KANAK NEWS
କନକ ବ୍ୟୁରୋ: ଓଡ଼ିଶାର ୧୦ ରାଜ୍ୟସଭା ସିଟ୍ ଭିତରୁ ଆସନ୍ତା ବର୍ଷ ଏପ୍ରିଲ ୨ ତାରିଖରେ ଶେଷ ହେଉଛି ୪ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ । ସୁଜିତ କୁମାର, ମୁନ୍ନା ଖାଁ, ମମତା ମହନ୍ତଙ୍କ ସହ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଶେଷ ହେବାକୁ ଯାଉଛି । ଆଉ ଖାଲି ହେବାକୁ ଥିବା ଏହି ୪ ରାଜ୍ୟସଭା ଆସନରେ କିଏ ଉଚ୍ଚ ସଦନକୁ ଯିବ ତାକୁ ନେଇ ଏବେଠୁ ଜୋରଦାର ଚର୍ଚ୍ଚା । ଏହାରି ଭିତରେ ବିଜେପିର ରାଜ୍ୟସଭା ସାଂସଦ ସୁଜିତ କୁମାର ଏହି ପ୍ରସଙ୍ଗରେ ଦେଇଛନ୍ତି ବଡ଼ ବୟାନ ।
ସୁଜିତ୍ କୁମାର କହିଛନ୍ତି, ଆସନ୍ତା ବର୍ଷ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ଭିତରୁ ୨ଟି ଆସନ ବିଜେପିର କ୍ଲିୟର ଅଛି । ଗୋଟିଏ ଆସନ ବିଜେଡିକୁ ଯିବ । ତେବେ ଆଉ ଗୋଟିଏ ସିଟକୁ ନେଇ ଦ୍ୱନ୍ଦ୍ୱ ରହିଛି, ହେଲେ ଏହି ଚତୁର୍ଥ ସିଟକୁ ବିଜେପି ନେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି ସାଂସଦ ସୁଜିତ୍ କୁମାର ।
କେଉଁ କେଉଁ ସାଂସଦଙ୍କ କାର୍ଯ୍ୟକାଳ ସରୁଛି?
- ସୁଜିତ କୁମାର – ଏପ୍ରିଲ ୨, ୨୦୨୬
- ମୁନ୍ନା ଖାଁ – ଏପ୍ରିଲ ୨, ୨୦୨୬
- ମମତା ମହନ୍ତ - ଏପ୍ରିଲ ୨, ୨୦୨୬
- ନିରଞ୍ଜନ ବିଶି - ଏପ୍ରିଲ ୨, ୨୦୨୬
ସଂଖ୍ୟା ଗଣିତକୁ ଦେଖିଲେ ୪ଟି ରାଜ୍ୟସଭା ଆସନ ଭିତରୁ ୨ଟି ବିଜେପିକୁ ଯିବା ପକ୍କା ଆଉ ଗୋଟିଏ ବିଜେଡିକୁ ଯିବା ମଧ୍ୟ ପକ୍କା । ତେବେ ଚତୁର୍ଥ ଆସନ କାହାକୁ ଯିବ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ଚତୁର୍ଥ ଆସନ ଜିତିବା ପାଇଁ କେଉଁ ଦଳ ପାଖରେ ବି ପର୍ଯ୍ୟାପ୍ତ ପରିମାଣର ଭୋଟ୍ ନାହିଁ । ତେଣୁ ଏପରି ପରିସ୍ଥିତିରେ କିଏ ଚତୁର୍ଥ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯାଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କର ନଜର ।
ମନମୋହନ ଯିବେ କି ରାଜ୍ୟସଭା?
