କନକ ବ୍ୟୁରୋ : ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (MCX) ରେ ସୁନା ଏବଂ ରୁପାର ମୂଲ୍ୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଏମିତି ପ୍ରତିତ ହେଉଛି ଆଗକୁ ଆଉ କେହି ସୁନା କିଣିପାରିବେ ନାହିଁ କେବଳ ଗହଣା ଦୋକାନରେ ସୋ’ପିସ୍ ହୋଇ ରହିଯିବ ଏହି ସୁନା,ରୂପା ଗହଣା । ଗୁରୁବାର MCX ରେ ବଜାର ଖୋଲିବା ମାତ୍ରେ ସୁନା ଏବଂ ରୁପାର ମୂଲ୍ୟ ଅଚାନକ ବଢ଼ିଛି ଯାହା ବଜାରରେ ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛି । ପ୍ରଥମ ଥର ପାଇଁ ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୪ ଲକ୍ଷ ଟଙ୍କା ଅତିକ୍ରମ କରିଛି । ରୁପା ଯଦି ବଢ଼ୁଛି ସୁନା କାହିଁକି ତା’ର ଭାଉ କମାଇବ । ସୁନା ମୂଲ୍ୟରେ ମଧ୍ୟ ସମାନ ଅବସ୍ଥା । ପ୍ରତି ୧୦ ଗ୍ରାମକୁ ୧,୮୦,୦୦୦ ଟଙ୍କା ପାଖାପାଖି ପହଞ୍ଚିପାରେ । ଆଜି COMEX ରେ ସୁନା ଏବଂ ରୁପାର ମୂଲ୍ୟରେ ମଧ୍ୟ ଏକ ବଡ଼ ଧରଣର ବୃଦ୍ଧି ଦେଖାଯାଇଛି । ତେବେ ୧୦ ଦିନ ଭିତରେ ୩ ଥର ବଢ଼ିଥିବା ଦାମକୁ ଦେଖି ଆପଣ ଅନୁମାନ କରିପାରୁଥିବେ ଦିନକୁ ଦିନ ସୁନା ଏବଂ ରୁପା କେତେ ମହଙ୍ଗା ହେବାରେ ଲାଗିଛି ।
ଆଗକୁ ପଢ଼ନ୍ତୁ : ପୁଣି ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର : ୧୦ଗ୍ରାମ ସୁନା ଦର ଟପିଲା ଲକ୍ଷେ ୬୦ ହଜାର
ବୁଧବାର ଦିନ MCX ରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୬୬,୩୫୫ ରେ ବନ୍ଦ ହୋଇଥିଲା । ଏହା ବର୍ତ୍ତମାନ ପ୍ରତି ୧୦ ଗ୍ରାମକୁ ୧,୭୯,୧୮୬ ଟଙ୍କାରେ ପହଞ୍ଚିଛି । ଗତକାଲି ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୩,୮୬,୫୩୦ ର ରେକର୍ଡ କରି ବନ୍ଦ ହୋଇଥିଲା ଯାହା ଆଜି ନୂଆ ରେକର୍ଡ ସ୍ଥାପନ କରିଛି । ଆଜି ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ୪,୦୫,୦୦୦ ଟଙ୍କାରେ ପହଞ୍ଚିଛି । ଗୁରୁବାର ଅର୍ଥାତ ଲକ୍ଷ୍ମୀଙ୍କ ବାରରେ ହିଁ କମେକ୍ସରେ ସୁନା ଦର ପ୍ରତି ଆଉନ୍ସ ୫,୫୦୦ ଡଲାର ନୂତନ ରେକର୍ଡ ସୃଷ୍ଟି କରିଛି । କିଛି ଘଣ୍ଟାର ବୃଦ୍ଧି ପରେ ଏହା ଏବେ ପ୍ରତି ଆଉନ୍ସ ୫,୫୩୮ ଡଲାରରେ ପହଞ୍ଚିଛି । ସେହିପରି ରୂପା ମୂଲ୍ୟ ଆଉନ୍ସ ପ୍ରତି ୧୧୭.୨୪ ଡଲାରରେ ପହଞ୍ଚିଛି । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ରୂପା ଅପେକ୍ଷା ଅଧିକ ବୃଦ୍ଧି ପାଉଛି ।
