Ganga Photograph: (KanakNews)
କନକ ବ୍ୟୁରୋ : ଲତା ଦିଦିଙ୍କ ରାମ ତେରି ଗଙ୍ଗା ମେଲି ଗୀତଟି ଯେବେ ବି କାନରେ ବାଜେ ଆଖି ଆଗକୁ ଆସିଯାଏ ଆମ ପବିତ୍ର ଗଙ୍ଗା ନଦୀର ଚିତ୍ର । ଅଥଳ ଜଳ ରାଶିରେ ସାରା ଭାରତର ଶୋଷ ମେଣ୍ଟାଉଥିବା ସେ ନଦୀ ମା’ର ମୁହଁ । ଭାରତରେ ପ୍ରତିଟି ନଦୀ ପୂଜା ପାଉଥିଲେ ହେଁ ଗଙ୍ଗାନଦୀକୁ ମାତା ବୋଲି ସମ୍ବୋଧନ କରାଯାଏ । କାରଣ ପୁରାଣରେ ବର୍ଣ୍ଣିତ ମା’ ଗଙ୍ଗା ପବିତ୍ରତାର ଅନ୍ୟତମ । ଗଙ୍ଗା କେବଳ ନଦୀ ନୁହେଁ ବରଂ ବିଶ୍ବାସର ପ୍ରତୀକ । ଲୋକଙ୍କ ପାପକୁ ପିଇ ଯାଉଥିବା ଗଙ୍ଗାନଦୀ.. ଏବେ କିନ୍ତୁ ନିଜ ଆଖିରୁ ନିଜ ଲୁହ ପିଉଛି ।
ଆଗକୁ ପଢ଼ନ୍ତୁ : ମହଙ୍ଗା ରାସ୍ତାରେ ଚାଲିବେ ଶେଖ୍ : ତିଆରି ହେବ ‘ସୁନାର ସଡ଼କ’ ! ବିଶ୍ବ ଦେଖିବ ଦୁବାଇର କମାଲ୍
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଝଡ଼ ପରି ଭାଇରାଲ୍ ହେଉଛି । ଯେଉଁଥିରେ ପବିତ୍ରତାର ପ୍ରତିକ ଗଙ୍ଗାନଦୀକୁ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟିକୋଣରେ ଦେଖାଯାଉଛି । ପ୍ରସିଦ୍ଧ ବ୍ରିଟିଶ ଜୀବବିଜ୍ଞାନୀ ଏବଂ ରିଭର ମନଷ୍ଟର୍ସ ଶୋ'ର ହୋଷ୍ଟ ଜେରେମି ୱେଡ ଗଙ୍ଗା ଜଳ ଉପରେ ଏକ ସରଳ ବୈଜ୍ଞାନିକ ପରୀକ୍ଷଣ କରିଥିଲେ ଯାହା ଏବେ ଇଣ୍ଟରନେଟରେ ଆଲୋଚନାର ବିଷୟ ପାଲଟିଛି । ଜେରେମି ୱେଡ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଯାହା ପରେ ଲକ୍ଷ ଲକ୍ଷ ଲୋକ ଭିଡିଓକୁ ଦେଖିଛନ୍ତି ଏବଂ ଏହା ଉପରେ ନିଜର ମତାମତ ବି ଦେଇଛନ୍ତି । ଭିଡିଓରେ ଜେରେମି ଏକ ରାସାୟନିକ-ଭିତ୍ତିକ ଗଙ୍ଗାଜଳ ପରୀକ୍ଷା କରୁଥିବାର ନଜର ଆସୁଛନ୍ତି । ସେ ବ୍ୟାଖ୍ୟା କରିଛନ୍ତି ଯେ ଯଦି ଗଙ୍ଗା ପାଣି ଗୋଲାପୀ ହୋଇଯାଏ ତେବେ ଏହାକୁ ସଫା ବୋଲି କୁହାଯିବ । ସେ ପ୍ରଥମେ ମିନେରାଲ୍ ୱାଟର୍ ପରୀକ୍ଷା କରନ୍ତି ଯାହା ସଠିକ୍ ରଙ୍ଗ ଦେଖାଏ ।
