳି ଭାରତ ବିପକ୍ଷରେ ମଧ୍ୟ ପଡ଼ିଆକୁ ଓହ୍ଲାଇଥିଲେ ।

ଯେତେବେଳେ ଆମେରିକା ଓ ଭାରତ ମଧ୍ୟରେ ମୁକାବିଲା ହେଲା, ସେତେବେଳେ ଦୃଶ୍ୟଟି ଅତ୍ୟନ୍ତ ଭାବପୂର୍ଣ୍ଣ ଥିଲା । ଯେଉଁ ଦେଶ ପାଇଁ ସେ କେବେ ସ୍ୱପ୍ନ ଦେଖିଥିଲେ, ସେହି ଦେଶ ବିପକ୍ଷରେ ସେ ଆଜି ଅନ୍ୟ ଏକ ଦେଶର ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇଥିଲେ । ଏହି ମ୍ୟାଚରେ ହରମୀତ ଚମତ୍କାର ବୋଲିଂ କରିଥିଲେ। ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇବା ସହ ସେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କ ୱିକେଟ୍ ମଧ୍ୟ ହାସଲ କରିଥିଲେ ।

ହରମିତ ସିଂହଙ୍କ ଜୀବନ କାହାଣୀ ଶିକ୍ଷା ଦିଏ ଯେ ସମୟ ଯେତେ ବି ଖରାପ ହେଉନା କାହିଁକି, ଯଦି ନିଜ ପ୍ରତିଭା ଏବଂ ପରିଶ୍ରମ ଉପରେ ବିଶ୍ୱାସ ଥାଏ, ତେବେ ପୁଣି ଥରେ ଶୂନ୍ୟରୁ ସଫଳତା ପାଇହୁଏ । ଆଜି ସେ ଆମେରିକା କ୍ରିକେଟର ଜଣେ ପ୍ରତିଷ୍ଠିତ ଖେଳାଳି ଭାବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।