Ration Rice Photograph: (kanak news)
କନକ ବ୍ୟୁରୋ : ରାସନ ଚାଉଳ ଯୋଗାଣରେ ମହାଦୁର୍ନୀତି । ମଲା ମଣିଷ ନାଁରେ ଉଠୁଛି ରାସନ ଚାଉଳ । ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଭୂତ ନେଉଛି ଚାଉଳ । ଏପରି ଏକ୍ସକ୍ଲୁସିଭ୍ ଖବର ଲାଗିଛି କନକ ନ୍ୟୁଜ ହାତରେ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରୁ ସାମନାକୁ ଆସିଛି ରାସନ ଚାଉଳ ଯୋଗାଣରେ ବଡ କେଳେଙ୍କାରୀ । ବର୍ଷବର୍ଷ ଧରି ମୃତ ବ୍ୟକ୍ତିଙ୍କ ଚାଉଳ ଖାଉଛନ୍ତି ଠକ । ଜଣେ କି ଦୁଇ ଜଣ ନୁହେଁ ଅନେକ ମୃତ ବ୍ୟକ୍ତିଙ୍କ ନାଁରେ ଗଞ୍ଜାମ ଧରାକୋଟ୍ ବ୍ଲକରେ ପ୍ରତି ମାସରେ ଉଠାଯାଇଛି ରାସନ।
ଧରାକୋଟ୍ ବ୍ଲକ ମଛାକୋଟ ପଂଚାୟତର ଅଭୟପୁର ଗାଁରେ ମାଗି ଡାକୁଆ ୧୮ ଜାନୁଆରି ୨୦୨୫ରୁ ମୃତ୍ୟୁବରଣ କଲେଣି । ସେହିପରି ବାଞ୍ଛା ନାୟକଙ୍କର ୨୦.୧୨.୨୦୨୪ରୁ ମୃତ୍ୟୁ ହେଲାଣି । ହେଲେ, ଅନଲାଇନ ତଥ୍ୟରୁ ଜଣାପଡିଛି ଉଭୟଙ୍କ ନାଁରେ ପ୍ରତିମାସରେ ଆଜି ଯାଏଁ ଉଠୁଥିଲା ଚାଉଳ । କେବଳ ମୃତ ବ୍ୟକ୍ତି ନୁହେଁ ପଂଚାୟତର ଅନେକ ହିତାଧିକାରୀ ସୁରାଟରେ ଥିଲେ । ସେମାନେ ଗାଁକୁ ଫେରିବା ପରେ ଜଣାପଡିଛି ସେମାନଙ୍କ ନାଁରେ ଆଉ କେହି ରାସନ ଉଠାଇ ନେଇଛନ୍ତି ।
ଅଧିକ ପଢ଼ନ୍ତୁ--ଆଜି ବି ଖୋଲିଲାନି ମଣ୍ଡି ; ପୁଣି ଗଡ଼ିଲା ସମୟ
ଏଇ ଯେମିତି କୁନି ପ୍ରଧାନ । ସେ ନିଜ ପରିବାର ସହ ବର୍ଷେ ହେଲା ସୁରାଟରେ ଥିଲେ । ହେଲେ, ତାଙ୍କ ଅଗୋଚରରେ ପ୍ରତି ମାସରେ ରାସନ ଉଠା ଯାଇଛି । ସମଦଶା ଭୋଗିଛନ୍ତି ସୁଲତା ମୁନି । ଏହା ଜାଣିବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଉଭୟ । ଅଭିଯୋଗ ପରେ ଧରାକୋଟ ବିଡିଓ ଏହାର ତଦନ୍ତ କରୁଛନ୍ତି । ଏବେ ପ୍ରଶ୍ନ ଉଠୁଛି, ମୃତ ବ୍ୟକ୍ତିଙ୍କ ଚାଉଳ ଖାଉଥିଲା କିଏ ? ଅନୁପସ୍ଥିତ ଥିବା ଲୋକଙ୍କ ନାଁରେ କିଏ ନେଲା ରାସନ ? ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?
Follow Us