କନକ ବ୍ୟୁରୋ: ତାରିଖ ପରେ ତାରିଖ ଘୁଞ୍ଚି ଚାଲିଛି । କିନ୍ତୁ ସମ୍ପତ୍ତି ତାଲିକାର ହିସାବ ଦେଉନାହାନ୍ତି ସରକାରୀ ବାବୁ । ଲାଗୁଛି ସରକାରଙ୍କୁ ଯେପରି ଅଫିସରଙ୍କ ଭୟ ନାହିଁ । ସେଥିପାଇଁ ତ ବାରମ୍ବାର ବେଖାତିର ମନୋଭାବ ଦେଖାଇ ଚାଲିଛନ୍ତି ଅଫିସର । ଆଉ ସଠିକ୍ ସମୟରେ ସମ୍ପତ୍ତି ତାଲିକା ଦେଇନଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ । ଡେଡଲାଇନ୍ ସରୁଥିଲେ ବି ଦରମା ବନ୍ଦ କରି ସସପେଣ୍ଡ କରୁନାହାନ୍ତି । ଯେହେତୁ କାର୍ଯ୍ୟାନୁଷ୍ଠାନ ଶୂନ, ସେଥିପାଇଁ ବାବୁଙ୍କର ଭୟ ଛାଡ଼ିଯାଇଛି । ଯାହାଦ୍ବାର ସଠିକ୍ ସମୟରେ ଦରମାର ହିସାବ ଦେଉନାହାନ୍ତି, ବରଂ ଆୟ ବହିଭୂତ ସମ୍ପତି ଠୁଳ କରିଚାଲିଛନ୍ତି ।
ଏହା ବି ପଢ଼ନ୍ତୁ: ଜନଶୁଣାଣି ବେଳେ ତୁମୁଳକାଣ୍ଡ, ଯିଏ ଯାହାକୁ ପାରିଲା ବାଡ଼େଇଲା
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘନଘନ ଚଢ଼ାଉ କରୁଛି ଭିଜିଲାନ୍ସ । କୋଟି କୋଟି ଟଙ୍କା ବାବୁଙ୍କ ଘରୁ ବାହାରୁଛି । ତଥାପି ବାବୁଙ୍କ ପ୍ରତି ସରକାରଙ୍କ ଦରଦ ପ୍ରବଳ । ସରକାର କାର୍ଯ୍ୟାନୁଷ୍ଠାନ କଥା ତ କହୁଛନ୍ତି, ନେବା ବେଳକୁ କୁନ୍ଥକୁନ୍ଥ । ସମ୍ପତ୍ତି ତାଲିକା ନଦେଲେ, କିଛି ସରକାରୀ ବିଭାଗରେ ପ୍ରମୋସନ୍ ହେଉନାହିଁ । ତେଣୁ ସବୁ ବିଭାଗରେ କାହିଁକି ଏହାକୁ କାର୍ଯ୍ୟକାରୀ କରାଯିବନି ବୋଲି ଉଠିଲାଣି ପ୍ରଶ୍ନ । ପୂର୍ବତନ ପ୍ରଶାସକଙ୍କ ମତରେ, ସବୁ ଜିଲ୍ଲାରେ ଭିଜିଲାନ୍ସ ମନିଟରିଂ କରିବାର ଆବଶ୍ୟକତା ରହିଛି । ଏହାଦ୍ବାରା ନା କେବଳ ବାବୁଙ୍କ ଭିତରେ ଭୟ ରହିବ, ବରଂ ସେମାନେ ସରକାରଙ୍କ ସ୍କାନରରେ ବି ରହିବେ । ସରକାରଙ୍କ ନିର୍ଦ୍ଦେଶକୁ ଅମାନିଆ ବାବୁଙ୍କ ବେଖାତିର କ’ଣ ପାଇଁ ? ବାବୁଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେବାକୁ ଜୁ’ ଜୁଟାଇ ପାରୁନାହାନ୍ତି ସରକାର ?
Follow Us