କନକ ବ୍ୟୁରୋ : ଆସୁଛନ୍ତି ମହାକାଳୀ, ସରିଛି ମା’ ମହାକାଳୀଙ୍କୁ ଆବାହନ ପ୍ରସ୍ତୁତି । ଅପୂର୍ବ ବେଶ ଦର୍ଶନ କରି ଆଶିଷ ଲଭିବାକୁ ପ୍ରତୀକ୍ଷିତ ନେତ୍ରରେ ଚାହିଁ ରହିଛନ୍ତି ଭକ୍ତ । ତିନି ଭଉଣୀଙ୍କ ତିନି ଦୃଷ୍ଟି , ଭଉଣୀ ସମ୍ପର୍କରେ ବନ୍ଧା ତିନି ଦେବୀ । ତନ୍ତ୍ରପୂଜାର ପୀଠ ବୀରଗୋବିନ୍ଦପୁରରେ ମା’ ଦକ୍ଷିଣକାଳୀ, ବୀରପ୍ରତାପପୁରରେ ମା’ କାମରୂପା ଓ ସମଯାଜପୁରରେ ମା’ ଉଗ୍ରତାରାଙ୍କୁ ମୃଣ୍ମୟୀ ରୂପରେ ଆବାହନ ପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଛି । ମୃଣ୍ମୟମୂର୍ତ୍ତିରେ ୩ ଭଉଣୀଙ୍କ ରୂପ ସମାନ । 

Advertisment

ମା’ ଦକ୍ଷିଣକାଳୀ

ବଳିଦୃଷ୍ଟି ମା’ ଦକ୍ଷିଣକାଳୀ...ବୀରଗୋବିନ୍ଦପୁର ଶାସନର ଶେଷ ଭାଗରେ ଅଧିଷ୍ଠିତା ମା’ ଦକ୍ଷିଣକାଳୀଙ୍କୁ ସ୍ବୟଂ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ଅବତାର ଭାବେ ବିଚାର କରାଯାଏ । ଏଠାରେ ନୀତିକାନ୍ତି ମଧ୍ୟ ଶ୍ରୀମନ୍ଦିରର ନୀତିକାନ୍ତି ସହ ସମକକ୍ଷ । ପୂଜକ କାଶୀନାଥ ମିଶ୍ରଙ୍କ ସୂଚନା ମୁତାବକ୧, ୧୬୩୮ ମସିହାରେ ପୁରୀର ତତ୍କାଳୀନ ଗଜପତି ଗୋବିନ୍ଦ ବିଦ୍ୟାଧର ଏହି ବୀରଗୋବିନ୍ଦରପୁର ଶାସନ ପ୍ରତିଷ୍ଠା କରିଥିଲେ । କନୌଜରୁ ବ୍ରାହ୍ମଣ ଅଣାଇ ନୀତିକାନ୍ତି ଖଞ୍ଜାଇଥିଲେ । ମା ପ୍ରଥମେ ବଉଳଗଛରେ ବିଦ୍ୟମାନ ଥିଲେ । ପରେ ଗ୍ରାମର ମହାଜନମାନେ ଚାଳି ଘର ନିର୍ମାଣ କରିଥିଲେ । ପରେ ମନ୍ଦିର ପ୍ରତିଷ୍ଠା ହେଲା । ୧୯୮୨ ମସିହାରେ ଜଣେ ଭକ୍ତଙ୍କ ଦେହରେ ମା’ ବିଜେ କରିବା ପରେ ଯାହା କହିଥିଲେ ତାହା ଘଟିଚାଲିଛି ।

ବୀରଗୋବିନ୍ଦପୁରର ବଳିଦୃଷ୍ଟି ମା’ ଦକ୍ଷିଣକାଳୀ 

କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ବିତୀୟା ତିଥିରେ ଶ୍ମଶାନରୁ ମାଟି ଅନୁକୂଳ ହୁଏ । ପରେ ଆରମ୍ଭ ହୁଏ ମା’ଙ୍କ ମୃଣ୍ମୟ ମୂର୍ତ୍ତି ତିଆରି । ଭୈରବୀ ବେଶରେ ପୂଜା ପାଆନ୍ତି, ରାଜରାଜେଶ୍ବରୀ ବେଶରେ ଦର୍ଶନ ଦିଅନ୍ତି । ଆଜି ନିଶାର୍ଦ୍ଧରେ ମା’ଙ୍କର ସାମ୍ବତ୍ସରିକ ତଥା ଗୁପ୍ତ ପୂଜା, ତନ୍ତ୍ର ପୂଜା ଓ ନିଶାର୍ଦ୍ଧ ପୂଜା । ୨୧ ତାରିଖ ସକାଳ ୭ଟାରେ ମା’ଙ୍କ ହେବ ବିସର୍ଜନ ହୋମ । ଏଠାରେ ଥିବା ଯନ୍ତ୍ରକୁ ତନ୍ତ୍ର ତଥା ବାମାଚାର ପଦ୍ଧତିରେ ପୂଜା କରାଯାଏ । ବାମାଚାର ପୂଜା ବେଳେ ଭକ୍ତର ଅଭିଷ୍ଟ ପୂର୍ଣ୍ଣ ହୁଏ ବୋଲି ରହିଛି ବିଶ୍ବାସ ରହିଛି । ମା’ ଦକ୍ଷିଣକାଳୀଙ୍କର ବଳି ଦୃଷ୍ଟି, ଅର୍ଥାତ୍‌ ସେ ବଳିକୁ ଚାହିଁଥାଆନ୍ତି । ମା’ ଯେତିକି ଶାନ୍ତ ସେତିକି ଉଗ୍ର, ତାଙ୍କର ଅତିପ୍ରିୟ ମହାପ୍ରସାଦ । ମହାପ୍ରସାଦ ପରେ ପୋଡ଼ାବଳି ଦିଆଯାଏ । ପୋଡ଼ାବଳି ପାଇଁ ମାଛକୁ ତେଲ, ମସଲା ଦେଇ କଦଳୀପତ୍ରରେ ପୋଡ଼ାଯାଏ । ଏହି ପୋଡ଼ାବଳିରେ ମାଛର ମୁଣ୍ଡକୁ ଭାଙ୍ଗି ଦେବୀକୁ ଉତ୍ସର୍ଗ କରାଯାଏ । 

