କନକ ବ୍ୟୁରୋ: ବିହାର ନିର୍ବାଚନ ସରିଲା, ଫଳ ବାହାରିଲା । ଏନଡିନ୍‌ ବହୁମତ ପାଇଲା । ହେଲେ ଏବେ ବି ବିହାର ରାଜନୀତିକୁ ନେଇ ଚର୍ଚ୍ଚା ଥମିବାରେ ନା ନେଉନି । ଖାସ୍‌ କରି ବିହାରର ନୂଆ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେବେ ବୋଲି ଗୋଟିଏ ପ୍ରକାର ନିଶ୍ଚିନ୍ତ ହୋଇସାରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କିଏ ହେବେ ତା ଉପରୁ ପରଦା ଉଠିନି । କୁହାଯାଉଛି କି, ନଭେମ୍ବର ୨୦ ତାରିଖରେ ବିହାରର ନୂଆ ସରକାର ଶପଥ ନେବେ । ହେଲେ ଉପମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏନ୍‌ଡିଏ କୌଣସି ସୂଚନା ଦେଇନାହିଁ ।  

Advertisment

ଆହୁରି ପଢ଼ନ୍ତୁ : ନୀତୀଶ ସରକାର; ଏଥର ଟିମ୍ ବଦଳିବ? ନା ପୁରୁଣା ହେବେ ରିପିଟ୍ ?

ଜନତା ଦଳ (ୟୁନାଇଟେଡ୍) ବା ଜେଡିୟୁ ମୁଖ୍ୟ ନୀତୀଶ କୁମାର ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି କୁହାଯାଉଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବିଧାୟକ ଦଳ ବୈଠକରେ ତାଙ୍କୁ ସର୍ବସମ୍ମତିକ୍ରମେ ନେତା ଭାବେ ନିର୍ବାଚିତ କରାଯାଇଛି ବୋଲି କୁହାଯାଉଛି ହେଲେ ଔପଚାରିକ ଭାବରେ କାଲି ଘୋଷଣା କରାଯିବ । ଏହା ସହିତ, ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଯେଉଁ ସସପେନ୍ସ ଜାରି ରହିଥିଲା, ତାହା ମଧ୍ୟ ଧୀରେ ଧୀରେ ସ୍ପଷ୍ଟ ହେଉଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଥିବା କୁହାଯାଉଛି ।

ବିହାରର ଫଳ ପ୍ରକାଶ ପାଇବା ପରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପି ସହ ମିଶି ପୁଣିଥରେ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ କିଏ ମୁଖ୍ୟମନ୍ତ୍ରୀ ହେବେ ଏବଂ ବିଶେଷକରି ଉପମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିବ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । 

ବିଜେପିର ନୂଆ ରଣନୀତି:

ଏଥର ବିଜେପି ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରି ଏକ ନୂଆ ସାମାଜିକ ସମୀକରଣ ସୃଷ୍ଟି କରିବାକୁ ଚେଷ୍ଟା କରିଛି । ସମ୍ରାଟ ଚୌଧୁରୀ, ଯିଏକି ବିହାର ବିଜେପିର ରାଜ୍ୟ ସଭାପତି ଅଛନ୍ତି, ସେ କୋଏରୀ (ଓବିସି) ସମ୍ପ୍ରଦାୟରୁ ଆସିଛନ୍ତି । ଅନ୍ୟପଟେ, ବିଜୟ କୁମାର ସିହ୍ନା ଭୂମିହାର (ଉଚ୍ଚ ଜାତି) ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି । ଏହି ଦୁଇ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇ ବିଜେପି ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଜର ଭୋଟ୍ ବ୍ୟାଙ୍କକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିପାରେ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ : ନୀତୀଶ ସରକାର; ଏଥର ଟିମ୍ ବଦଳିବ? ନା ପୁରୁଣା ହେବେ ରିପିଟ୍ ?

ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ

ନୀତିଶ କୁମାର ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏହା ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ । ଗତ କିଛି ବର୍ଷ ମଧ୍ୟରେ ସେ ବାରମ୍ବାର ମେଣ୍ଟ ପରିବର୍ତ୍ତନ କରି ଚର୍ଚ୍ଚାରେ ରହିଆସିଛନ୍ତି । ୨୦୨୨ରେ ସେ ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ଏବଂ କଂଗ୍ରେସ ସହ ମିଶି ମହାଗଠବନ୍ଧନ ସରକାର ଗଠନ କରିଥିଲେ । ପରେ ପୁଣି ଥରେ ଏନ୍‌ଡିଏ ସହ ମିଶି ସରକାର କଲେ । ଆଉ ଏବେ ପୁଣି ଥରେ ଏନ୍‌ଡିଏ ସହ ମିଶି ସରକାର କରିବାକୁ ଯାଉଛନ୍ତି । 

ନୂଆ ସରକାର ଗଠନ ପରେ ଏବେ ସମସ୍ତଙ୍କ ନଜର ମନ୍ତ୍ରିମଣ୍ଡଳ ବିସ୍ତାର ଉପରେ ରହିବ । କେଉଁ ଦଳରୁ କେତେଜଣ ମନ୍ତ୍ରୀ ହେବେ ଏବଂ କେଉଁ ବିଭାଗ କାହାକୁ ମିଳିବ, ତାହା ଦେଖିବାକୁ ବାକି ରହିଲା । ଏହି ନୂଆ ମେଣ୍ଟ ସରକାର ବିହାରର ବିକାଶକୁ କେତେ ଆଗକୁ ନେଇପାରୁଛି, ତାହା ଆଗାମୀ ସମୟ କହିବ ।