କନକବ୍ୟୁରୋ : ଝାଳବୁହା ପରିଶ୍ରମ କରି ଚାଷୀ ଚାଷ କରେ, କିନ୍ତୁ ଅନେକ ସମୟରେ ପାଏନାହିଁ ତାର ପାଉଣା ।  ଅଧିକ ଉତ୍ପାଦନ ବେଳକୁ ବଜାରରେ ନଥାଏ ଚାହିଦା । ଶେଷରେ ହତାଶ ହୋଇ ସ୍ବଳ୍ପ ଦରରେ ବିକ୍ରି କରିବାକୁ ବାଧ୍ୟ ହୁଏ। କାରଣ ନିଜର ଉତ୍ପାଦିତ ପନି ପରିବା ବା ଅନ୍ୟ ଉତ୍ପାଦକୁ ସାଇତି ରଖିବା ପାଇଁ ଚାଷୀ ପାଖରେ ନଥାଏ ଶୀତଳ ଭଣ୍ଡାରର ସୁବିଧା ।  କିନ୍ତୁ ରାଜ୍ୟ ସରକାରଙ୍କର ଶୀତଳ ଭଣ୍ଡାର ନୀତି ବଦଳାଉଛି ପୁରୁଣା ଚିତ୍ର । 

Advertisment

ରାଜ୍ୟରେ ନାହିଁ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର। ଚାଷୀ ଚାଷ କରୁଛନ୍ତି ସତ କିନ୍ତୁ ଶୀତଳ ଭଣ୍ଡାରର ଅଭାବ ଥିବାରୁ କ୍ଷତି ସହୁଛନ୍ତି ।  ପଡୋଶୀ ରାଜ୍ୟ ଉପରେ ନିର୍ଭର ରହୁଥିବାରୁ ଅନେକ ରାଜ୍ୟ ନିଜ ମନମୁଖି ଚଳାଇ ଆସୁଛନ୍ତି ।  ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ନୂତନ ଶୀତଳ ଭଣ୍ଡାର ନୀତି ଦୂର କରିବ ହଜାର ହଜାର ଚାଷୀଙ୍କ ଦୁଖ ।  ଶୀତଳ ଭଣ୍ଡାର ପାଇଁ ରାଜ୍ୟ ସରକାର ୨୫୨ କୋଟି ଟଙ୍କାର ବଜେଟ କରିଛନ୍ତି  ।  

ଅଧିକ ପଢନ୍ତୁ... ଭୁଶୁଡ଼ିଗଲାଣି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା : ନାହାନ୍ତି ଶିକ୍ଷକ, ନାହିଁ ଭିତ୍ତିଭୂମି

ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସାଢେ ୬ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଉଛନ୍ତି ସରକାର ।   କେବଳ ଏତିକି ନୁହଁ ବିଦ୍ୟୁତ ଶୁଳ୍କର ୫୦ପ୍ରତିଶତ ବି ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମହିଳା ଉଦ୍ୟୋଗୀ ବା ଅନୁସୂଚିତ ଜନଜାତି ଓ ଆଦିବାସୀ ବର୍ଗରୁ କେହି ଶୀତଳ ଭଣ୍ଡାର ପାଇଁ ଆବେଦନ କଲେ ମିଳୁଛି ଅନେକ ସରକାରୀ ସୁବିଧା।  ଶୀତଳ ଭଣ୍ଡାର ପାଇଁ ଅନେକ ମହିଳା ଉଦ୍ୟୋଗୀ ଏବେ ଆଗକୁ ଆସିଛନ୍ତି   ।  

ନିମାପଡାର ସୋନାଲି ବରାଳ ବି ସେମାନଙ୍କ ମଧ୍ୟରୁ ଜଣେ। ସୋନାଲିଙ୍କ ପରିବାର ବହୁ ବର୍ଷ ଧରି ଫଳ ବ୍ୟବସାୟ ସହ ପୁରୁଣା ଶୀତଳ ଭଣ୍ଡାର ପରିଚାଳନା କରିଆସୁଛନ୍ତି ।  ଏବେ ପୁଣି ଥରେ ସରକାରୀ ପ୍ରୋତ୍ସାହନ ପାଇ ଆଉ ଏକ ଶୀତଳ ଭଣ୍ଡାର ନିର୍ମାଣ କରୁଛନ୍ତି  । 

ରାଜ୍ୟ ସରକାରଙ୍କ ଗୋ ସୁଦମ ପୋର୍ଟାଲରେ ଯେକୌଣସି ବ୍ୟକ୍ତି ଶୀତଳ ଭଣ୍ଡାର ପାଇଁ ଆବେଦନ କରିପାରିବେ ।  ତେବେ ଶୀତଳ ଭଣ୍ଡାର ପାଇଁ କେବଳ ପ୍ରୋତ୍ସାହନ ରାଶି ନୁହଁ ବ୍ୟାଙ୍କ ଋଣ ସହ ଶୀତଳ ଭଣ୍ଡାର ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇବାରେ ବି ସରକାର ସହଯୋଗର ହାତ ବଢାଇବେ ।  ଭୁବନେଶ୍ବରରେ ଆୟୋଜିତ ଶୀତଳ ଭଣ୍ଡାର କନକ୍ଲେଭରେ ଏଭଲି ପ୍ରତିଶୃତି ଦେଇଛନ୍ତି ରାଜ୍ୟ ସରକାର ।