କନକ ବ୍ୟୁରୋ: ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ୍। ଗୃହ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ, ଥଇଥାନ ପ୍ୟାକେଜ୍ ବା ପୁନର୍ବାସ ନୀତିରେ ସର୍ବଭାରତୀୟସ୍ତରର କ୍ୟାଡରଙ୍କ ପାଇଁ ନୂଆ ନିୟମ ଯୋଡ଼ାଯାଇଛି। ନୂତନ ନିୟମ ଅନୁସାରେ, ଯଦି କୌଣସି ନକ୍ସଲ ଓଡ଼ିଶାର ବାସିନ୍ଦା ନୁହଁନ୍ତି କିନ୍ତୁ ଓଡ଼ିଶାରେ ସକ୍ରିୟ ଅଛନ୍ତି, ସେମାନେ ମଧ୍ୟ ଏହି ଯୋଜନାରେ ସମସ୍ତ ସୁବିଧା ପାଇପାରିବେ। ନୂଆ ନୀତିରେ ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କରାଯାଇଛି।
କେନ୍ଦ୍ରୀୟ କମିଟି ସଭ୍ୟ ବା ପଲିଟବ୍ୟୁରୋ ସଭ୍ୟଙ୍କ ପାଇଁ ସର୍ବାଧିକ ୧କୋଟି ୧୦ ଲକ୍ଷ ଟଙ୍କା, ରାଜ୍ୟ କମିଟି ସଭ୍ୟଙ୍କ ପାଇଁ ୫୫ ଲକ୍ଷ ଟଙ୍କା ଓ ଆଂଚଳିକ କମିଟି ସଭ୍ୟଙ୍କ ପାଇଁ ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ୟ୍ୟ ହୋଇଛି। ଏହାବ୍ୟତୀତ, ୫ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଥିବା ସକ୍ରିୟ ନକ୍ସଲମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କାର ଏକକାଳୀନ ରାଶି ଫିକ୍ସଡ୍ ଡିପୋଜିଟ୍ ଆକାରରେ ଦିଆଯିବ।
ଆହୁରି ପଢ଼ନ୍ତୁ :ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ତଥ୍ୟ ପତ୍ରରେ ସଂଶୋଧନ କଲା ହ୍ୱାଇଟ୍ ହାଉସ୍
ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡରମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ତାଲିକା ଜାରି କରିଛନ୍ତି। ଏଲଏମଜି ବନ୍ଧୁକ ପାଇଁ ୪ଲକ୍ଷ ୯୫ହଜାର ଟଙ୍କା, ଏକେ-୪୭ ପାଇଁ ୩ଲକ୍ଷ ୩୦ହଜାର ଟଙ୍କା, ଇନସାସ୍ ବା ଏସଏଲଆର ରାଇଫଲ୍ ପାଇଁ ୧ଲକ୍ଷ ୬୫ହଜାର ଟଙ୍କା ଅଲଗା ଭାବେ ପ୍ରଦାନ କରାଯିବ। ଏପରିକି ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତିଟି ଗୁଳି ପାଇଁ ୫୫ ଟଙ୍କାର ପୁରସ୍କାର ରଖାଯାଇଛି। କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ମଧ୍ୟ ସମସ୍ତଙ୍କୁ ଅତିରିକ୍ତ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ରାଜ୍ୟ ଗୃହ ବିଭାଗ ଗତ ୨୦୨୫ ନଭେମ୍ବର ୨୭ ତାରିଖରେ ଜାରି ସଂଶୋଧିତ ପୁନର୍ବାସ ନୀତିକୁ ମାତ୍ର ତିନିମାସ ମଧ୍ୟରେ ପୁଣିଥରେ ସଂଶୋଧନ କରିଛନ୍ତି। ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏବେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/25-2026-02-11-12-02-29.jpg)