ନୂଆପଡ଼ା ଉପ-ନିର୍ବାଚନରେ ବିଜେପିର ଦମଦାର ବିଜୟ ପରେ ମୋହନ-ମନମୋହନ ଯୋଡ଼ିର ସଫଳତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଉ ଏହି ଚର୍ଚ୍ଚା ଭିତରେ ଖାଲି ହେବାକୁ ଥିବା ରାଜ୍ୟସଭା ସିଟର ଗୋଟିଏ ଆସନରେ ମନମୋହନ ସାମଲ ରାଜ୍ୟସଭା ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ, ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନାଁକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ହେଉଛି, ଯିଏକି ରାଜ୍ୟସଭା ଯିବା ପାଇଁ ରେସରେ ଅଛନ୍ତି । ଏମାନଙ୍କ ବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଦିଲ୍ଲୀପ ରାୟ ଆଉ ସୁଜିତ୍ କୁମାର ନିଜେ ମଧ୍ୟ ରାଜ୍ୟସଭା ଯିବାକୁ ରେସରେ ଅଛନ୍ତି ।
ଆହୁରି ପଢ଼ନ୍ତୁ : Prashant Kishor : 'ନୀତିଶ ଯଦି ଏମିତି କରିବେ, ମୁଁ ରାଜନୀତି ଛାଡ଼ିଦେବି'
ବିଜେଡିରୁ ଯିବ କିଏ?
ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ଭିତରୁ ଗୋଟିଏ ଆସନରେ ବିଜେଡିର ପ୍ରାର୍ଥୀ ଯିବା ଏକପ୍ରକାର ଥୟ । ଆଉ ଏହି ପ୍ରାର୍ଥୀ ଜଣକ କିଏ ହେବ, ତାକୁ ନେଇ ଏବେ ଅନେକ ପ୍ରଶ୍ନ । ଚର୍ଚ୍ଚା ଯଦି ସତ ହୁଏ ତେବେ କିଛି ଲୋକଙ୍କ କହିବା କଥା ସନ୍ତୃପ୍ତ ମିଶ୍ର ନଚେତ୍ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ ବିଜେଡି ଟିକେଟରୁ ରାଜ୍ୟସଭାରେ ଏଣ୍ଟ୍ରି ମାରିପାରନ୍ତି । ନଚେତ୍ ବିଜେଡିର କିଛି ନେତା ମଧ୍ୟ ଏବେ ଏହି ରେସରେ ଅଛନ୍ତି । ଏହାସହ କଂଗ୍ରେସ ଯଦି ବିଜେଡିକୁ ସମର୍ଥନ କରେ, ନଚେତ୍ ବିଜେଡି ଯଦି କଂଗ୍ରେସକୁ ସମର୍ଥନ କରେ ତେବେ ବିଜେଡି କିମ୍ବା କଂଗ୍ରେସର ଆଉ ଜଣେ ପ୍ରାର୍ଥୀ ମଧ୍ୟ ରାଜ୍ୟସଭା ଯାଇପାରନ୍ତି ।
ଆହୁରି ପଢ଼ନ୍ତୁ : Bihar Politics : ନୀତିଶ ମୁଖ୍ୟମନ୍ତ୍ରୀ : ଉପମୁଖ୍ୟମନ୍ତ୍ରୀ ହେବେ କିଏ ?
କାହାର କେତେ ସଂଖ୍ୟା ବଳ?
ବର୍ତ୍ତମାନ ସମୟରେ ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ତା ସହିତ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ ଜଣାଉଛନ୍ତି । ଏହାବାଦ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ରହିଛି ୫୦ ଏବଂ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୪ । ତେଣୁ ସଂଖ୍ୟା ଗଣିତକୁ ଦେଖିଲେ ବିଜେପିର ଦୁଇ ରାଜ୍ୟସଭା ପ୍ରାର୍ଥୀ ନିର୍ବାଚନ ଜିତିବା ଥୟ, ଆଉ ଜଣେ ବିଜେଡିର ପ୍ରାର୍ଥୀ ମଧ୍ୟ ଜିତିବା ଥୟ । ତେଣୁ ଚତୁର୍ଥ ପ୍ରାର୍ଥୀ ଜଣକ କିଏ, ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।
Follow Us