କନକବ୍ୟୁରୋ : ଆମେରିକା ଭଳି ଦେଶରେ ସ୍କୁଲ ପିଲାଙ୍କ ପାଖରୁ ବନ୍ଧୁକ ଜବତ ହେବା  ଖବର ଆପଣମାନେ ଶୁଣିଥିବେ । ସେମିତି ଏକ ଘଟଣା ଘଟିଛି ଓଡ଼ିଶାରେ । ନବମ ଶ୍ରେଣୀ ଛାତ୍ରର ସ୍କୁଲ ବ୍ୟାଗରୁ ଜବତ ହୋଇଛି ବନ୍ଧୁକ ।  ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।  ଏଥିସହ ରାଜ୍ୟରେ ନିଇତି ବନ୍ଧୁକ ଜବତ ହେବା ଖବର ଚିନ୍ତାର କାରଣ ହୋଇଛି । ଏହାକୁ ରୋକିବା  ବି  ପୁଲିସ ପାଇଁ ବଡ ଆହ୍ବାନ ପାଲଟିଛି

Advertisment

ଅଧିକ ପଢନ୍ତୁ... ଦୂର ହେବ ଚାଷୀଙ୍କ ଦୁଃଖ : ଖର୍ଚ୍ଚ ହେବ ୨୫୨ କୋଟି

ଏହି ଖବର  ସିନେମାର କାହାଣୀ ଭଳି ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ  ।    ଏକଦା ଗ୍ୟାଙ୍ଗଷ୍ଟରଙ୍କ ଗୁଳିର ଗର୍ଜନରେ କମ୍ପୁଥିବା କେନ୍ଦ୍ରାପଡା ଜିଲ୍ଲାରୁ ଆସିଛି ଏହି ଖବର  ।   ଗରଦପୁର ବ୍ଲକ କୁଦାନଗରୀ  ଥାନା ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ର ବ୍ୟାଗରେ ବନ୍ଧୁକ ନେଇ ସ୍କୁଲ ଯାଇଥିବା ପୁଲିସକୁ ଖବର ଦେଇଥିଲେ ଶିକ୍ଷକ  ।   ପୁଲିସ୍ ସ୍କୁଲକୁ ଯାଇ ସେହି ଛାତ୍ରଙ୍କ ନିକଟରୁ ଜବତ କରିଛି ବନ୍ଧୁକ  । 

 ଏ ହେଉଛି ସେହି ବନ୍ଧୁକ, ଯାହାକୁ ଜବତ କରି ଫରେନସିକ୍ ଟେଷ୍ଟ ପାଇଁ ପଠାଇ ଦେଇଛି ପୁଲିସ୍ ।  ଏଥିସହ ସମ୍ପୃକ୍ତ ଛାତ୍ରକୁ ପଚରାଉଚୁରା କରିବା ପରେ ସ୍ବଧାର ଗୃହରେ ରଖାଯାଇଛି । ବନ୍ଧୁକ କେଉଁଠୁ ଆସିଲା ସେ ନେଇ ଅଧିକ ଖୋଳତାଡ କରୁଛି ।   ସ୍କୁଲ ଛାତ୍ରଙ୍କ ନିକଟରୁ ବନ୍ଧୁକ ମିଳିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।   ତେବେ କେବଳ ଏହି ଘଟଣା ନୁହେଁ ଚଳିତ ବର୍ଷ ରାଜ୍ୟରୁ ଯେତିକି ବନ୍ଧୁକ ଜବତ ହେଲାଣି ତାହା ଚିନ୍ତାଜନକ  ।   ଗତ ମାର୍ଚ୍ଚ ମାସରେ କଟକ ବୟାଳିଶ ମୌଜାରୁ ବନ୍ଧୁକ କାରଖାନା ଠାବ ହୋଇଥିଲା  ।  ତାପରେ ନୟାଗଡ଼ରୁ ବନ୍ଧୁକ କାରଖାନା ଠାବ ହୋଇଛି  ।   ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁରରୁ ଅପରାଧୀଙ୍କଠାରୁ ପୁଳା ପୁଳା ବନ୍ଧୁକ ଜବତ ହୋଇଛି ।  ଯାହାକି ଦର୍ଶାଉଛି ରାଜ୍ୟରେ କେମିତି ଚାଲିଛି ବନ୍ଧୁକ କାରବାର ।