କନକ ବ୍ୟୁରୋ : ରାଜ୍ୟରେ ନିଶାମୁକ୍ତି ଅଭିଯାନ ପାଇଁ ସରକାର ଟଙ୍କା ଦେଉଛନ୍ତି । କିନ୍ତୁ ଆନ୍ତରିକତା ଅଭାବରୁ କେମିତି ଅଭିଯାନ ବାଟବଣା ହେଉଛି। ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀଙ୍କ ଉତ୍ତର ତଥ୍ୟ ସାମ୍ନାକୁ ଆଣିଛି। କେନ୍ଦ୍ରୀୟ ଅନୁଦାନ ଫେରିଯିବା ଭଳି ଅଭାବନୀୟ ଘଟଣା ଆମ ରାଜ୍ୟରେ ଘଟିଛି ।  

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ ଖୋଲିବନି ନୂଆ ମଦଦୋକାନ: ନିଶାମୁକ୍ତି ଅଭିଯାନ ପାଇଁ ପାଦେ ଆଗକୁ ବଢିଲେ ସରକାର

ନିଶା ଏକ ସାମାଜିକ ବ୍ୟାଧି। ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। କିନ୍ତୁ ନିଶା ନିବାରଣ ପାଇଁ ରାଜ୍ୟରେ ଯେମିତି କେହି ଚାହୁଁ ନାହାନ୍ତି। ଏନେଇ ବିଧାନସଭାରେ ଯେଉଁ ତଥ୍ୟ ସାମାଜିକ ସୁରକ୍ଷା ମନ୍ତ୍ରୀ ରଖିଛନ୍ତି ତାହା ସମସ୍ତଙ୍କୁ ଚମକାଇ ଦେଇଛି। ନିଶାମୁକ୍ତ ଅଭିଯାନ ପାଇଁ କେନ୍ଦ୍ର ଦେଇଥିବା ଟଙ୍କା ଖର୍ଚ୍ଚ ନହୋଇ ଫେରିଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ ଜିଲ୍ଲାକୁ ୧୦ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମିଳିଥିଲା।  ଉଦବେଗର ବିଷୟ ଅନୁଗୁଳ ଜିଲ୍ଲାରେ ୧୦ ଲକ୍ଷରୁ ଟଙ୍କାଟିଏ ଖର୍ଚ୍ଚ ହୋଇନି । ପୁରୀ ଜିଲ୍ଲାରେ ୧୧ ହଜାର ୯୦୦ ଟଙ୍କା ଓ ଗଜପତି ଜିଲ୍ଲା ଖର୍ଚ୍ଚ କରିଛି ୫ ଲକ୍ଷ ଟଙ୍କା । ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବରୁ ନିଶା ନିବାରଣ ଅଭିଯାନ ପ୍ରସହସନ ପାଲଟିଯାଇଛି । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। କହିଛନ୍ତି ରାଜ୍ୟରେ ସରକାର ମଦ ଦୋକାନ ଖୋଲି ନିଶାଯୁକ୍ତ ଓଡ଼ିଶା ଗଠନ ପାଇଁ ବ୍ୟସ୍ତ ଅଛନ୍ତି  ।

ଅଧିକ ପଢ଼ନ୍ତୁ: ବଦଳିଯିବ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ, ଡ୍ରାଫ୍ଟ ପାଇଁ ଗଠନ ହେଲା କମିଟି

ନିଶାମୁକ୍ତ ଭାରତ ଅଭିଯାନର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ଅଗଷ୍ଟ ୧୫, ୨୦୨୩ରେ ନିଶାମୁକ୍ତ ଭାରତ ଅଭିଯାନ ୨.୦ ଆରମ୍ଭ କରାଯାଇଛି। ସେଥିରେ ରାଜ୍ୟର ବାକି ୨୦ଜିଲ୍ଲାକୁ ସାମିଲ କରାଯାଇଛି। ସରକାର ହସ୍ତକ୍ଷେପ ନକଲେ ନିଶା ମୁକ୍ତ ଭାରତ ଅଭିଯାନ ୨.୦ ମଧ୍ୟ ବାଟବଣା ହେବା ଆଶଙ୍କା ରହିଛି ।