କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଭାରତୀୟ ଜନତା ପାର୍ଟି ଏବଂ ଏନଡିଏର ନେତାମାନେ ଏହାକୁ ଖୋଲାଖୋଲି ଭାବେ ପ୍ରଶଂସା କରିବା ସହ ବିକଶିତ ଭାରତ ପାଇଁ ଏହା ଏକ ଦୃଢ଼ ପଦକ୍ଷେପ ବୋଲି କହିଛନ୍ତି । କିନ୍ତୁ ବିପରୀତରେ କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳର ନେତାମାନେ ବଜେଟକୁ ସମାଲୋଚନା ମଧ୍ୟ କରିଛନ୍ତି । କିଏ ବଜେଟକୁ ଆବର୍ଜତା ତ ଆଉ କିଏ ଖାଲି ଡବା କହି ପରିହାସ କରିଛନ୍ତି । କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ସରକାର ଅର୍ଥନୀତିକୁ କୂଅରେ ଠେଲିବାକୁ ବସିଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜ ଆକ୍ରୋଶ ପ୍ରକାଶ କରି କହିଛନ୍ତି ଯେ ଏହି ବଜେଟ୍ ଦିଗହୀନ । ବଜେଟ୍ ବଙ୍ଗଳାକୁ କିଛି ଦେଇନାହିଁ । ଏମିତିକି ଅର୍ଥନୈତିକ କରିଡର ଘୋଷଣାକୁ ସେ "ଆବର୍ଜନା" ସହ ତୁଳନା କରିଛନ୍ତି । ଏମିତିକି କଂଗ୍ରେସ ନିଜର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛି ଯେ ମୋଦିଙ୍କ ନକଲି ବଜେଟ ଯୋଗୁଁ ସେୟାର ବଜାର କ୍ରାସ୍ ହୋଇଛି । ସମାଲୋଚକଙ୍କ ତାଲିକାରେ କଂଗ୍ରେସ ସାଂସଦ ଇମ୍ରାନ ମାସୁଦଙ୍କ ନାଁ ମଧ୍ୟ ଆସୁଛି । ସେ ବଜେଟକୁ ଖାଲି ବାକ୍ସ କହିବା ସହ ସରକାର ଭଲରେ ଭୂଆଁ ବୁଲାଉଥିବା କଥା କହିଛନ୍ତି । ସାଂସଦ ସୁଖଦେବ ଭଗତ ମଧ୍ୟ ବ୍ୟଙ୍ଗରେ କହିଛନ୍ତି ‘ଖୋଦା ପାହାଡ଼ , ନିକଲା ଚୁହା’ । ଶିରୋମଣି ଅକାଳି ଦଳ ସାଂସଦ ହରସିମରତ କୌର ବାଦଲ କହିଛନ୍ତି ଯେ ଏହି ବଜେଟ୍ କେବଳ କିଛି ଶିଳ୍ପପତିଙ୍କ ପାଇଁ । ଚାଷୀଙ୍କ ପାଇଁ ଏଥିରେ କିଛି ଖାସ୍ ନାହିଁ , ଏହି ବଜେଟ୍ ସମ୍ପୂର୍ଣ୍ଣ ବିଫଳ ।

Advertisment

ଆଗକୁ ପଢ଼ନ୍ତୁ : ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ତିନିଦିନିଆ ଶୋକ ଘୋଷଣା

ତେବେ ଗୃହମନ୍ତ୍ରୀ ଅମିତ ଶାହ ଇନଷ୍ଟାଗ୍ରାମରେ ଏହାକୁ ନେଇ ପୋଷ୍ଟ କରି କହିଛନ୍ତି ଯେ "ବିକଶିତ ଭାରତ" ବଜେଟ୍ ଭାରତକୁ ଏକ ଏପରି ଦେଶ ଭାବରେ ଉପସ୍ଥାପନ କରେ ଯାହା ଦୃଢ଼ ଆତ୍ମବିଶ୍ୱାସ ସହିତ ଉଦୀୟମାନ ଅର୍ଥନୈତିକ ଶକ୍ତି ଭାବରେ ନୂତନ ପରିଚୟ ନିର୍ମାଣ କରୁଛି । ସେ ତାଙ୍କ ପୋଷ୍ଟରେ ଏହା ମଧ୍ୟ କହିଛନ୍ତି ଯେ କୋଭିଡ୍-୧୯ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଅର୍ଥନୈତିକ ନୀତି ଭାରତର ଅର୍ଥନୀତିକୁ ସମୃଦ୍ଧ କରିଛି । ଡେଭଲପ୍ ଇଣ୍ଡିଆ ବଜେଟ୍ ଏହି ଗତିକୁ ଆହୁରି ତ୍ୱରାନ୍ୱିତ କରିବା ସହ ପାରମ୍ପରିକରୁ ନୂତନ ଯୁଗର କ୍ଷେତ୍ର ପର୍ଯ୍ୟନ୍ତ ବିଶ୍ୱ ପ୍ଲାଟଫର୍ମରେ ଭାରତରେ ତାର ସ୍ଥିତିକୁ ଆହୁରି ମଜବୁତ କରିବାରେ ସକ୍ଷମ ହୋଇଛି । ତେବେ ତେଜସ୍ୱୀ ସୂର୍ଯ୍ୟା ଏହାକୁ ଏକ ଭଲ ବଜେଟ୍ ବୋଲି କହିବା ସହ ବିରୋଧୀ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ହିଁ ନିଜର ପ୍ରତିକ୍ରିୟା ପ୍ରସ୍ତୁତ କରନ୍ତି ବୋଲି କହିଛନ୍ତି । ପ୍ରତିକ୍ରିୟା ଦେବା ପୂର୍ବରୁ ବଜେଟ୍ ପଢନ୍ତୁ ବୋଲି କହି ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ତେଜସ୍ବୀ ।