କନକ ବ୍ୟୁରୋ: ନୂଆ ବର୍ଷ ଆରମ୍ଭରୁ କଙ୍ଗାରୁ ଟେନିସ୍‌ ପ୍ରଶଂସକମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି । କେବଳ ଖର୍ଚ୍ଚାନ୍ତ ହୋଇ ଖେଳ ଦେଖିବେ ନାହିଁ, ଦେଖୁ ଦେଖୁ ଭାଗ୍ୟ ଉଦୟ ହେଲେ ମାଲେମାଲ୍ ବି ହୋଇଯାଇପାରନ୍ତି । ଏଭଳି ବଡ଼ ଅଫର୍ ଦେଇଛି ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ । ରବିବାରଠାରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ବିଭାଗରେ ସମସ୍ତ ୧୨୭ ମ୍ୟାଚ୍‌କୁ ଯିଏ ତ୍ରୁଟିଶୂନ୍ୟ ଭାବେ ଆକଳନ କରିପାରିବେ ସେ ୧୦ ନିୟୁତ ଅଷ୍ଟ୍ରେଲୀୟ ଡଲାର୍‌ (ପ୍ରାୟ ୬୦.୫ କୋଟି ଟଙ୍କା) ପାଇବାକୁ ହକ୍‌ଦାର ହେବେ । ‘ବ୍ରାକେଟ୍‌ ଚାଲେଞ୍ଜ୍‌’ ନାମରେ ଆୟୋଜିତ ଏହି ପ୍ରତିଯୋଗିତାକୁ ‘ଏକ ଦକ୍ଷତାର ଖେଳ, କୌଣସି ସୁଯୋଗର ନୁହେଁ’ ବୋଲି କହିଛନ୍ତି ଟେନିସ୍‌ ଅଷ୍ଟ୍ରେଲିଆର ମୁଖ୍ୟ ବ୍ୟାବସାୟିକ ଅଧିକାରୀ ସେଡ୍ରିକ୍ କର୍ଣ୍ଣେଲିସ୍‌ । 

Advertisment

ଆହୁରି ପଢ଼ନ୍ତୁ... ‘ଦିନିକିଆକୁ କୋହଲି ଦିଲ୍ଲୀ ଲିଗ୍‌ ଭଳି ଖେଳୁଛନ୍ତି’ କୋହଲିଙ୍କୁ ପ୍ରଶଂସାରେ ପୋତିଲେ‌‌ କୈଫ୍‌

ଏଓ ବ୍ରାକେଟ୍‌ ଚାଲେଞ୍ଜ୍‌ ଟେନିସ ଜ୍ଞାନକୁ ପୁରସ୍କୃତ କରିବାର ଏକ ମାଧ୍ୟମ । ପ୍ରତିଯୋଗିତା ସହ ପ୍ରଶଂସକଙ୍କୁ ନୂଆ ଢ଼ଙ୍ଗରେ ଯୋଡ଼ିବା ଏବଂ ସଚେତନତା ଜାଗ୍ରତ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । କେବଳ ଅଷ୍ଟ୍ରେଲୀୟ ଅଧିବାସୀଙ୍କ ପାଇଁ ଏହି ପୁରସ୍କାର ମିଳିବ । ପ୍ରତି ଡ୍ର’ରେ ଜଣଙ୍କୁ ଗୋଟିଏ ମାତ୍ର ପ୍ରବେଶ ଅନୁମତି ରହିଛି । ସର୍ବୋଚ୍ଚ ବ୍ରାକେଟ୍‌ ବିଜେତାଙ୍କୁ ମୁଖ୍ୟ ପୁରସ୍କାର ମିଳିବ। ସଠିକ ଆକଳନଠାରୁ ଅଳ୍ପକେ ବଞ୍ଚିତ ହେଉଥିବା ପ୍ରଶଂସକଙ୍କ ପାଇଁ ବି ସାନ୍ତ୍ବନାମୂଳକ ପୁରସ୍କାର ବ୍ୟବସ୍ଥା ରହିଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆନ୍‌ ଓପନ୍‌ ଏହି ରବିବାରଠାରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ମେଲବର୍ଣ୍ଣ ପାର୍କରେ ଅନୁଷ୍ଠିତ ହେବ।