କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ଖେଳାଳି ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି । ସେ ହେଲେ ଅଭିଷେକ ଶର୍ମା । ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା ଯିଏ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ ହଇଚଇ ସୃଷ୍ଟି କରିଥିଲେ, ଏବେ ଟି-୨୦ ବିଶ୍ୱକପ୍ ମଞ୍ଚରେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି । ଯେଉଁ ଖେଳାଳିଙ୍କୁ ଦେଖି ବିରୋଧୀ ଦଳର ବୋଲରମାନେ ଭୟରେ ପାଣି ପିଉଥିଲେ, ଆଜି ସେହି ଖେଳାଳି ରନ୍ ପାଇଁ ସଂଘର୍ଷ କରୁଛନ୍ତି । ଟି-୨୦ ବିଶ୍ୱକପ୍ରେ ଅଭିଷେକଙ୍କ 'ଡକ୍' ବା ଶୂନରେ ଆଉଟ୍ ହେବାର ହ୍ୟାଟ୍ରିକ୍ ସମଗ୍ର କ୍ରିକେଟ ଜଗତକୁ ଆଶ୍ଚର୍ଯ୍ୟ କରିଦେଇଛି । ଗ୍ରୁପ୍ ପର୍ଯ୍ୟାୟରେ ସେ ଗୋଟିଏ ବି ରନ୍ କରିନଥିଲେ ଏବଂ ୩ ଟି ମ୍ୟାଚରେ ଶୂନ ରନରେ ଆଉଟ୍ ହୋଇଥିଲେ । ଅଭିଷେକଙ୍କ ଉପରେ କ୍ରିକେଟପ୍ରେମୀଙ୍କ ଆଶା ଥିଲା ଯେ ସେ କ୍ରିକେଟର ଏକ ବଡ଼ ଇନିଂସ ଖେଳିବେ କିନ୍ତୁ ତାଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ କିଛି ଆଖିଦୃଶିଆ ପ୍ରଦର୍ଶନ କରିପାରିନାହିଁ । ସୁପର ୮ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ଅହମ୍ମଦାବାଦରେ ବ୍ୟାପକ ଅଭ୍ୟାସ କରିଥିଲେ ମଧ୍ୟ ଲଗାତାର ବିଫଳତା ପରେ ଅଭିଷେକଙ୍କ ଆତ୍ମବିଶ୍ୱାସ କମିଥିବାର ଲକ୍ଷ୍ୟ କରାଯାଉଛି । କ୍ରମାଗତ ତିନୋଟି ମ୍ୟାଚରେ ଶୂନରେ ଆଉଟ୍ ହେବା ଜଣେ ଯୁବ ଖେଳାଳିଙ୍କ ମନୋବଳ ଉପରେ ଏକ ବଡ଼ ଆଘାତ ପକାଇଲା ଭଳି ପ୍ରତିତ ହେଉଛି । ତେବେ ଏଭଳି ଅସୁବିଧା ସମୟରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ଅଭିଷେକଙ୍କ ପାଇଁ ମାର୍ଗଦର୍ଶକର କାମ କରିଥିବା କଥା କୁହାଯାଉଛି । ଗମ୍ଭୀର ପଡ଼ିଆରେ ଅଭିଷେକଙ୍କୁ ବିଶେଷ ଗୁରୁମନ୍ତ୍ର ଦେଉଥିବାର ନଜର ଆସିଛନ୍ତି ।
ଗମ୍ଭୀର ICC ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ନିରନ୍ତର ରନ୍ ସ୍କୋର କରିଆସିଛନ୍ତି । ୨୦୦୭ରେ ସେ ଟି୨୦ ବିଶ୍ୱକପ୍ ଏବଂ ୨୦୧୧ ୱାନଡେ ୱାର୍ଲଡ କପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ହେଡ୍ କୋଚ୍ ରୂପରେ ସେ ନିଜ ଅଭିଜ୍ଞତା ଯୁବ ଖେଳାଳିଙ୍କୁ ବାଣ୍ଟୁଛନ୍ତି ଏବଂ ସେମାନଙ୍କ ମନୋବଳ ବଢ଼ାଉଛନ୍ତି । ତେବେ ବାରମ୍ବାର ବିଫଳତା ପରେ ଅଭିଷେକଙ୍କୁ ଏବେ ସୁପର୍ ୮ ରେ ଭଲ ପ୍ରଦର୍ଶନ କରିବାର ଆଶା କରାଯାଉଛି । ଗମ୍ଭୀର ମଧ୍ୟ ଏହା ଚାହାନ୍ତି ଏବଂ ସେଥିପାଇଁ ସେ ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭିଷେକଙ୍କ କ୍ଲାସ୍ ଲଗାଇଥିବାର ନଜର ଆସିଥିଲେ । ବର୍ତ୍ତମାନ ସୋସିଆଲ୍ ମିଡିଆରେ ଗମ୍ଭୀର ଏବଂ ଅଭିଷେକଙ୍କ କିଛି ଫଟୋ ଭାଇରାଲ୍ ହେଉଛି ଯେଉଁଥିରେ ଦୁହେଁ ଷ୍ଟାଡିୟମରେ କଥାବାର୍ତ୍ତା ହେଉଥିବାର ନଜର ଆସୁଛନ୍ତି । ଦୁହିଁଙ୍କ ଭିତରେ ଲମ୍ବା ଚର୍ଚ୍ଚା ହେଉଥିବା କଥା କୁହାଯାଉଛି । ଏହି ଫଟୋକୁ ଦେଖି ଅଭିଷେକଙ୍କ ସହ ଗମ୍ଭୀର ନିଜ ଅଭିଜ୍ଞତା କଥା ଚର୍ଚ୍ଚା କରୁଥିବାର ବୋଲି ଅନୁମାନ କରୁଛନ୍ତି କ୍ରିକେଟପ୍ରେମୀ । ତେବେ ଗମ୍ଭୀରଙ୍କ ଗୁରୁମନ୍ତ୍ରର ପ୍ରଭାବ ଅଭିଷେକଙ୍କ ଉପରେ କେତେ ପଡ଼ିବ ତାହା ସମୟ ହିଁ କହିବ । କ୍ରିକେଟପ୍ରେମୀ ମଧ୍ୟ ଅଭିଷେକ କମବ୍ୟାକ୍ କୁ ଚାତକ ପରି ଚାହିଁ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/23/abhisek-2026-02-23-19-14-24.jpg)