Hospital Photograph: (kanak news)
କନକ ବ୍ୟୁରୋ : ରୋଗୀଙ୍କୁ ସହଜରେ ଘର ପାଖରେ ଚିକିତ୍ସା ସେବା ଯୋଗାଇବାକୁ ବିଭିନ୍ନ ଜିଲ୍ଲାରେ ଖୋଲିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ମେଡିକାଲରେ ମାଗଣା ଡାକ୍ତର, ମାଗଣା ଔଷଧ, ମାଗଣା ପରୀକ୍ଷା ସବୁ ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ସବୁଠି ରୋଗୀଙ୍କୁ ମିଳୁନି ସବୁ ପ୍ରକାରର ସୁବିଧା । ଘର ପାଖରେ ବଡ଼ ମେଡିକାଲ ଥାଇ ବି ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି ରୋଗୀ । ଆଜି ଆମେ କହିବୁ ସେମିତି ୩ଟି ଅଞ୍ଚଳର ଚିକିତ୍ସାଳୟ, ଯେଉଁଠି ଚକାଚକ ଚିକିତ୍ସାଳୟ ତ ଅଛି କିନ୍ତୁ ରୋଗୀଙ୍କୁ ମିଳୁନି ଚିକିତ୍ସା ସୁବିଧା ।
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯନ୍ତ୍ରାଂଶ ଅଛି, ଅଲଟ୍ରାସାଉଣ୍ଡ ମେସିନ ବି ଅଛି କିନ୍ତୁ ନାହାନ୍ତି ରେଡିଓଲୋଜିଷ୍ଟ । ଏଠି ରୋଗୀ ଚିକିତ୍ସା ହେବେ ଡାକ୍ତରଖାନାରେ, ହେଲେ ମୋଟା ଅଙ୍କର ଟଙ୍କା ଦେଇ ଅଲଟ୍ରାସାଉଣ୍ଡ କରିବେ ବାହାରେ । ଜିଲ୍ଲାର ବଡ଼ ଚିକିତ୍ସାଳୟ ହୋଇଥିବାରୁ ଏଠାକୁ ନିୟମିତ ରୋଗୀଙ୍କ ସୁଅ ଛୁଟିଥାଏ । ନାନା ବଡ଼ ରୋଗରେ ପଡ଼ି ମଧ୍ୟ ରୋଗୀ ଏଠାକୁ ଆସିଥାନ୍ତି । ମାଗଣାରେ କିମ୍ବା ସ୍ବଳ୍ପ ଖର୍ଚ୍ଚରେ ରୋଗୀଙ୍କୁ ସେବା ଯୋଗାଇବାକୁ ସରକାରୀ ମେଡିକାଲରେ ବିଭିନ୍ନ ବିଭାଗ ବି ଖୋଲାଯାଇଛି । ହେଲେ ଡାକ୍ତର ନଥିବାରୁ କେନ୍ଦ୍ରାପଡ଼ାର ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଅଲ୍ଟ୍ରା ସାଉଣ୍ଡଟିଏ କରିବାକୁ ଏଠି ନାହାନ୍ତି ରେଡିଓଲୋଜିଷ୍ଟ । ଫଳରେ ସମାନ୍ୟ ପେଟ କାଟିଲେ ଡାକ୍ତର ଅଲଟ୍ରା ସାଉଣ୍ଡ କରିବାକୁ କହୁଥିବାରୁ ରୋଗୀ ବେସରକାରୀ ସଂସ୍ଥାକୁ ଦୌଡ଼ୁଛି। ଆଉ ଗଣୁଛି ମୋଟା ଅଙ୍କର ଟଙ୍କା ।
ଅଧିକ ପଢ଼ନ୍ତୁ--- ଘରୋଇ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣା ; ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତନାଘନା
