କନକ ବ୍ୟୁରୋ : ତାଳଚେରରେ ବାରମ୍ବାର ମାଟି ଧସୁଛି। ୧୦ ବର୍ଷ ଭିତରେ ବିଭିନ୍ନ ସ୍ଥାନରେ ହେଲାଣି ଭୂସ୍ଖଳନ। ଏବେ ପୁଣି ହାଣ୍ଡିଧୂଆଁ ଗାଁରେ ଜମି ଧସିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। କେତେବେଳ କାହା ଘର ମାଟିରେ ମିଶିବ ସେ ନେଇ ଚିନ୍ତାରେ ପଡିଛନ୍ତି। ଆଉ ମାଟି ଧସିବା ପରେ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । 

Advertisment

ବୁଧବାର ସନ୍ଧ୍ୟାରେ ହଠାତ୍ ଏକ ବଡ଼ ଶବ୍ଦ ହେବାସହ ଦବି ଯାଇଥିଲା ମାଟି। ତାଳଚେର ପୌରାଞ୍ଚଳରେ ହାଣ୍ଡିଧୂଆ ପଛ ପାଖରେ ରହିଥିବା ଏକ ଜମିରେ ସୃଷ୍ଟି ହୋଇଥିଲା ୧୦ଫୁଟ ଓସାରର ବିରାଟ ଗର୍ତ୍ତ। ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ଜମି ମାଲିକ ଓ ଆଖପାଖର ଲୋକ। ଏମସିଏଲ୍ ଭୂଗର୍ଭରୁ କୋଇଲା ନେବା ପରେ ମଧ୍ୟ ସଠିକ ଭାବେ ବାଲି ଭର୍ତ୍ତି କରିନଥିବାରୁ ଏଭଳି ପରିସ୍ଥିତ ବାରମ୍ବାର ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି ।

ଅଧିକ ପଢ଼ନ୍ତୁ :   ରେକର୍ଡ ଭାଙ୍ଗୁଛି ଓଡ଼ିଶା; ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ, ତାଳଚେର ଦେଶରେ ସର୍ବାଧିକ ପ୍ରଦୂଷିତ

 ଖବର ପାଇବା ପରେ କ୍ଷଣି ଏମସିଏଲର ତାଳଚେର ଏରିଆ ଖଣି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ବାରିକେଡ କରିଛନ୍ତି। ଏମସିଏଲ୍ କୋଇଲା ଖଣି ପକ୍ଷରୁ କେତେ କୋଇଲା ଉତ୍ତୋଳନ ହେଉଛି ଏହା ପରେ ବାଲିଭର୍ତ୍ତି ହେଉଛି କି ନାହିଁ ସେନେଇ ତଦନ୍ତ ହେବା ଜରୁରୀ ବୋଲି କହିଛନ୍ତି ତାଳଚେର ବିଧାୟତ। ତେବେ ମାଟି ଦବିଥିବା ଅଞ୍ଚଳ ତଳୁ ଅଣ୍ଡର ଗ୍ରାଉଣ୍ଡ ମାଇନିଂ ହୋଇନଥିବା ଯୁକ୍ତି ବାଢ଼ିଛନ୍ତି, ଖଣି ସୁରକ୍ଷା ଅଧିକାରୀ।  ଅନ୍ୟପଟେ ସ୍ଥାନୀୟ ଆରଆଇ ଭିନ୍ନ କଥା କହିଛନ୍ତି ।

 ୧୦ବର୍ଷ ବର୍ଷ ଭିତରେ ୫ଥର ତାଳଚେରରେ ମାଟି ଧସିଲାଣି। ଏହାକୁ ନେଇ ବାରମ୍ବାର ଖବର ପ୍ରସାରଣ କରିଛି କନକ ନ୍ୟୁଜ। MCL କର୍ତୃପକ୍ଷ ଓ ପ୍ରଶାସନିକ ଉଦାସୀନତାକୁ ନେଇ ପ୍ରଶ୍ନ ଉଠିଛି।