କନକ ବ୍ୟୁରୋ: ପ୍ଲାଷ୍ଟିକ ଯୁଗରେ ବି ନିଜର ଉପସ୍ଥିତି ଦୃଢ଼ କରିପାରିଛି ଫୁଲଝାଡ଼ୁ । ଗଜପତି ଜିଲ୍ଲାର ଗୁମ୍ମା, ରାୟଗଡ଼, ରା. ଉଦୟଗିରି, ନୂଆଗଡ଼ ଇତ୍ୟାଦି ବ୍ଲକର ଆଦିବାସୀ ଅଧୁଷିତ ଅଞ୍ଚଳର ଅଧିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଫୁଲଝାଡ଼ୁ ବ୍ୟବସାୟ । ଜଙ୍ଗଲରୁ ଝାଡ଼ୁ ଗଛକୁ କାଟି ସଂଗ୍ରହ କରି ଆଣି ଏଥିରୁ ଝାଡୁ ତିଆରି କରାଯାଉଛି । ପରେ ବଜାରରେ ଏହାକୁ ବିକ୍ରିକରି ରୋଜଗାରକ୍ଷମ ହୋଇ ପାରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଘର ହେଉ ଅବା ଅଫିସ୍ କିମ୍ବା ସ୍କୁଲ ଇତ୍ୟାଦିରେ ଫୁଲ ଝାଡ଼ୁର ଚାହିଦା ବଢ଼ୁଥିବା ବେଳେ ଏହାଦ୍ବାରା ଉପକୃତ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି ଆଦିବାସୀ ପରିବାର ।
ଏହା ବି ପଢ଼ନ୍ତୁ: ୟୁଟ୍ୟୁବ୍ ଶିଖାଇଲା ଚାଷ, ଷ୍ଟ୍ରବେରି ଚାଷ ଦେଲା ପରିଚୟ
ବର୍ଷା ଋତୁରେ ଜଙ୍ଗଲରେ ବିଶେଷ ପ୍ରକାରର ଘାସ ଉଠିଥାଏ । ଫୁଲ ଫୁଟି ପାଚିଲା ପରେ ଶୀତ ଋତୁ ଅର୍ଥାତ ଜାନୁୟାରୀ ମାସ ଶେଷ ଆଡକୁ ଏହା ବ୍ୟବହାର ଯୋଗ୍ୟ ହୋଇଥାଏ । ଏହି ସମୟରେ ପାହାଡିଆ ଅଞ୍ଚଳରୁ ଏହାକୁ ସଂଗ୍ରହ କରାଯାଇ ଝାଡ଼ୁ ପ୍ରସ୍ତୁତ କରିଥାନ୍ତି କାରିଗର । ଫୁଲଝାଡ଼ୁ ବ୍ୟବସାୟ ପାଇଁ କୌଣସି ସ୍ଵତନ୍ତ୍ର ବଜାର କିମ୍ବା ତାଲିମ ବ୍ୟବସ୍ଥା ନାହିଁ । ଏହାସତ୍ତ୍ବେ ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନାଗଡର ୨୦ରୁ ଅଧିକ ପରିବାର ଦୀର୍ଘବର୍ଷ ହେବ ଫୁଲଝାଡ଼ୁ ନିର୍ମାଣ କରିଆସୁଛନ୍ତି । ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ଏମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ । ପ୍ରଚୁର କଞ୍ଚାମାଲ ଥିବା ସତ୍ତ୍ବେ ପ୍ରୋତ୍ସାହନ ଅଭାବବରୁ ଝାଡ଼ୁ କାରିଗର ମାନଙ୍କୁ ଉଚିତ୍ ପ୍ରାପ୍ୟ ମିଳୁନାହିଁ । ଏହା ଉପରେ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଦାବି ହୋଇଛି ।
Follow Us