gautam gambhir Photograph: (Kanak News)
କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀଙ୍କ ଏକ ବୟାନ ଏବେ କ୍ରିକେଟ ଜଗତରେ ନୂଆ ବିବାଦ ସୃଷ୍ଟି କରିଛି । ତିୱାରୀଙ୍କ ଅନୁଯାୟୀ, ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତିୱାରୀ କହିଛନ୍ତି ଯେ, ଏହି ନିଷ୍ପତ୍ତି ସିଧାସଳଖ ନିଆଯାଇ ନଥିଲା, ବରଂ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ ଉପରେ ପ୍ରଭାବ ପକାଇ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା ।
ଗତ ବର୍ଷ ଅକ୍ଟୋବରରେ ଯେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଥିଲା, ସେତେବେଳେ ରୋହିତ ଶର୍ମାଙ୍କ ସ୍ଥାନରେ ଶୁବମନ ଗିଲଙ୍କୁ ନୂଆ ଅଧିନାୟକ କରାଯାଇଥିଲା । ଏହି ନିଷ୍ପତ୍ତି ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା, କାରଣ ରୋହିତ ଦିନିକିଆରେ ଚମତ୍କାର ଫର୍ମରେ ଥିଲେ ଏବଂ ୨୦୨୭ ବିଶ୍ୱକପକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରୁଥିଲେ ।
ମନୋଜ ତିୱାରୀ ଭାରତ ପାଇଁ ୧୨ଟି ଦିନିକିଆ ମ୍ୟାଚରେ ୨୮୭ ରନ୍ ଏବଂ ୩ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୧୫ ରନ୍ ସଂଗ୍ରହ କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି, "ଅଜିତ ଅଗରକର ଜଣେ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଏବଂ ସେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ । କିନ୍ତୁ ଏତେ ବଡ଼ ନିଷ୍ପତ୍ତି ଏକାକୀ ନିଆଯାଇ ନଥାଏ । ପରଦା ପଛରେ ଅନେକ କିଛି ଘଟେ । ଏଥିରେ କୋଚଙ୍କ ପରାମର୍ଶ ନିଶ୍ଚିତ ଭାବେ ରହିଥିବ ।"
ଆହୁରି ପଢ଼ନ୍ତୁ... ଆରମ୍ଭ ହେଲା ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ୍, ଉଦଘାଟନୀ ମ୍ୟାଚରେ କାନାରା ବ୍ୟାଙ୍କ ବିଜୟୀ
ରୋହିତ ଶର୍ମାଙ୍କୁ ହଟାଇବାର ନିଷ୍ପତ୍ତି କେବଳ ଚୟନ କମିଟିର ଥିଲା ବୋଲି ତିୱାରୀଙ୍କର ସନ୍ଦେହ ରହିଛି । ସେ କହିଛନ୍ତି ଯେ ଏଥିରେ ଗୌତମ ଗମ୍ଭୀରଙ୍କ ଦୃଷ୍ଟିକୋଣ ସାମିଲ ଥାଇପାରେ । ତିୱାରୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଅଧିନାୟକ ପଦରୁ ହଟିବା ପରେ ରୋହିତଙ୍କର ଦିନିକିଆ କ୍ରିକେଟ୍ ପ୍ରତି ଆଗ୍ରହ କମିଯାଇଛି । ସେ ଆଉ ପୂର୍ବ ପରି ପଡ଼ିଆରେ ସେତେଟା ସକ୍ରିୟ ବା ଉତ୍ସାହିତ ଦେଖାଯାଉନାହାଁନ୍ତି ।
ତିୱାରୀ ଆହୁରି ମଧ୍ୟ କହିଛନ୍ତି, "ମୁଁ ରୋହିତଙ୍କ ସହ ଖେଳିଛି। ତାଙ୍କୁ ଏପରି ଭାବେ ହଟାଯିବା ଅତ୍ୟନ୍ତ ଅପମାନଜନକ ମନେହେଲା । ଏତେ ବଡ଼ ଖେଳାଳିଙ୍କ ସହ ଏଭଳି ବ୍ୟବହାର କରାଯିବା ଉଚିତ ନଥିଲା ।" ରୋହିତଙ୍କ ନେତୃତ୍ୱ ଓ ପ୍ରଦର୍ଶନକୁ ସମର୍ଥନ କରି ସେ କହିଛନ୍ତି ଯେ ରୋହିତ ଜଣେ ଅଭିଜ୍ଞ ଅଧିନାୟକ ଏବଂ ତାଙ୍କୁ ହଟାଇବା ପଛରେ କୌଣସି କ୍ରିକେଟିଂ ଯୁକ୍ତି ନଥିଲା।
ମନୋଜ ତିୱାରୀଙ୍କ ଅନୁଯାୟୀ, ରୋହିତ ଶର୍ମା ଅଧିନାୟକ ଭାବେ ଦୁଇଟି ଆଇସିସି ଟ୍ରଫି ଜିତିଛନ୍ତି । ୨୦୨୩ ବିଶ୍ୱକପ୍ ଫାଇନାଲରେ ମଧ୍ୟ ଭାରତ ଜିତିପାରିଥାନ୍ତା । ତିୱାରୀ ବିଶ୍ୱାସ କରନ୍ତି ଯେ ରୋହିତଙ୍କ ଦକ୍ଷତା ଉପରେ ସନ୍ଦେହ କରିବା ଭୁଲ୍ ଥିଲା ଏବଂ ସେ ୨୦୨୭ ପର୍ଯ୍ୟନ୍ତ ଖେଳିବା ସମ୍ପୂର୍ଣ୍ଣ ସମ୍ଭବ । ଯଦି ଜଣେ ଯୁବ ଖେଳାଳିଙ୍କୁ ଅଧିନାୟକତ୍ୱ ଦେବାର ଥିଲା, ତେବେ ଏହି ପ୍ରକ୍ରିୟାକୁ ଧୀରେ ଧୀରେ ଏବଂ ସମ୍ମାନଜନକ ଭାବେ କରାଯାଇ ପାରିଥାନ୍ତା ।
ତିୱାରୀଙ୍କ ଏହି ଅଭିଯୋଗ ଉପରେ ଏପର୍ଯ୍ୟନ୍ତ ବିସିସିଆଇ, ଅଜିତ ଅଗରକର କିମ୍ବା ଗୌତମ ଗମ୍ଭୀରଙ୍କ ପକ୍ଷରୁ କୌଣସି ଆଧିକାରିକ ବୟାନ ଆସିନାହିଁ । ତଥାପି, ତିୱାରୀଙ୍କ ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
Follow Us