କନକ ବ୍ୟୁରୋ : ରାଜ୍ୟବ୍ୟାପି ବିଭିନ୍ନ ମହୋତ୍ସବକୁ ଅତି ଆଡ଼ମ୍ୱର ସହକାରେ ଆୟୋଜନ କରାଯାଉଛି, ମଞ୍ଚରେ ମନ୍ତ୍ରୀଙ୍କ ଗହଳି ଲାଗୁଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନି ପୂର୍ବ ବର୍ଷର ବଜେଟ ଟଙ୍କା। ଅଧାରେ ପଡିଛି ଅଧିକାଂଶ ବିକାଶ କାର୍ଯ୍ୟ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି। କଡା ଜବାବ ରଖିଛି ଶାସକ ଦଳ।
ମୁଣ୍ଡ ଉପରେ ରାଜ୍ୟ ବଜେଟ୍ । ଆସନ୍ତା ୨୦ରେ ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ । ହେଲେ ଏବେ ବି ଖର୍ଚ୍ଚ ହୋଇପାରିନି ପୂର୍ବ ବଜେଟ୍ର ଅଧାରୁ ଅଧିକ ଅର୍ଥ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ । ଅର୍ଥ ବିଭାଗର ଏ ତଥ୍ୟ କହୁଛି ଜାନୁଆରୀ ଶେଷ ସୁଦ୍ଧା - ପଞ୍ଚାୟତିରାଜ ବିଭାଗ ପାଇଁ ହୋଇଥିବା ବ୍ୟୟ ବରାଦର ମାତ୍ର ୨୮.୪୧% ଅର୍ଥ ଖର୍ଚ୍ଚ ହୋଇଛି । ସେହିପରି ଗ୍ରାମ୍ୟ ଉନ୍ନୟନ- ୪୮.୩୦%, ସ୍କୁଲ ଓ ଗଣଶିକ୍ଷା- ୪୫.୬୬%, ମହିଳା ଓ ଶିଶୁ ବିକାଶ- ୫୬.୫୨%, ପୂର୍ତ୍ତ ବିଭାଗ- ୫୫.୮୮% ଏବଂ କ୍ରୀଡ଼ା ଓ ଯୁବସେବା- ମାତ୍ର ୫.୬୭% ଟଙ୍କା ଖର୍ଚ୍ଚ କରିଛି । ନିୟମ କହୁଛି, ତୃତୀୟ ତ୍ରୈମାସିକ ଅର୍ଥାତ୍ ଗତ ଡିସେମ୍ୱର ସୁଦ୍ଧା ଅତିକମ୍ରେ ୬୦% ଅର୍ଥ ଖର୍ଚ୍ଚ ହେବା କଥା । କିନ୍ତୁ ସରକାର ଖର୍ଚ୍ଚ କରିପାରିଛନ୍ତି ମାତ୍ର ୪୯% ।
ଅଧିକ ପଢ଼ନ୍ତୁ :ବଜେଟ୍ ଦେଖି ରାଗିଲେ ଦିଦି : କହିଲେ ବଙ୍ଗଳା ପାଇଁ କିଛି ନାହିଁ , ଏ ବଜେଟ୍ ନା’ ଅଳିଆ ?
ସୁଭଦ୍ରାଶକ୍ତି ମେଳା ହେଉ କି ଶିଶିର ସରସ । ଗୋପାଳପୁର ମହୋତ୍ସବ ହେଉ ଅବା ସତ୍ୟବାଦୀ ମହୋତ୍ସବ। ସେପଟେ ବଜେଟ୍ ଅର୍ଥ ଲୋକଙ୍କ କାମରେ ନଲାଗି ପଡ଼ିରହିଥିବା ବେଳେ, ଏପଟେ ସରକାର ମେଳା ମହୋତ୍ସବରେ ବ୍ୟସ୍ତ ଥିବା କହି ସମାଲୋଚନା କରିଛନ୍ତି ବିରୋଧୀ । ବିଜେଡି କହିଛି- ଗାଁରେ ମାଟି ମୁଠାଏ ପଡ଼ୁନି । ବିକାଶ ଠପ୍ ହୋଇଯାଇଛି । ଲୋକ ପଚାରୁଛନ୍ତି, କେବେ ସରିବ ସରକାରଙ୍କ ମେଳା ମହୋତ୍ସବ । ବିଜେପି କହିଛି- ଲୋକଙ୍କ ସରକାର ଲୋକଙ୍କ ପାଖକୁ ଯିବ, ଲୋକଙ୍କ କାମ କରିବ । ମେଳା ମହୋତ୍ସବ ଲୋକଙ୍କ ନିକଟତର ହେବାର ଏକ ମାଧ୍ୟମ । ଏଥର ବଜେଟ୍ ଆକାର ୩ ଲକ୍ଷ କୋଟିକୁ ବଢ଼ିପାରେ ବୋଲି ଆଶା କରାଯାଉଥିବା ବେଳେ, ସେପଟେ ବିଭିନ୍ନ ବିଭାଗର ଖର୍ଚ୍ଚ ବଢ଼ାଇବାକୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ।
କେଉଁ ବିଭାଗ କରିଛି କେତେ ଖର୍ଚ୍ଚ?
- ପଞ୍ଚାୟତିରାଜ- ୨୮.୪୧%
- ଗ୍ରାମ୍ୟ ଉନ୍ନୟନ- ୪୮.୩୦%
- ସ୍କୁଲ ଓ ଗଣଶିକ୍ଷା- ୪୫.୬୬%
- ମହିଳା ଓ ଶିଶୁ ବିକାଶ- ୫୬.୫୨%
- ପୂର୍ତ୍ତ ବିଭାଗ- ୫୫.୮୮%
- କ୍ରୀଡ଼ା ଓ ଯୁବସେବା- ୫.୬୭%
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/08/a4-2026-02-08-20-27-16.jpg)