କନକ ବ୍ୟୁରୋ : ବିଧି ନା ବ୍ୟବସ୍ଥା? କାହାକୁ ଏଠି ଦୋଷ ଦିଆଯିବ? ବିଧାତା ଗରିବ କୁଳରେ ଜନ୍ମ ଦେଇଛି...। ବ୍ୟବସ୍ଥା କହୁଛି ମୋତେ ଟଙ୍କା ଦିଅ... ମୁଁ ସ୍ୱାସ୍ଥ୍ୟସେବା ଯୋଗାଇଦେବି। ଏସବୁ ଭିତରେ ଛଟପଟ ହେଉଛି କୁନି ଝିଅ। କୋମଳ ବୟସକୁ ଯନ୍ତ୍ରଣାପୂର୍ଣ୍ଣ କରିପକାଇଛି କର୍କଟ ରୋଗ। ଖେଳୁଛି ବୁଲୁଛି, ତାକୁ କ’ଣ ରୋଗ ହୋଇଛି ତା’ ବି ଜାଣିନି। ବେଳେବେଳେ କଷ୍ଟ ହେଲେ ରାତି ସାରା କାନ୍ଦୁଛି। ଝିଅର ଏଭଳି ଅବସ୍ଥା ଦେଖି ବାପା ମା’ଙ୍କର କାନ୍ଦି କାନ୍ଦି ଦିନ କଟୁଛି। ବରୀ ବାଲିବିଲି ଗାଁର ରାକେଶ ମଲିକଙ୍କ ମାତ୍ର ୫ ବର୍ଷର ଝିଅ ପାୟଲ ମଲିକ। କେତେ ଦିଅଁ ଦେବତା ପୂଜା କରି ଝିଅଟିଏ ପାଇଲେ। ସ୍ନେହ ଆଦରରେ ବଡ କଲେ। ଇଚ୍ଛା ଥିଲା ଝିଅ ପାଠ ପଢ଼ିବ ବଡ଼ ମଣିଷ ହେବ। ହେଲେ ଈଶ୍ୱର ଦେଲେ ବଡ ଦଣ୍ଡ। ଝିଅକୁ ବ୍ଲଡ କ୍ୟାନ୍ସର।
ଅଧିକ ପଢ଼ନ୍ତୁ : ପଦାରେ ପଡ଼ିଲା ବଡ଼ ମେଡିକାଲର ବିକଳ ବ୍ୟବସ୍ଥା ; ଆଇସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଅବହେଳା
ମା’ର ଅବୁଝା ମନ ବୁଝୁନି। ଅନ୍ୟ ପିଲା ସ୍କୁଲ୍ ଯିବା ଦେଖିଲେ ନିଜ କୋହ ସମ୍ବରଣ କରିପାରନ୍ତିନି। ପର ଘରେ ମୂଲ ଲାଗିଲେ ଘରେ ଚୁଲି ଜଳେ। କିନ୍ତୁ ଝିଅ ଚିକିତ୍ସାରେ ଅବହେଳା କରିନାହାନ୍ତି। କଟକ ବଡ଼ ମେଡ଼ିକାଲରେ ଝିଅର ଚିକିତ୍ସା କରୁଛନ୍ତି। ହେଲେ କିଛି ସୁଫଳ ମିଳୁନି। ବାପା ମା’ ଦୁହେଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପହଞ୍ଚି ଦୁଃଖ ଜଣାଇଛନ୍ତି। ଝିଅର ଉନ୍ନତ ମାନର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କାନ୍ଦିକାନ୍ଦି ନିବେଦନ କରିଛନ୍ତି ବାପା ମା’।
ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ସାଧାରଣ ବର୍ଗ ଯଦି ସହାୟତା କରିବେ ତା’ ହେଲେ କୁନି ଝିଅ ପାୟଲର ଉତ୍ତମ ଚିକିତ୍ସା କରାଯାଇ ସେ ଏକ ନୂଆ ଜୀବନ ପାଇ ପାରିବେ। ଯଦି କେହି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବାକୁ ଚାହାନ୍ତି। ତେବେ ଫୋନ୍ ପେ ନମ୍ବର- ୯୬୫୮୨୨୨୨୪୪ ଜରିଆରେ ସାହାଯ୍ୟ କରିପାରିବେ।
Follow Us