Rusikulya Photograph: (kanaknews)
କନକ ବ୍ୟୁରୋ : ଋଷିକୂଲ୍ୟାରେ ବିଦେଶାଗତ ଅତିଥିଙ୍କ ଭିଡ଼ । ମୁହାଣରେ ଶୁଭୁଛି ବିଦେଶୀ ପକ୍ଷୀଙ୍କ କଳରବ । ଧଳା, କଳା, ଛିଟ ଏମିତି ରଙ୍ଗ ବେରଙ୍ଗର ହଜାର ହଜାର ପକ୍ଷୀଙ୍କ ସମାଗମ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣର । ଶୀତ ଦାଉରୁ ରକ୍ଷା ପାଇବାକୁ ଏହି ପକ୍ଷୀମାନେ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି ଗଞ୍ଜାମ ଋଷିକୂଲ୍ୟାରେ ପହଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା ଋଷିକୂଲ୍ୟା ନଦୀ ମୁହାଣ ସମେତ ହୁମ୍ମା ଲବଣ ଜମିରେ ପ୍ରାୟ ୩୦ ପ୍ରକାର ପ୍ରଜାତିର ପକ୍ଷୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି ।
ଏହି ପକ୍ଷୀମାନଙ୍କ ମଧ୍ୟରେ ରହିଛନ୍ତି ବାର ହେଡେଡ୍ ଗୋସି, ଗୋଡଓ୍ବାଲ୍, ନର୍ଥେନ୍ ସୋଭେଲେର୍, ଲେଜେର୍ ଓ୍ବିସ୍ଲିଙ୍ଗ୍ ଡକ୍, ରୁଡିସେଲ୍ ଡକ୍, ଗ୍ରେଟର୍ ସେଣ୍ଡ୍ ପ୍ଲୋଭେର୍, ପାଇଡ୍ ଆଭୋସେଟ୍, କୁର୍ଲ୍ୟୁ ସେଣ୍ଡ୍ ପାଇପର୍ ଭଳି ବିଦେଶାଗତ ପକ୍ଷୀ । ବିଶେଷ କରି ମଙ୍ଗୋଲିଆ, କାଜକିସ୍ତାନ, ଚାଇନା, ସାଇବେରିଆ, ଉତ୍ତର ଆମେରିକା ଭଳି ବିଭିନ୍ନ ସ୍ଥାନରୁ ଋଷିକୂଲ୍ୟାକୁ ଆସିଛନ୍ତି ଏହି ପକ୍ଷୀ । ଏହି ସ୍ଥାନ ଗୁଡ଼ିକରେ ଶୀତଦିନେ ତାପମାତ୍ରା ଶୂନ ଡିଗ୍ରିରୁ ତଳକୁ ଖସିଯାଇଥାଏ । ଏଣୁ ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ଓ ପ୍ରବଳ ଥଣ୍ଡାରୁ ନିଜ ଜୀବନକୁ ବଞ୍ଚାଇବା ନିମନ୍ତେ ଋଷିକୂଲ୍ୟାକୁ ଆସିଛନ୍ତି । ଏଠାକୁ ଆସିବାକୁ ପକ୍ଷୀଙ୍କୁ ପ୍ରାୟ ୧୨ ଦିନ ସମୟ ଲାଗିଯାଇଥାଏ ।
ଅଧିକ ପଢ଼ନ୍ତୁ--କଟକଣାକୁ ବେଖାତିର ; ଖୁଲମ୍ଖୁଲା ଚାଲିଛି ପ୍ଲାଷ୍ଟିକ୍ ବ୍ୟବହାର
ଗୋଟିଏ ଦିନରେ ପକ୍ଷୀମାନେ ସର୍ବାଧିକ ୧୫ରୁ ୧୬ କିଲୋମିଟର ଉଡ଼ି ଉଡ଼ି ଯାତ୍ରା କରିଥାନ୍ତି । ଆସନ୍ତା ଫେବ୍ରୁଆରି ମାସ ପର୍ଯ୍ୟନ୍ତ ରହିବା ପରେ ଏଠାରେ ତାପମାତ୍ରା ବୃଦ୍ଧି ହେଲେ ପକ୍ଷୀମାନେ ନିଜ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବେ । ତେବେ ଏହି ଚାରି ମାସ ମଧ୍ୟରେ ଅନେକ ପକ୍ଷୀ ଅଣ୍ଡା ମଧ୍ୟ ଦେଇଥାନ୍ତି । ସେଥିରୁ ଛୁଆ ବାହାରିବା ପରେ ସେହି ପକ୍ଷୀଗୁଡ଼ିକ ମଧ୍ୟରୁ କିଛି ନିଜ ଅଞ୍ଚଳକୁ ଯାଉଥିବା ବେଳେ ଆଉ କିଛି ପକ୍ଷୀ ଆସନ୍ତାବର୍ଷା ଦିନେ ସାଥି ପକ୍ଷୀଙ୍କ ସହ ନିଜ ଅଞ୍ଚଳକୁ ଫେରିଥାନ୍ତି ବୋଲି କହିଛନ୍ତି ପରିବେଶବିତ ।
Follow Us