Cancer Photograph: (kanak news)
କନକ ବ୍ୟୁରୋ : ଓଠରୁ ହସ ଛଡ଼ାଇ ନେଇଛି କ୍ୟାନସର । ଚିକିତ୍ସାରେ ସବୁ ଯିବା ପରେ ଏବେ ଲୋକଙ୍କ ଦାନରେ ବଞ୍ଚିଛନ୍ତି ୪ ପ୍ରାଣୀ କୁଟୁମ୍ବ । ବେସାହାରା ହୋଇପଡ଼ିଛନ୍ତି କର୍କଟ ପୀଡ଼ିତ ଓ ପୂରା ପରିବାର । ଗୋଟିଏ ପଟେ ରୋଗ ଯନ୍ତ୍ରଣାରେ ଜୀବନ ପାଇଁ ସଂଘର୍ଷ, ଅନ୍ୟପଟେ ପରିବାରର ଭବିଷ୍ୟତ ଚିନ୍ତା । ଏ ହେଉଛି ଯାଜପୁର ବଡ଼ସୁଆର ପଞ୍ଚାୟତ ବନ୍ଧମୁଣ୍ଡା ଗାଁର ଅଶୋକ ଜେନାଙ୍କ କାହାଣୀ । ବଦାନ୍ୟଙ୍କ ଦାନରେ ଦିନ କଟୁଥିବା ବେଳେ କିପରି ୪ ପ୍ରାଣୀ କୁଟୁମ୍ବ ବଞ୍ଚିବେ ତାହାକୁ ନେଇ ସହଯୋଗ ଲୋଡ଼ିଛନ୍ତି ପରିବାର ଲୋକ ।
ଯାଜପୁର ବ୍ଲକ ବନ୍ଧମୁଣ୍ଡା ଗାଁର ଅଶୋକ ଜେନା , ମୂଳମଜୁରୀ ଲାଗି ଖୁସିରେ ଚଳୁଥିଲେ । ହେଲେ ଅଚାନକ ଭାଗ୍ୟ ଆକାଶରେ ଘୋଟିଗଲା କଳା ବାଦଲ । ୫ ବର୍ଷ ତଳେ ଜାଣିଲେ ଶରୀରକୁ କବଜା କରି ନେଇଛି କର୍କଟ । ମୁଣ୍ଡ ଉପରେ ସତେ ଯେମିତି ଚଡ଼କ ପଡ଼ିଗଲା । କେମିତି ଚିକିତ୍ସା କରିବେ, କେମିତି ସୁସ୍ଥ ହେବେ । ସେ ଚିନ୍ତାରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲା ପରିବାର । ଯାହା କିଛି ସମ୍ବଳ ଥିଲା ବିକି ଭାଙ୍ଗି ଚିକିତ୍ସା କରାଇଲେ ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି । ରୋଗରେ ପୀଡ଼ିତ ହୋଇ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଜୀବନ ଓ ଜୀବିକାକୁ ନେଇ ଦୋଛକିରେ ପଡ଼ିଛନ୍ତି । ମଜୁରୀ ଠପ୍ ହୋଇଥିବାରୁ ପରିବାର ଚଳାଇବାକୁ ହାତରେ ଟଙ୍କାଟିଏ ବି ନାହିଁ । ସରକାରୀ ସହାୟତାରେ ଗୁରୁତର ଅସ୍ତ୍ରୋପଚାର ହୋଇଛି ସତ, କିନ୍ତୁ ପରବର୍ତ୍ତୀ ଔଷଧ ଓ ଦୈନିକ ଦାମୀ ଖାଦ୍ୟ ପାଇଁ ସମ୍ବଳ ନାହିଁ ।
ଅଧିକ ପଢ଼ନ୍ତୁ---ମୋକିମ ଫାଉଣ୍ଡେସନର ଯୁବ ସମାବେଶରେ ଯୋଗଦେଲେ ସୋଫିଆ ; ବାପାଙ୍କ ଲଢ଼େଇରେ ସାମିଲ ହେବାକୁ ଦେଲେ ଆହ୍ବାନ
ଘରେ ୨ଜଣ ପାଠପଢ଼ୁଆ ଝିଅଙ୍କ ବୋଝ । ଆର୍ଥିକ ସ୍ଥିତି ଭଲ ନଥିବାରୁ ଗାଁର ଜଣେ ସହୃଦୟ ଶିକ୍ଷକ, ପିଲାଙ୍କ ପାଠପଢ଼ା ଦାୟିତ୍ବ ନେଇଛନ୍ତି । ତା’ ପରେ ବି ଅର୍ଥାଭାବ ପରିବାରର ସ୍ଥିତିକୁ ବିଗାଡ଼ି ଦେଇଛି । ଗ୍ରାମର ଯୁବ ସମାଜସେବୀମାନେ ଏକତ୍ରିତ ହୋଇ ମାସକୁ ମାସ ଔଷଧ ଏବଂ ପରିବାର ଚଳାଇବାକୁ ସ୍ବଳ୍ପ ଆର୍ଥିକ ସହାୟତା ଯୋଗାଉଥିଲେ ବି ତାହା ଅତି ନଗଣ୍ୟ । ତେଣୁ ଅଶୋକଙ୍କ ଦୁଃଖୀ ପରିବାରକୁ ସହାୟତାର ହାତ ବଢ଼ାଇବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି । ତେବେ ଆପଣ ଚାହିଲେ ମଧ୍ୟ ଅଶୋକଙ୍କ ପରିବାରକୁ ସାହାଯ୍ୟ କରିପାରିବେ । ୮୮୮୪୫୫୮୮୮୫ କିମ୍ବା ୯୭୭୬୨୦୩୨୭୪ ଫୋନ୍ ପେ ନମ୍ବରରେ ପ୍ରଦାନ କରିପାରିବେ ସହାୟତା ।
Follow Us