କନକ ବ୍ୟୁରୋ : ଓଡ଼ିଶାରେ ଆଳୁ ଉତ୍ପାଦନ ସମ୍ବନ୍ଧୀୟ ସମସ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ରାଜ୍ୟର ବାର୍ଷିକ ଆଳୁ ଆବଶ୍ୟକତା ପ୍ରାୟ ୧୩-୧୪ ଲକ୍ଷ ଟନ୍ ହେଲେ ମଧ୍ୟ ସ୍ଥାନୀୟ ଉତ୍ପାଦନ ମାତ୍ର ୭୦-୮୦ ହଜାର ଟନ୍ରୁ ୨.୫ ଲକ୍ଷ ଟନ୍ ପର୍ଯ୍ୟନ୍ତ ହୋଇଥାଏ। ଏହାଦ୍ୱାରା ରାଜ୍ୟକୁ ପ୍ରାୟ ୯୦% ଆଳୁ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଆଦି ରାଜ୍ୟରୁ ଆମଦାନୀ କରିବାକୁ ପଡ଼ିଥାଏ। ଏସବୁ ସମସ୍ୟାର ସମାଧାନ ପାଇଁ ଗତ କିଛି ବର୍ଷ ହେବ ସରକାର ଆଳୁ ମିଶନ ନାଁରେ ଅଭିଯାନ ଚଳାଇଛନ୍ତି । ଖୋର୍ଦ୍ଧା ଜିଲ୍ଳା ବେଗୁନିଆ ବ୍ଲକରେ ଉଦ୍ୟାନ ବିଭାଗର ପ୍ରୋତ୍ସାହନରେ କେତେକ ଚାଷୀ ଆଳୁଚାଷ କରି ଉତ୍ପାଦନ ବଢ଼ାଇବା ସହ ନିଜର ଆୟ ମଧ୍ୟ ବୃଦ୍ଧି କରିଛନ୍ତି। ଅମଳ ଭଲ ହେଉଥିବାରୁ ବର୍ଷକୁ ବର୍ଷ ଚାଷ ଜମିର ପରିସର ବୃଦ୍ଧି କରାଯାଉଛି। ରାସାୟନିକ ସାର ବଦଳରେ ଜୈବିକ ସାରକୁ ଦିଆଯାଉଛି ଗୁରୁତ୍ବ, ଫଳରେ ଉତ୍ପାଦନ ମଧ୍ୟ ଦ୍ବିଗୁଣିତ ହେଉଥିବା ଚାଷୀମାନେ କହିଛନ୍ତି ।
ଅଧିକ ପଢ଼ନ୍ତୁ :ଆଳୁ ଚାଷୀଙ୍କୁ ଠକିଦେଲେ; ଲଗାଇଥିଲେ ୨୨ ବସ୍ତା, ଅମଳ ହେଲା ୩ ବସ୍ତା
ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୧୫୦ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ପ୍ରୋତ୍ସାହନ ଦେଇଛି ଉଦ୍ୟାନ ବିଭାଗ। ଚାଷୀମାନେ ହାତରୁ ମାତ୍ର ୨୦ରୁ ୩୦ ହଜାର ଖର୍ଚ୍ଚ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଅନ୍ୟ ଚାଷ ଅପେକ୍ଷା କମ୍ ପରିଶ୍ରମରେ ଅଧିକ ଅମଳ ହେଉଥିବାରୁ ବହୁ ସଂଖ୍ୟାରେ ଚାଷୀ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି। ସେହିପରି ଉଦ୍ୟାନ କୃଷି ବିଭାଗ ମଧ୍ୟ ନିୟମିତ ଚାଷୀ ଓ ଚାଷର ଦେଖାଶୁଣା କରୁଥିବାରୁ ଚାଷ ପ୍ରତି ବଢ଼ୁଛି ଆଗ୍ରହ। ଯାହାଦ୍ବାରା ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ଆଳୁ ସଙ୍କଟର ସମାଧାନ ହେବାନେଇ ଆଶା ସଞ୍ଚାର ହୋଇଛି। ଓଡ଼ିଶାରେ ଆଳୁ ଚାଷ କେବଳ କିଛି ଜିଲ୍ଲାରେ ଯେମିତି କି କନ୍ଧମାଳ, କୋରାପୁଟ, କଳାହାଣ୍ଡି, କଟକ, କେନ୍ଦ୍ରାପଡ଼ା) ସୀମିତ। କୌଣସି ବି ପରିସ୍ଥିତିରେ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ବନ୍ଦ ହେବା ସମୟରେ ଦର ମଧ୍ୟ ପ୍ରଭାବିତ ହେଉଛି। ତେଣୁ ଖୋର୍ଦ୍ଧା ଜିଲ୍ଲା ଭଳି ଅନ୍ୟ ଜିଲ୍ଲାରେ ମଧ୍ୟ କୃଷି ଉଦ୍ୟାନ ବିଭାଗ ଏଭଳି ପଦକ୍ଷେପ ନେବା ଉଚିତ୍।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/08/soumya-2026-2026-02-08-22-03-23.jpg)