ତେବେ ଏମିତି କ’ଣ ପରିସ୍ଥିତି ଉପୁଜିଛି ଯେ ସୁନା ଦିନକୁ ଦିନ ଆକାଶଛୁଆଁ ଦରରେ ବୃଦ୍ଧି ପାଉଛି ଆସନ୍ତୁ ଜାଣିବା । ସୁନା ବୃଦ୍ଧି ପଛରେ ବିଶ୍ବରେ ବଢୁଥିବା ଉତ୍ତେଜନାକୁ ମୁଖ୍ୟ କାରଣ କୁହାଯାଇପାରେ । ବିଶ୍ୱର ଅନେକ ଦେଶ ମଧ୍ୟରେ ଏବେ ଉତ୍ତେଜନା ବୃଦ୍ଧି ପାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ପ୍ରତିକ ବକ୍ତବ୍ୟ ବାଣିଜ୍ୟ ଯୁଦ୍ଧ ବିଷୟରେ ନୂତନ ଚିନ୍ତା ସୃଷ୍ଟି କରିଛି । ଏପରି ପରିସ୍ଥିତିରେ ଲୋକମାନେ ନିଜ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ସୁନାରେ ନିବେଶ କରିବାକୁ ଚିନ୍ତା କରନ୍ତି । ଯେଉଁଥିପାଇଁ ସୁନା ରେଟ୍ ବଢ଼ି ଥାଇପାରେ ବୋଲି ଅନୁମାନ କରାଯାଉଛି । ଏହାର ଆଉ ଏକ କାରଣ ଡଲାର୍ ଦୁର୍ବଳ ହେବା ମଧ୍ୟ ହୋଇପାରେ । ଆମେରିକୀୟ ଡଲାର ଚାରି ମାସରେ ସର୍ବନିମ୍ନ ସ୍ତରରେ ପହଞ୍ଚିଗଲା । ଆଉ ସୁନା ନିବେଶକମାନେ ଏହି ସୁବର୍ଣ୍ଣ ସୁଯୋଗକୁ ଯେମିତି ଚାତକ ପରି ଚାହିଁଥା’ନ୍ତି । ଯେତେବେଳେ ଡଲାର ଦୁର୍ବଳ ହୁଏ ସୁନା ନିବେଶକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇଯାଏ ଯାହା ଫଳରେ ଏହାର ମୂଲ୍ୟ ବୃଦ୍ଧି ପାଏ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବିଦେଶୀ ମୁଦ୍ରା ଉପରେ ନିର୍ଭରଶୀଳ ନହେବା ପାଇଁ ବଡ଼ ପରିମାଣରେ ସୁନା କିଣନ୍ତି । ଯାହା ସୁନାର ଚାହିଦା ଏବଂ ମୂଲ୍ୟ ଉଭୟକୁ ବଢ଼ାଏ । ସୁନା-ସମର୍ଥିତ ପାଣ୍ଠି (ETFs) ଚଳିତ ବର୍ଷ ପ୍ରାୟ ୨୦% ବୃଦ୍ଧି ପାଇଛି ଅର୍ଥାତ୍ ନିବେଶକମାନେ ପୁଣି ଥରେ ସୁନାକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ବିଚାର କରୁଛନ୍ତି । କିଛି ବିଶେଷଜ୍ଞଙ୍କ ମତରେ ଯଦି ବିଶ୍ୱ ସ୍ତରରେ ଉତ୍ତେଜନା ଜାରି ରହେ ତେବେ ସୁନା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ । କେତେକ ଏପରି ମଧ୍ୟ ଆକଳନ କରିଛନ୍ତି ଯେ ଆଗାମୀ ମାସଗୁଡ଼ିକରେ ସୁନା ପ୍ରତି ଆଉନ୍ସ $୬,୦୦୦ ପର୍ଯ୍ୟନ୍ତ ପହଞ୍ଚିପାରେ । ତଥାପି ଏହି ସମୟ ମଧ୍ୟରେ ମୂଲ୍ୟ ସାମାନ୍ୟ ହ୍ରାସ ପାଇପାରେ । ଯେଉଁମାନେ ବିବାହ କିମ୍ବା ପର୍ବପର୍ବାଣୀ ପାଇଁ ସୁନା କିଣିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଟିକେ ଅପେକ୍ଷା କରିବାକୁ ପଡ଼ିପାରେ । ବର୍ତ୍ତମାନ ମୂଲ୍ୟ ଅଧିକ ଅଛି ତେଣୁ ତରତର ହୋଇ ସୁନା କିଣିବା କ୍ରେତାଙ୍କୁ ହିଁ ମହଙ୍ଗା ପଡ଼ିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/29/gold-2026-01-29-15-41-20.jpg)