ସେହିପରି ଦ୍ବିତୀୟ କଥାଟି ହେଉଛି ବାରିପଦାର । ସେଠାରେ ମେଡିକାଲରେ ନାହିଁ ପ୍ଲାଷ୍ଟିକ ସର୍ଜରି ବିଭାଗ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଆଜିଯାଏଁ ହୋଇପାରିନି ପ୍ଲାଷ୍ଟିକ୍ ସର୍ଜରି ବିଭାଗ । କାହାର ହାତ ପୋଡ଼ିଗଲେ କି କାହାର ପ୍ଲାଷ୍ଟିକ୍ ସର୍ଜରି ଆବଶ୍ୟକ ପଡ଼ିଲେ ପାଖାପାଖି ୩୦୦ କିଲୋମିଟର ଦୂର କଟକ ବଡ଼ ମେଡିକାଲକୁ ଆଣିବାକୁ ପଡ଼େ । ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେଉ କି ପିଆରଏମ ମେଡିକାଲ କଲେଜ, ଏହା ଉପରେ କେବଳ ମୟୂରଭଞ୍ଜ ନୁହେଁ ଆଖପାଖ ଅଞ୍ଚଳ ତଥା ପଡ଼େଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଅନେକ ରୋଗୀ ବି ନିର୍ଭର କରିଥାନ୍ତି । ବିଶେଷ କରି ସଡ଼କ ଦୁର୍ଘଟଣାରେ ଖଣ୍ଡିଆ ଖାବରା ହେଉଥିବା ରୋଗୀଙ୍କ ପାଇଁ ପ୍ଲାଷ୍ଟିକ ସର୍ଜରିର ଆବଶ୍ୟକତା ରହିଥାଏ । କିନ୍ତୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏହି ସୁବିଧା ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ସେହିପରି ଆଉ ଏକ ଖବର ମାଥିଲିର । ମାଲକାନଗିରି ଜିଲ୍ଲାରେ ଦ୍ବିତୀୟ ଡାଇଲେସିସ ସେଣ୍ଟର ଭାବେ ଭାବେ ମାଥିଲି ସବଡିଭିଜନ ମେଡିକାଲରେ ଏକ ୟୁନିଟ୍ କରାଯାଇଛି । ହେଲେ ଠିକ୍ ସମୟରେ ଆବଶ୍ୟକ ଜଳ ମିଳୁନଥିବାରୁ ଅସୁବିଧା ଭୋଗୁଛନ୍ତି କିଡନି ରୋଗୀ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଠାରେ ନୂତନ ଭାବେ ଡାଇଲେସିସ୍ ୟୁନିଟ୍ ଆରମ୍ଭ କରାଯାଇଛି । ଆବଶ୍ୟକ ଯନ୍ତ୍ରପାତି ମଧ୍ୟ ଅଛି । ହେଲେ ଆବଶ୍ୟକ ଜଳ ନଥିବାରୁ ଏଠାକୁ ଆସୁଥିବା ପ୍ରତ୍ୟେକଟି ରୋଗୀ ସମସ୍ୟା ଭୋଗୁଛନ୍ତି । କିଡନି ରୋଗୀଙ୍କ ଡାଇଲେସିସ୍ ହୋଇପାରୁନି । ବହୁ କଷ୍ଟରେ ଦୈନିକ ୪ ଜଣ ରୋଗୀଙ୍କ ଡାଏଲିସିସ୍ ହୋଇପାରୁଛି । ୮ ମାସ ହେବ ଏପରି ସ୍ଥିତି ଲାଗି ରହିଥିବା ବେଳେ ସମାଧାନ କରୁନି ପ୍ରଶାସନ ।
ଇଏ ତ ଭାତ ହାଣ୍ଡିର ମାତ୍ର ଦୁଇ ତିନିଟି ଚାଉଳ । ରାଜ୍ୟରେ ଏମିତି ଅନେକ ଚିକିତ୍ସାଳୟ ଅଛି ଯେଉଁଠି ଜଣେ ରୋଗରେ ପଡ଼ିଲେ ହଇରାଣ ହରକତ ହେଉଛି । ବାହାରକୁ ଆସିଲେ ଟଙ୍କା ଖର୍ଚ୍ଚ ହେବ ବୋଲି ରୋଗୀ ଜାଣୁଛି । କିନ୍ତୁ ଉପାୟଶୂନ୍ୟ ହୋଇ ଜୀବନ ବଞ୍ଚାଇବାକୁ ବାଧ୍ୟ ହୋଇ ବାହାରକୁ ଆସୁଛି । ରାଜ୍ୟର ସ୍ବାସ୍ଥ୍ୟ ସେବାର ଏ ବିକଳ ଚିତ୍ର କେବେ ସରକାରଙ୍କୁ ଦିଶୁଛି ତାହାକୁ ଅପେକ୍ଷା ।
Follow Us