ମା’ କାମରୂପା

ବୀରପ୍ରତାପପୁର ଶାସନର ଅଧିଷ୍ଠାତ୍ରୀ ଦେବୀ ମା’ କାମରୂପା । ମା’ କାମରୂପାଙ୍କୁ ସବା ବଡ଼ ଭଉଣୀ କୁହାଯାଏ । ମା’ଙ୍କ ଆବିର୍ଭାବ ବେଶ୍‌ ରୋଚକ । ବୀରପ୍ରତାପପୁରରେ ନିତେଇ ଧୋବଣୀ ନାମକ ଜଣେ ତନ୍ତ୍ର ସାଧିକା ଥିଲେ । ଶ୍ରୀକ୍ଷେତ୍ରର ଶାସନ ପଞ୍ଚକୋଶୀ ମଧ୍ୟକୁ ଯିଏ ଅନିଷ୍ଟ ପାଇଁ ଆସୁଥିଲା, ସେ ତାଙ୍କୁ ବାଧା ଦେଉଥିଲେ । ଏହି ସମୟରେ ଆସାମରୁ ମା’ କାମାକ୍ଷା ଏକ କରମଙ୍ଗା ଗଛ ସହ ଉଦୀୟମାନ ଅବସ୍ଥାରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ ପାଇଁ ପହଞ୍ଚିଥିଲେ । ମା’ଙ୍କ ପ୍ରତିବିମ୍ବ ଏକ ପୁଷ୍କରିଣୀରେ ନିତେଇ ଧୋବଣୀ ଲକ୍ଷ୍ୟ କରିବା ପରେ ତନ୍ତ୍ର ସାଧନା ଦ୍ବାରା ମା’ଙ୍କୁ ଆବାହନ କରିଥିଲେ । ବଡ଼ସିଂହାର ବେଶ ଦର୍ଶନ ଦେଖିବା ପାଇଁ ସବୁଦିନ ସେଇଠାରେ ରହିଯିବାକୁ ଅନୁରୋଧ କଲେ । ସେବେଠାରୁ ମା’ ବୀରପ୍ରତାପପୁରରେ ରହିଥିବା ସେ କହିଛନ୍ତି । ତେଣୁ ବଙ୍ଗୀୟ ପରମ୍ପରାରେ ପୂଜା ପାଆନ୍ତି ମା’।

ମା’ ଉଗ୍ରତାରା

ପୁରୀ ଜିଲ୍ଲା ସମଯାଜପୁରରେ ପୂଜା ପାଆନ୍ତି ମା’ ଉଗ୍ରତାରା । ଉଗ୍ରତାରାଙ୍କ ଯୋଗଦୃଷ୍ଟି ହୋଇଥିବା ବେଳେ ତାଙ୍କର ଦୃଷ୍ଟି ପୂଜକଙ୍କ ଆଡ଼କୁ ସାମାନ୍ୟ ଢଳି ରହିଥାଏ । ତେ‌ବେ ସମସ୍ତଙ୍କ ରୂପ ସମାନ । ପୂଜା ନୀତି ମଧ୍ୟ ସମାନ । ମା’ଙ୍କର ପାଣିକଖାରୁ ବଳି, ପୋଡ଼ା ମାଛ ବଳି ଦେବାର ବିଧି ରହିଛି । ୩ ଭଉଣୀଙ୍କ ଭିତରେ ମା’ ମଝିଆଁ । 

କାଳୀପୂଜାରେ ୩ ଭଉଣୀ ନିକଟସ୍ଥ ଗ୍ରାମରେ ଦୁଆରୀ ଭୋଗ ଖାଇବାର ବିଧି ରହିଛି। ତିନି ଭଉଣୀ ବିସର୍ଜନ ପାଇଁ ଭାର୍ଗବୀ ବିସର୍ଜନ ଘାଟକୁ ଯିବା ବେଳେ ବଡ଼ଭଉଣୀଙ୍କ ଗ୍ରାମର ଆରମ୍ଭରେ ଏକାଠି ଭେଟ ପର୍ବ ଅନୁଷ୍ଠିତ ହୁଏ। ଏଠାରେ ତିନି ଭଉଣୀଙ୍କୁ ଏକାଠି ଆଳତି କରାଯାଏ। ଏହି ମହାମିଳନର ଦୃଶ୍ୟ ଦେଖିବା ପାଇଁ ଉକ୍ତ ଅଞ୍ଚଳ ଲୋକାରଣ୍ୟ ପାଲଟିଯାଏ। ସେଠାରୁ ତିନି ଭଉଣୀଙ୍କ ମୃଣ୍ମୟ ମୂର୍ତ୍ତି ଏକାଠି ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା ମଧ୍ୟରେ ଭାର୍ଗବୀ ନଦୀ କାଳୀ ଘାଟକୁ ଯାଇ ବିସର୍ଜନ ହୁଅନ୍ତି ।