କନକ ବ୍ୟୁରୋ : ସାରା ବିଶ୍ୱର କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଟେକ୍ ଜାଏଣ୍ଟ୍ ଗୁଗୁଲ୍ ଏକ ବଡ଼ ସରପ୍ରାଇଜ୍ ଘୋଷଣା କରିଛି । କମ୍ପାନି ପକ୍ଷରୁ କଲେଜ ପିଲାଙ୍କ ପାଇଁ ଜେମିନି ଆପ୍ ପ୍ରୋର ଏକ ବର୍ଷର ମାଗଣା ସବ୍‌ସ୍କ୍ରିପ୍‌ସନ୍‌ ଘୋଷଣା କରାଯାଇଛି । ଏହି ଅଫର ଜରିଆରେ ଛାତ୍ରଛାତ୍ରୀ ବିନା କୌଣସି ଅତିରିକ୍ତ ମୂଲ୍ୟ ଦେଇ ଉନ୍ନତ AI ଟୁଲ୍ସ ବ୍ୟବହାର କରିପାରିବେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧା ୫୬ ଟି ଦେଶରେ ଉପଲବ୍ଧ କରାଯାଇଛି , ଯେଉଁଥିରେ ଭାରତର ନାଁ ନାହିଁ । 

Advertisment

ଦୀପାବଳିରେ ସବୁଠି ପୂଜା ପାଇବେ ମା’ ମହାକାଳୀ ; ଜାଣନ୍ତୁ , ତିନି ଭଉଣୀଙ୍କ ଭିନ୍ନ କାହାଣୀ

ଗୁଗୁଲର ଉପାଧ୍ୟକ୍ଷ ଜୋଶ ଉଡୱାର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଅଫର ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୮ ବର୍ଷ ଏବଂ ତା’ଠାରୁ ଅଧିକ ବୟସର କଲେଜ ଛାତ୍ରଛାତ୍ରୀମାନେ ଏହି ଅଫରର ଲାଭ ଉଠାଇପାରିବେ । କମ୍ପାନିର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ ଏବଂ ଗବେଷଣା ପାଇଁ ଉନ୍ନତ ଡିଜିଟାଲ୍ ଉପକରଣ ପ୍ରଦାନ କରିବା ଯାହାଦ୍ୱାରା ସେମାନଙ୍କର ପାଠପଢ଼ା ଆହୁରି ସହଜ ହେବ । ଜେମିନି ଆପ୍ ପ୍ରୋର ବର୍ଷକର ମାଗଣା ସବସ୍କ୍ରିପସନରେ ଅନେକ ଫିଚର୍ ସାମିଲ ରହିଛି । ଛାତ୍ରଛାତ୍ରୀମାନଙ୍କୁ ଏହି ଫିଚର୍ ଜରିଆରେ ଷ୍ଟଡି ଗାଇଡ୍ ଏବଂ ଫ୍ଲାସକାର୍ଡ ତିଆରି କରିବାରେ ସାହାଯ୍ୟ ହେବ । ଯାହାଦ୍ବାରା ସେମାନେ ଆରାମରେ ଘରେ ବସି ନିଜ ହୋମୱାର୍କ ଏବଂ ପ୍ରୋଜେକ୍ଟ ତିଆରି କରିପାରିବେ । ଏହା ସହିତ ସେମାନଙ୍କୁ 2TB ଗୁଗୁଲ୍ ଷ୍ଟୋରେଜ୍, ଗବେଷଣା ପାଇଁ ନୋଟବୁକ୍ LM ଏବଂ ଭିଡିଓ ତିଆରି ପାଇଁ ଫ୍ଲୋ ବାଇ ଗୁଗୁଲ୍ ଭଳି ମାଗଣା ଟୁଲ୍ସ ମଧ୍ୟ ମିଳିବ । 

ତେବେ ଅନ୍ୟ ୫୬ ଦେଶରେ ଏହି ଅଫର୍ ଲାଗୁ ହୋଇଥିବା ବେଳେ ଭାରତରେ ଏଯାଏଁ ଏହାର ସୁବିଧା କଲେଜ ଛାତ୍ରଛାତ୍ରୀମାନେ ପାଇପାରିନାହାନ୍ତି । କିନ୍ତୁ ଏକ୍ସପର୍ଟଙ୍କ କହିବାନୁସାରେ ଗୁଗୁଲ୍ ଖୁବଶୀଘ୍ର ଭାରତରେ ସମାନ ଶିକ୍ଷାଗତ କାର୍ଯ୍ୟକ୍ରମ ଆରମ୍ଭ କରିପାରେ । କମ୍ପାନି ନିକଟରେ ଭାରତରେ Google One ଦୀପାବଳି ଅଫର୍ ଲଞ୍ଚ କରିଛି । ଏହି ଅଫର୍ ଜରିଆରେ କିଛି ନିର୍ଦ୍ଦିଷ୍ଟ ଏୟାରଟେଲ୍ ପ୍ରିପେଡ୍ ଉପଭୋକ୍ତାମାନଙ୍କୁ 30GB ମାଗଣା , ଗୁଗୁଲ୍ ୱାନ୍ ଷ୍ଟୋରେଜ୍ ମିଳୁଛି । ୟୁଜର୍ସ ଏୟାରଟେଲ୍ ଥ୍ୟାଙ୍କସ୍ ଆପ୍ ମାଧ୍ୟମରେ ଏହି ଅଫର୍ ପାଇପାରିବେ । ତେବେ ଦେଶର ପ୍ରଥମ ଫୁଲ୍-ଷ୍ଟାକ୍ AI ହବ୍ ନିର୍ମାଣ ପାଇଁ କମ୍ପାନୀ ଭାରତୀୟ ବଜାରରେ ୧୫ ବିଲିୟନ ଡଲାର ନିବେଶ ଘୋଷଣା କରିଛି । ଗୁଗୁଲର ଏହି ପଦକ୍ଷେପ ଶିକ୍ଷା ଏବଂ ପ୍ରଯୁକ୍ତିବିଦ୍ୟାକୁ ଯୋଡ଼ିବ ବୋଲି କୁହାଯାଉଛି । ଜେମିନି ଆପ୍ ପ୍ରୋ ସବସ୍କ୍ରିପସନ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାକୁ ସହଜ କରିବ ଏବଂ ଛାତ୍ରଛାତ୍ରୀ ଆଡଭାନ୍ସ AI ଟୁଲ୍ସର ବ୍ୟବହାର ଜାଣିପାରିବେ ।