ପରେ ସେ ଗଙ୍ଗା ଜଳ ପରୀକ୍ଷା କରିଥିଲେ ଯାହା ହାଲୁକା ବାଦାମୀ ରଙ୍ଗର ଦେଖାଯାଏ । ୱେଡ୍ ଭିଡିଓରେ କହିଛନ୍ତି ଯେ ଏଭଳି ହେବା ପଛରେ କାରଣ ହେଉଛି ପାଣିରେ ମଳ କୋଲିଫର୍ମ ଜୀବାଣୁ ଅର୍ଥାତ୍ ଗଙ୍ଗାଜଳରେ ମାନବ ମଳର ଉପସ୍ଥିତି ଥିବାରୁ ପରୀକ୍ଷାରୁ ଜଣା ପଡ଼ିଥିଲା । ଜେରେମି ୱେଡ୍ ସ୍ୱୀକାର କରିଛନ୍ତି ଯେ ଗଙ୍ଗାର ପ୍ରଦୂଷଣ ବିଷୟରେ ଆଲୋଚନା କରିବା ଅନେକଙ୍କ ପାଇଁ ଆପତ୍ତିଜନକ ହୋଇପାରେ । ଭିଡିଓରେ ସେ ଜଣେ ସାଧୁଙ୍କ ସହିତ ସ୍ନାନ କରୁଥିବାର ମଧ୍ୟ ଦେଖାଯାଉଛନ୍ତି । କିନ୍ତୁ ପବିତ୍ରର ପ୍ରତିକ ଗଙ୍ଗାପାଣିକୁ ଏହି ବିଦେଶୀ ଜଣକ ପିଇବାକୁ ମନା କରୁଛନ୍ତି ଏବଂ ମଜାରେ କହୁଛନ୍ତି ଗଙ୍ଗାପାଣି ପିଇଲେ ମୁଁ ଅସୁସ୍ଥ ହେବିନି କିଏ କହିପାରିବ ? ଖାଲି ଏତିକି ନୁହେଁ କାନପୁରର ଗଙ୍ଗା ନଦୀ କୂଳରେ ଥିବା ସହ ସହ ଚମଡ଼ା କାରଖାନାର ୱେଷ୍ଟ୍ ପାଣି ବାହାରି ଗୋଟିଏ ଜାଗାରେ ଏକତ୍ରିତ ହେବା ଏବଂ ସେହିଠାରୁ ପାଣି ମୋଟା ପାଇପରେ ସିଧା ଗଙ୍ଗାନଦୀରେ ମିଶିବାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ ଜେରେମି । ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା । କିଛି ଲୋକ ଏହାକୁ ଅନ୍ଧ ବିଶ୍ବାସ ବୋଲି କହିଥିଲେ ତ ଅନ୍ୟମାନେ ଗଙ୍ଗା ସଫା କରିବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଉପରେ ଚିନ୍ତା ପ୍ରକାଶ କରିଥିଲେ । କିଛି ଲୋକ କହିଛନ୍ତି ଯେ ଆମେ ନଦୀକୁ ଦେବୀ ମାନୁଛୁ କିନ୍ତୁ ଏହାକୁ ସୁରକ୍ଷା ଦେବାକୁ ଭୁଲିଯାଉ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଗଙ୍ଗା ଆଖିରୁ କେବେ ଶୁଖିବ ଲୁହ ? ହଜାର ହଜାର ଶ୍ରଦ୍ଧାଳୁ କୁମ୍ଭମେଳା ,ମହାକୁମ୍ଭମେଳା ବେଳେ ସଙ୍ଗମରେ ବୁଡ଼ ପକାଉଛନ୍ତି ଏହା ତାଙ୍କ ଜୀବନ ପାଇଁ ବିପଦ ହେବନି ତ ? ପାପ ଧୋଇ ଧୋଇ କ’ଣ ନିଜେ ବିଷାକ୍ତ ହୋଇଗଲାଣି ଗଙ୍ଗା ?
Follow Us