କନକ ବ୍ୟୁରୋ : ମାଲକାନଗିରି ଜିଲା ଦ୍ୱିତୀୟ ହୃଦୟ କୁହାଯାଉଥିବା ମାଥିଲି ସବଡିଭିଜନ ମେଡିକାଲରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଳ ସଙ୍କଟ । ବର୍ଷ ବର୍ଷ ଧରି ଲାଗି ରହିଛି ପାନୀୟ ଜଳ ଅଭାବ । ବିଭାଗୀୟ ବାବୁ ଆସି ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ହେଲେ କିଛି ପୂରଣ ହେଉନି ।
ମାଲକାନଗିରି ଜିଲ୍ଲା ମାଥିଲି ସଦରରେ ଥିବା ଉପଖଣ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ପାଣି ସମସ୍ୟା । ନା ଟୋପେ ପିଇବା ପାଣି ମିଳୁଛି । ନା ଶୌଚାଳୟରେ ପାଣିର ବ୍ୟବସ୍ଥା ଅଛି। ଚିକିତ୍ସା ପାଇଁ ଆସି ହଇରାଣ ହେଉଛନ୍ତି ରୋଗୀ । ବିକଳ୍ପ ବ୍ୟବସ୍ଥା ନଥିବାରୁ ମାଥିଲି ସବଡିଭିଜନ ସମ୍ମୁଖରେ ଥିବା ହାତଧୁଆ ବେସିନରୁ ପିଇବା ପାଣିଠାରୁ ଆରମ୍ଭ କରି ଶୌଚାଳୟ ପାଇଁ ପାଣି ସଂଗ୍ରହ କରିବାକୁ ପଡ଼ୁଛି । ଦେହ ଭଲ କରିବାକୁ ଆସି ରୋଗ କିଣିନେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଅଧିକ ପଢ଼ନ୍ତୁ : ରାସ୍ତା ପାଇଁ ଖୁଣ୍ଟ ଭାଙ୍ଗିଦେଲା ଠିକାସଂସ୍ଥା; ୭ ମାସ ହେଲା ଅନ୍ଧାରରେ ଗଜପତିର ଗାଁ
ମାଥିଲି ସମେତ ଖଇରପୁଟ ଓ କୁଡୁମୁଲୁଗୁମ୍ମା ଅଞ୍ଚଳର ହଜାର ହଜାର ଲୋକଙ୍କ ଭରସା ଉପଖଣ୍ତ ଚିକିତ୍ସାଳୟ । କିନ୍ତୁ ପାନୀୟ ଜଳ ସମସ୍ୟା ସ୍ୱାସ୍ଥ୍ୟକେନ୍ଦ୍ରରେ ଶିରୋନାମା ପାଲଟିଛି । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପୁରୁଷ ଓ ମହିଳା ଶୌଚାଳୟରେ ପାଣି ଆସୁନି । ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଛି। ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି । କିନ୍ତୁ ଜଳ ଓ ପରିମଳ ବିଭାଗର ଖାମଖିଆଲ ନୀତି ଯୋଗୁ ଆଜି ପାଣି ପାଇଁ ହନ୍ତସନ୍ତ ରୋଗୀ! ଯାହାକୁ ମାନିଛନ୍ତି ଖୋଦ ମାଥିଲି ଡାକ୍ତର ।
ଡାକ୍ତରଖାନା ଭଳି ସ୍ଥାନରେ ପିଇବା ପାଣିର ବ୍ୟବସ୍ଥା କାହିଁକି ନାହିଁ ? ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ଆସୁଥିବା ଟଙ୍କା ଖର୍ଚ୍ଚ ହେଉଛି କେଉଁଠି ? ଏପରି ସାଂଘାତିକ ଅବହେଳା ପାଇଁ ଦାୟୀ କିଏ ? ପାନୀୟ ଜଳ ସଙ୍କଟର ଚିତ୍ର ଦେଖିଲା ପରେ ଲାଗୁଛି ସ୍ୱାସ୍ଥ୍ୟସେବା ନାଁ ସରକାର କହୁଥିବା ପ୍ରତ୍ୟେକଟି କଥା କେବଳ ଭାଷଣ ମାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/07/mathili-health-centre-2026-03-07-18-28-44.png)