କନକ ବ୍ୟୁରୋ: ନାଗପୁରରେ ବଡ଼ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟ୍ରେ ସାନି ବିବାଦର ସୂତ୍ରପାତ କରିଛନ୍ତି । ସାଂସଦ ତଥା କଂଗ୍ରେସ୍ ନେତା ଶଶି ଥରୁର ତାଙ୍କୁ ପ୍ରଶଂସା କରି ଲେଖିଥିବା ‘ଟ୍ବିଟ୍’ର ଉତ୍ତର ରଖି ଗମ୍ଭୀର କେତେକ ବିତର୍କିତ କଥା କହି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ କରିଥିବା ଟ୍ବିଟ୍ରେ ଗମ୍ଭୀର ନିନ୍ଦୁକଙ୍କୁ କଟାକ୍ଷ କରିଛନ୍ତି । ଭାରତୀୟ ଦଳର ପରିବର୍ତ୍ତନ କାଳରେ ତାଙ୍କୁ ପ୍ରଶିକ୍ଷକ ପଦରୁ ବିଦା କରିବା ଲାଗି ଦାବି କରିଥିବା କିଛି ପୂର୍ବତନ କ୍ରିକେଟର୍ ଓ କ୍ରିକେଟ୍ପ୍ରେମୀଙ୍କୁ ଦୃଢ଼ ଜବାବ ଦେଇଛନ୍ତି । ସେହିଭଳି ଭାରତୀୟ ଦଳ ଉପରେ ତାଙ୍କର ଅଖଣ୍ଡ ନିୟନ୍ତ୍ରଣ ନାହିଁ । ଏବେକାର ଧୂଳି ଝଡ଼ ଥମିଗଲା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଲେଖିଛନ୍ତି ଗମ୍ଭୀର ।
ଏହା ବି ପଢ଼ନ୍ତୁ: ରୋହିତ ଶର୍ମାଙ୍କୁ ମିଳିବ ଡକ୍ଟରେଟ୍
ନିଜ ଲେଖାକୁ ସ୍ପଷ୍ଟ ନକରି ଏହାକୁ ଜାଣିଶୁଣି ରହସ୍ୟମୟ କରିଛନ୍ତି ସେ । ଫଳରେ ତାଙ୍କୁ ନେଇ ପୁଣି ଥରେ ବାଦ ବିବାଦ ସୃଷ୍ଟି ହୋଇଛି । ଗମ୍ଭୀର ଲେଖିଛନ୍ତି, ଯେତେବେଳେ ଧୂଳି ଝଡ଼ ଥମିଯିବ, ପ୍ରଶିକ୍ଷକ ଦଳର ହର୍ତ୍ତାକର୍ତ୍ତା ବୋଲି ଥିବା ଭାବନା ଓ ଆକଳନ ସ୍ବଚ୍ଛ ଓ ନିର୍ମଳ ଜଳ ଭଳି ସ୍ପଷ୍ଟ ହୋଇଯିବ । ସତ ପଦାକୁ ଆସିବ । ସେତେବେଳ ଯାଏ ମୋତେ ନିଜ ଲୋକ, ଯିଏ କି ନିଜନିଜ କ୍ଷେତ୍ରରେ ସର୍ବଶ୍ରେଷ୍ଠ, ସେମାନଙ୍କୁ ମୋ ବିପକ୍ଷରେ ଛିଡ଼ା କରାଯାଉଥିବା ଦେଖି ଚକିତ ଓ ଆନ୍ଦାଳିତ ହେଉଛି । ଗମ୍ଭୀର ଏହି ଟ୍ବିଟ୍ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି, ତାହା ସ୍ପଷ୍ଟ କରି ନାହାନ୍ତି । ତେବେ ଏହି ଟ୍ବିଟ୍ ସେ ଭାରତୀୟ କ୍ରିକେଟ୍ ଦଳର ଚୟନ ସମିତି ଓ ତା’ର ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଲେଖିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଭାରତୀୟ ଦଳରେ ତାଙ୍କ ଭୂମିକାକୁ ନେଇ ସାଧାରଣରେ ଗଢ଼ାଯାଉଥିବା ଭାବନାରେ ହତୋତ୍ସାହିତ ହୋଇ ସେ ଏଭଳି ଲେଖା ଲେଖିଥିବା ଚର୍ଚ୍ଚା ବି ଜୋର ଧରିଛି ।
ଏହା ବି ପଢ଼ନ୍ତୁ: ସିଏମ୍ ଟ୍ରଫିକୁ ଘାତକ ସମ୍ଭାବ୍ୟ ବୟସ ଜାଲିଆତି
ସୂଚନାଯୋଗ୍ୟ ଯେ ନାଗପୁରରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଅବସରରେ ଗମ୍ଭୀରଙ୍କୁ ଥରୁର ଭେଟିଥିଲେ । ଏହା ପରେ ଥରୁର ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଲେଖିଥିଲେ ଯେ ନାଗପୁରରେ ମୋ ପୁରୁଣା ବନ୍ଧୁ ଗୌତମ ଗମ୍ଭୀରଙ୍କ ସହ ଅତି ଭଲ ଓ ଖୋଲାଖୋଲି ଆଲୋଚନା ହେଲା । ପ୍ରଧାନମନ୍ତ୍ରୀଙ୍କ ପରେ ସମ୍ଭବତଃ ସେ ଭାରତର ଦ୍ବିତୀୟ କଠିନ ପଦରେ ଅଛନ୍ତି । ଲକ୍ଷଲକ୍ଷ ଲୋକ ତାଙ୍କୁ ଦୈନିକ କଟାକ୍ଷ ଓ ନିନ୍ଦା କରୁଛନ୍ତି । ହେଲେ ସେ ବରଫ ଭଳି ଶାନ୍ତ ରହି ନିଜ କାମ କରିଚାଲିଛନ୍ତି । ଦୃଢ଼ ନେତୃତ୍ବ ଓ ନିରବ ଏକାଗ୍ରତା ଲାଗି ସେ ପ୍ରଶଂସାର ପାତ୍ର । ତାଙ୍କୁ ମୁଁ ସଫଳତାର ଶୁଭକାମନା ଜ୍ଞାପନ କରୁଛି ।
Thanks a lot Dr @ShashiTharoor! When the dust settles, truth & logic about a coach’s supposedly “unlimited authority” will become clear. Till then I’m amused at being pitted against my own who are the very best! https://t.co/SDNzLt73v5
— Gautam Gambhir (@GautamGambhir) January 21, 2026
ଗମ୍ଭୀରଙ୍କ ନାଟକୀୟ ଓ ଚର୍ଚ୍ଚିତ କାର୍ଯ୍ୟକାଳ
ଦେଢ଼ବର୍ଷ ତଳେ ଗମ୍ଭୀର ପ୍ରତିଶ୍ରୁତିର ସମ୍ଭାର ନେଇ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳ ଆରମ୍ଭ କରିଥିଲେ । ସେବେଠାରୁ କିନ୍ତୁ ଭାରତୀୟ ଦଳ ତିନିଟି ଯାକ ଫର୍ମାଟ୍ରେ ବ୍ୟାପକ ପରିବର୍ତ୍ତନ ଦେଇ ଗତି କରି ଆସୁଛି । ରୋହିତ ଶର୍ମାଙ୍କ ଅବସର ପରେ ସୂର୍ଯ୍ୟକୁମାର ଯାଦବ ଭାରତର ନୂଆ ଟ୍ବେଣ୍ଟି-୨୦ ଅଧିନାୟକ ନିଯୁକ୍ତ ହେବା । ରୋହିତ, ବିରାଟ କୋହଲି ଓ ଆର୍ ଅଶ୍ବିନ ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେବା ଭଳି ଘଟଣା ତାଙ୍କ କାର୍ଯ୍ୟକାଳରେ ଘଟିଛି । ପୁଣି ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ଶୁବମନ୍ ଗିଲ୍ ଫେରି ଉପଅଧିନାୟକ ନିଯୁକ୍ତ ହେବା ଏବଂ ବିଶ୍ବକପ୍ ଦଳରୁ ବାଦ୍ ପଡ଼ିବା । ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡଠାରୁ ଭାରତ ଟେଷ୍ଟ୍ ଶୃଙ୍ଖଳା ହାରିବା ତାଙ୍କ ଦକ୍ଷତା ଓ ରଣନୀତିକୁ ବିବାଦ ଘେରକୁ ଆଣିଛି । ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ୨୦ଟି ଦିନିକିଆ ଖେଳି ୧୨ଟିରେ ବିଜୟ ଓ ୭ଟିରେ ପରାଜୟ ବରଣ କରିଛି ଓ ଗୋଟିଏ ମ୍ୟାଚ୍ ଟାଇ ରହିଛି । ତାଙ୍କ ପ୍ରଶିକ୍ଷଣରେ ଭାରତ ୧୯ଟି ଟେଷ୍ଟ୍ ମ୍ୟାଚ ଖେଳି ମାତ୍ର ୭ଟିରେ ବିଜୟ ହାସଲ କରିଥିବାବେଳେ ୧୦ଟିରେ ପରାଜୟ ବରଣ କରିଛି ଓ ୨ଟି ଡ୍ର’ ହୋଇଛି । ତାଙ୍କ ପ୍ରଶିକ୍ଷଣରେ ଭାରତ ମୋଟ ଉପରେ ୫୫ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ମାତ୍ର ୩୫ଟିରେ ବିଜୟୀ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/gautam-gambhir-2026-01-22-14-54-34.jpg)