କନକ ବ୍ୟୁରୋ: ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟଠାରେ ଏଫ୍ଆଇଭିବି ବିଶ୍ୱ ବିଚ୍ ଭଲିବଲ୍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ହେବାକୁ ଯାଉଛି । ଏହି ପ୍ରତିଯୋଗିତା ପ୍ରଥମ ଥର ଲାଗି ଭାରତ ବିଶେଷ କରି ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ୫୨ ଦେଶରୁ ୮୨ ଦଳ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତାଙ୍କ ସମେତ ୩୦୬ ଖେଳାଳି ଓ ଅଫିସିଆଲ୍ ଯୋଗଦେବେ । ଏଥିପାଇଁ କିଟ୍ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଆୟୋଜନ କରାଯାଇଛି । ଦୂତି ଚାନ୍ଦ ଆଥ୍ଲେଟିକ୍ ଷ୍ଟାଡିୟମ୍ରେ ଏଥିପାଇଁ ସମସ୍ତ ପ୍ରସ୍ତୁତ ସରିଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ଖେଳାଳି ଓ ଅଫିସିଆଲ୍ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ରହିବା ଓ ଆତିଥ୍ୟ ଯେଭଳି ସୁବିଧାଜନକ ହୋଇପାରିବ ସେଥିପାଇଁ ଶ୍ରୀ ସାମନ୍ତ ଆବଶ୍ୟକ ପରାମର୍ଶ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ: ମାର୍ଚ୍ଚ ୨୮ରୁ ଆଇପିଏଲ୍, ମେ’ ୩୧ରେ ଫାଇନାଲ୍
ଗତ ଡିସେମ୍ବର ମାସରେ କିଟ୍ ଓ କିସ୍ ରେ ଅନୁଷ୍ଠିତ ଭଲିବଲ୍ ମହାକୁମ୍ଭରେ ଯୋଗଦେବା ଅବସରରେ ଏଫ୍ଆଇଭିବି ସଭାପତି ଫାବିଓ ଆଜେଭେଦୋ ଏ ବିଷୟରେ ଘୋଷଣା କରିଥିଲେ । କିଟ୍ ଓ କିସ୍ରେ ବ୍ୟାପକ ସୁବିଧା ଓ ଓଡ଼ିଶାର ମନୋରମ ପରିବେଶକୁ ଦୃଷ୍ଟିରେ ରଖି ୨୦୨୬, ୨୦୨୭ ଓ ୨୦୨୮ ଲଗାତାର ୩ ବର୍ଷ ଧରି କିଟ୍ ଓ କିସ୍ ସହଯୋଗରେ ଓଡ଼ିଶାରେ ଏଫ୍ଆଇଭିବି ବିଚ୍ ଭଲିବଲ୍ ଆୟୋଜିତ ହେବ ବୋଲି ଫାବିଓ ଘୋଷଣା କରିଥିଲେ ।
ଏହି ଅବସରରେ ଶ୍ରୀ ସାମନ୍ତ କହିଛନ୍ତି, ଆମେ ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିଆସୁଛୁ । ଭଲିବଲ୍ ଏକ ଗ୍ରାମାଞ୍ଚଳ ଓ ଅଲିମ୍ପିକ୍ କ୍ରୀଡ଼ା ହୋଇଥିବାରୁ ଏହାର ବିକାଶ ପାଇଁ ଗତ ୮ବର୍ଷ ଧରି କିଟ୍ ଓ କିସ୍ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି । ପାରମ୍ପରିକ ଭଲିବଲ୍ ସାଧାରଣତଃ ଗ୍ରାମାଞ୍ଚଳରେ ଖେଳାଯାଇଥାଏ ।
ମାତ୍ର ଏଥିରେ ଅଲିମ୍ପିକ୍ରେ ସୁଯୋଗ ପାଇବା କଷ୍ଟକର । କିନ୍ତୁ ବିଚ୍ ଭଲିବଲ୍ ଯେହେତୁ ୨ଜଣଙ୍କୁ ନେଇ ଖେଳାଯାଏ ଏବଂ ଓଡ଼ିଶାର ବ୍ୟାପକ ବେଳଭୂମି ରହିଛି, ଏହାକୁ ଦୃଷ୍ଟିରେ ରଖି ଆମେ ଏହି ଯୋଜନା କରିଛୁ । ଖୁବ୍ ଶୀଘ୍ର ଭାରତୀୟ ବିଚ୍ ଭଲିବଲ୍ ଦଳ ଅଲିମ୍ପିକ୍ସରେ ସୁଯୋଗ ପାଇବ ବୋଲି ଆମେ ଆଶା ରଖିଛୁ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହା ଫଳରେ ବିଶ୍ୱରେ ଓଡ଼ିଶାର ଭାଗମୂର୍ତ୍ତୀ ଆହୁରି ବୃଦ୍ଧିପାଇବା ସହ ରର୍ୟେରେ ପର୍ଯ୍ୟଟନର ପ୍ରଭୂତ ବିକାଶ ହେବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି ।
Follow Us