କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ କୋଚ ଗୌତମ ଗମ୍ଭୀରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଚର୍ଚ୍ଚା ହେଉଛି । ଏପରିକି ଭାରତୀୟ ଟେଷ୍ଟ ଟିମର କୋଚ୍ ଭାବେ ଆଉ ନଜର ନଆସିପାରନ୍ତି ଗମ୍ଭୀର ବୋଲି ଏକ ରିପୋର୍ଟ ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଛି । ଯାହାକୁ ନେଇ କ୍ରିକେଟ ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ ଦକ୍ଷିଣ ଆଫ୍ରିକାଠାରୁ ଅତି ଲଜ୍ଜାଜନକ ଭାବେ ଟିମ୍‌ ଇଣ୍ଡିଆ ସିରିଜ ହାରିବା ପରେ ପରେ ପୂର୍ବତନ ବ୍ୟାଟର୍‌ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ବିସିସିଆଇ ଯୋଗାଯୋଗ କରିଛି । ଏପରିକି ତାଙ୍କୁ ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ କୋଚ୍ କରିବାକୁ ବିସିସିଆଇ ଚାହୁଥିବା ଜଣାପଡ଼ିଛି । ଲକ୍ଷ୍ମଣ ଯଦି ସବୁଜ ସଙ୍କେତ ଦିଅନ୍ତି, ତାହେଲେ ଗମ୍ଭୀରଙ୍କ ଟେଷ୍ଟ୍‌ କୋଚ୍ କାର୍ଯ୍ୟକାଳ ଆଗୁଆ ଶେଷ ହୋଇପାରେ । କିନ୍ତୁ ଗମ୍ଭୀର ଦିନିକିଆ‌ ଏବଂ ଟ୍ବେଣ୍ଟି-୨୦ ଦଳର କୋଚ୍ ରହିବେ । ଏବେ ସବୁକିଛି କେବଳ ଲକ୍ଷ୍ମଣଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । 

Advertisment

ବେଙ୍ଗାଲୁରୁସ୍ଥିତ ବିସିସିଆଇ ପାରଦର୍ଶୀ କେନ୍ଦ୍ରର ମୁଖ୍ୟ ଥିବା ଲକ୍ଷ୍ମଣ, ଭାରତୀୟ ଟେଷ୍ଟ୍‌ ଦଳର ପୂର୍ଣ୍ଣକାଳୀନ କୋଚ୍ ହେବା ସପକ୍ଷରେ ନଥିବା ଅନ୍ୟ ଏକ ରିପୋର୍ଟ ଦାବି କରୁଛି । ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ସୀମିତ ଓଭର କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛି । ହେଲେ ଟେଷ୍ଟ୍‌ କ୍ରିକେଟ୍‌ରେ ସେନା ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ) ବିପକ୍ଷରେ ୧୦ଟି ମ୍ୟାଚ୍‌ ହାରି ସାରିଲାଣି ଟିମ୍ ଇଣ୍ଡିଆ । ଯାହା ବିସିସିଆଇକୁ ‘ଗମ୍ଭୀର’ ଭାବେ ଚିନ୍ତା କରିବାକୁ ବାଧ୍ୟ କରିଛି । 

ଅଧିକ ପଢ଼ନ୍ତୁ---କିଙ୍ଗ୍ କୋହଲି ଅନ୍ ଫାୟାର୍ .. ପ୍ରଶ୍ନ ନୁହେଁ ଆଉ କେତେ ବର୍ଷ ଖେଳିବେ? ପ୍ରଶ୍ନ , କିଏ ତାଙ୍କୁ ଖେଳିବାରୁ ଅଟକାଇବ?

ବଡ଼କଥା ହେଉଛି ଯେ ଗମ୍ଭୀରଙ୍କ କାର୍ଯ୍ୟକାଳ ୨୦୨୭ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ପରେ ଶେଷ ହେବାର ଅଛି । ହେଲେ ତାଙ୍କ ଟେଷ୍ଟ କୋଚ୍ କ୍ୟାରିୟର ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ପାଇଁ ଅବଶିଷ୍ଟ ୯ଟି ଟେଷ୍ଟ୍‌ ଫୈସଲା କରିବ । ଏହି ଟେଷ୍ଟ୍‌ ଗୁଡ଼ିକରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କଲେ ବିସିସିଆଇ ତାଙ୍କୁ ହଟାଇବା ଯୋଜନାରୁ ଓହରି ଯାଇପାରେ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି । କାରଣ ଗମ୍ଭୀରଙ୍କୁ ମଧ୍ୟ ବିସିସିଆଇର ଏକ କ୍ଷମତାଶାଳୀ ଗୋଷ୍ଠୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି । ଅବଶ୍ୟ ଭାରତୀୟ ଡ୍ରେସିଂ ରୁମ୍‌ରେ ଆଉ ଆଗଭଳି ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ନଥିବା ଅନେକ ସମୟରେ ଚର୍ଚ୍ଚାକୁ ଆସିଛି ।