କନକ ବ୍ୟୁରୋ : ରାଜ୍ୟରେ ସ୍କୁଲ୍ ପାଠପଢ଼ା ଅଧାରୁ ଛାଡୁଥିବା ପିଲାଙ୍କ ସଂଖ୍ୟାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର । ବିଶେଷ କରି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ବଢୁଥିବା 'ଡ୍ରପ୍‌ଆଉଟ୍‌' ହାରକୁ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ କଠୋର ତଥା  ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି । ଏଣିକି ପିଲାମାନେ ସ୍କୁଲରୁ ଦୂରେଇ ରହିଲେ ସରକାର ସେମାନଙ୍କୁ ପୁଣି ଶିକ୍ଷାଦାନର ମୂଳସ୍ରୋତକୁ ଫେରାଇ ଆଣିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

Advertisment

ନୂତନ ନିୟମ ଅନୁଯାୟୀ, ଯଦି କୌଣସି ଛାତ୍ର ବା ଛାତ୍ରୀ କ୍ରମାଗତ ଭାବେ ୭ ଦିନ ସ୍କୁଲ୍‌କୁ ଅନୁପସ୍ଥିତ ରୁହନ୍ତି, ତେବେ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଘରକୁ ଯିବେ । ଶିକ୍ଷକ ପିଲାଟିର ଘରେ ପହଞ୍ଚି ତାର ଅନୁପସ୍ଥିତିର ପ୍ରକୃତ କାରଣ ଖୋଜିବେ । ପିଲାଟି କାହିଁକି ସ୍କୁଲ ଆସୁନାହିଁ, ସେନେଇ ଅଭିଭାବକଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କୁ ବୁଝାଇ ପିଲାକୁ ପୁଣି ସ୍କୁଲକୁ ଆଣିବାକୁ ଚେଷ୍ଟା କରିବେ ।

ଅଧିକ ପଢ଼ନ୍ତୁ--ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ ; ଇ-ବସ୍‌ର ଶୁଭାରମ୍ଭ ସହ ଅନେକ ପ୍ରକଳ୍ପର ହେବ ଲୋକାର୍ପଣ

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ରାଜ୍ୟରେ ଡ୍ରପ୍‌ଆଉଟ୍‌ ପିଲାଙ୍କ ସଂଖ୍ୟା ବଢୁଥିବା ନେଇ ଏକ ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିଥିଲା । ଅନେକ ସ୍ଥଳରେ ପିଲାମାନେ ପଢ଼ିବାକୁ ଅନିଚ୍ଛା ପ୍ରକାଶ କରି ପାଠ ଛାଡୁଥିବା ଏହି ରିପୋର୍ଟରେ ଦର୍ଶାଯାଇଥିଲା । ଏହି ସମସ୍ୟାର ସମାଧାନ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ (ଊଋଙ) ଏବଂ ବ୍ଲକ୍ ଶିକ୍ଷାଧିକାରୀ (ଈଋଙ)ଙ୍କୁ ବିଧିବଦ୍ଧ ଭାବେ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।

ସରକାରଙ୍କ ଏହି ପ୍ରୟାସ ଦ୍ୱାରା ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେବ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଶିକ୍ଷକମାନେ ନିକଟରୁ ବୁଝିପାରିବେ । ରାଜ୍ୟରେ ଶିକ୍ଷା ହାର ବଢ଼ାଇବା ଏବଂ ପ୍ରତ୍ୟେକ ଶିଶୁକୁ ଶିକ୍ଷାର ଅଧିକାର ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି ।