କନକ ବ୍ୟୁରୋ : ଆଳୁ ଚାଷ କରିଥିଲେ ଚାଷୀ । ଲକ୍ଷ୍ୟ ଥିଲା, ଫସଲ ବିକି ପରିବାର ଚଳାଇବେ । ହେଲେ ଭାଙ୍ଗିଗଲା ଏ ସ୍ୱପ୍ନ । ଏଥିପାଇଁ ଯେ ଅମଳ ବେଳକୁ କିଛି ଆଳୁର ଆକର ଥିଲା ଅପେକ୍ଷାକୃତ ଛୋଟ, ଆଉ କିଛି ପଚା । କିଛି ଚାଷୀ ଦାୟୀ କରୁଛନ୍ତି ଯେ ଏସବୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ । ଆଉ ଗୋଟିଏ ମତ ହେଉଛି, ନିମ୍ନମାନର ବିହନ ।
ଚଳିତ ବର୍ଷ ଖରିଫ୍ ଋତୁରେ କୋରାପୁଟର ୩୫୦୦ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଥିଲା । ଉଦ୍ୟାନ କୃଷି ବିଭାଗ ରାଜ୍ୟ ବିହନ ନିଗମରୁ ବିହନ ଆଣି ଦେଇଥିଲା ଚାଷୀଙ୍କୁ । ଲକ୍ଷ୍ୟ ରଖିଥିଲେ, ଏବର୍ଷ ହେକ୍ଟର ପିଛା ୧୫୦ କ୍ୱିଣ୍ଟାଲ ଆଳୁ ହେବ । ହେଲେ ଅମଳ ବେଳେ ଦେଖାଯାଇଛି ଯେ ଅନେକ ଆଳୁ ପଚା, କିଛି ଆଳୁର ଆକାର ଛୋଟ ।
ଦଶମନ୍ତପୁର ବ୍ଲକର ପଟମାଳିଗୁଡ଼ାର ଚାଷୀଙ୍କର ବି ସମାନ ଅବସ୍ଥା । ନିମ୍ନମାନର ବିହନ ପାଇଁ ଆଳୁ ସବୁ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଚାଷୀଙ୍କ ଅଭିଯୋଗକୁ ଫୁ କରି ଉଡ଼ାଇ ଦେଇଛନ୍ତି କର୍ତ୍ତୃପକ୍ଷ । ଆଳୁ ଉତ୍ପାଦନ କମିବା ପଛରେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ । କହିଛନ୍ତି, ଯେଉଁ ଚାଷୀଙ୍କ ୩୩ ପ୍ରତିଶତରୁ ଅଧିକ ଆଳୁ ଖରାପ ହୋଇଥିବ, ତଦନ୍ତ କରି ରବି ଋତୁରେ ଅଗ୍ରାଧିକାର ଭିତ୍ତିରେ ଉଦ୍ୟାନ ବିଭାଗର ବିଭିନ୍ନ ଯୋଜନାରେ ସାମିଲ କରାଯିବ ।
ଅନ୍ୟପଟେ ଜିଲ୍ଲାରେ ବର୍ଷକୁ ପ୍ରାୟ ୨୦୦ ବସ୍ତା ଆଳୁ ବିହନ ଆବଶ୍ୟକ ପଡ଼ୁଛି । ହେଲେ ଏଯାଏଁ ଜିଲ୍ଲାରେ ନିଜସ୍ୱ ଆଳୁ ବିହନ ତିଆରି ନ ହୋଇପାରିବା ଚିନ୍ତାଜନକ ବୋଲି କହିଛନ୍ତି କୃଷି ସମୀକ୍ଷକ ଶରତ ପଟ୍ଟନାୟକ । ରାଜ୍ୟ ସରକାର ଆଳୁ ଚାଷ ପାଇଁ ମନ ବଳାଇଛନ୍ତି । ହେଲେ କୋରାପୁଟର ଏହି ଉଦାହରଣ ବୟାନ କରୁଛି ଯେ ଏଯାଏଁ ଭଲ ବିହନ ଯୋଗାଇବାକୁ ସମର୍ଥ ହୋଇନି ଉଦ୍ୟାନ କୃଷି ବିଭାଗ । ଆଉ ଯଦି କର୍ତ୍ତୃପକ୍ଷଙ୍କ ମତ ଠିକ୍, ତେବେ ଆଗକୁ ରାଜ୍ୟରେ ଆଳୁ ଚାଷ ସ୍ଥିତି ସଙ୍ଗିନ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/31/potato-farmer-2025-10-31-18-13-45.jpg)