କନକ ବ୍ୟୁରୋ: କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କ ମନ୍ଦିରରେ କେବେ ବିଶୃଙ୍ଖଳା ତ କେବେ ନୀତିକାନ୍ତିକୁ ନେଇ ଖବର ଆସେ । କିନ୍ତୁ ଯେଉଁ ମନ୍ଦିର ଭିତରେ ପାଦ ପଡ଼ିଗଲେ ମହ ମହ ଧୂପ ଚନ୍ଦନ ବାସ୍ନା ମନକୁ ମନ୍ତ୍ରମୁଗ୍ଧ କରେ ଆଜି ସେଠି ଭକ୍ତଙ୍କ ନାକରେ ପଶୁଛି ପାନ ଛେପର ବାସ୍ନା, ଆଖି ଆଗକୁ ଆସୁଛି କଦର୍ଯ୍ୟ ମନ୍ଦିର ପ୍ରାଙ୍ଗଣର ଦୃଶ୍ୟ ।  ଅପରିଷ୍କାର ପରିବେଶକୁ ଦେଖି ଚିନ୍ତାପ୍ରକଟ କରିଛନ୍ତି ଭକ୍ତଗଣ । 

Advertisment

ଆମ ଆରାଧ୍ୟଙ୍କ କଳାକୃତିକୁ କଳଙ୍କିତ କରୁଛନ୍ତି କିଛି ବିବେକହୀନ ସେବାୟତ ଆଉ ଭକ୍ତ । ହଁ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଗଲା । ମାତ୍ର ନିର୍ଦ୍ଦେଶ ପାଳନ କରିବା ତ ଦୂରର କଥା, ଉକ୍ତ ବିଜ୍ଞାପନ ବୋର୍ଡକୁ ବି ହଟାଇ ଦିଆଯାଇଛି ଶ୍ରୀ ମନ୍ଦିର ଭିତରୁ । ଯେଉଁଥିପାଇଁ ଶ୍ରୀମନ୍ଦିର ପରିସର କାନ୍ଥରେ ପାନଛେପମୟ ହୋଇଗଲାଣି । ମହାପ୍ରଭୁଙ୍କ ସ୍ନାନବେଦି ଚତୁଃପାର୍ଶ୍ବ, ଚାହାଣି ମଣ୍ଡପ, ମହାପ୍ରସାଦ ସେବନ ମଣ୍ଡପ, କୋଇଲି ବୈକୁଣ୍ଠ ପ୍ରବେଶ କାନ୍ଥ ପାନ ଛେପରେ ବିକୃତ ଦେଖା ଯାଉଛି । ଅମାନିଆଙ୍କୁ ପାନେ ସ୍କ୍ବାର୍ଡ ଗଠନ ହୋଇଥିଲା । ୧ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାର ନିର୍ଦେଶ ରହିଥିଲା । କିନ୍ତୁ ସବୁ ଚେତାବନୀ ଓ ଯୋଜନା ବାବୁମାନଙ୍କ ବଚନ ଏବଂ ଅଫିସରଙ୍କ ଫାଇଲ୍‌ ଭିତରେ କବର ନେଇଯାଇଛି ।

ଅଧିକ ପଢ଼ନ୍ତୁ---ଭୁଶୁଡ଼ିଯିବ କି ଭଦ୍ରକ ବିଜେଡି? ଦୁର୍ବଳ ହେଉଛି ସଙ୍ଗଠନ, ପଦ୍ମ ମୁହାଁ ନେତା

ଚିନ୍ତାର କଥା ହେଉଛି ପାନ, ଗୁଟଖା, ପାଣି ବୋତଲ, ବାହାର ଖାଦ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରାଇ ଦିଆଯାଉନାହିଁ । ତଥାପି ଶ୍ରୀମନ୍ଦିରର କାନ୍ଥବାଡ଼କୁ ପାନଛେପରେ ଲାଲ କରିସାରିଲେଣି । ସେବାୟତ ଠାରୁ ଆରମ୍ଭ କରି ବହୁ ଭକ୍ତ ମଧ୍ୟ ପାନ ଚୋବାଇ ମନ୍ଦିର ଭିତରକୁ ଆସୁଛନ୍ତି । ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ହେଁ ଏହି ନିର୍ଦ୍ଦେଶନାମା ଗୌଣ ହୋଇଯାଇଛି । ଏହା ଏକ ସୁସ୍ଥ ବାତାବରଣ ନୁହେଁ ବୋଲି କହିଛନ୍ତି ଅନେକ ଭକ୍ତ ଆଉ ଶ୍ରଦ୍ଧାଳୁ ।

ବଡ଼କଥା ହେଉଛି କିଛି ସେବାୟତଙ୍କର ଯେତିକି ଭୁଲ ସେତିକି ଭୁଲ କିଛି ଅମାନିଆଙ୍କ ଭକ୍ତରଙ୍କ ମଧ୍ୟ । ହଁ ପାନ ଖାଇବାକୁ କିଏ ମନା କରିନି କିନ୍ତୁ ପାନ ଛେପ କେଉଁଠି ପକାଇବା କଥା ହୁଏତ କାନ୍ଥବାଡ଼ରେ ଲେଖିବା ପରେ ବି ସେଇଠି ପକାଇଛନ୍ତି କିଛି ଅମାନିଆ । କାରଣ ଆମ ପରମ୍ପରା, ଆମ ସଂସ୍କୃତି ଆମ ଧରୋହର ଆଉ ଏହାକୁ ସୁରକ୍ଷିତ ଏବଂ ସ୍ବଚ୍ଛ ରଖିବା ଆମର ଦାୟିତ୍ବ ତେଣୁ ଏ ଖବର ଦେଖିବା ପରେ ଆଶା କରିବା ସେ ବିବେକହୀନ ସେବାୟତଗଣ ଆଉ ଅମାନିଆ ଭକ୍ତମାନେ ସୁଧୁରିଯିବେ ।