କନକ ବ୍ୟୁରୋ : ମାଛ ଖାଇବାକୁ ନପାଇ ବୁଡ଼ୁଛି ପେଙ୍ଗୁଇନ୍ ବଂଶ । ଆଫ୍ରିକୀୟ ପେଙ୍ଗୁଇନକୁ ନେଇ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ପରିବେଶବିତ୍ ଓ ଜୀବପ୍ରେମୀଙ୍କ ମଧ୍ୟରେ ଉଦବେଗ । ଦକ୍ଷିଣ ଆଫ୍ରିକାରେ ହଜାର ହଜାର ପେଙ୍ଗୁଇନ୍ ମୃତ୍ୟୁ ପଛର କାରଣ କଣ, ଜାଣନ୍ତୁ ।

ପେଙ୍ଗୁଇନ୍..ଉଡ଼ିପାରୁନଥିବା ପକ୍ଷୀ । ଥଣ୍ଡା ଓ ବରଫାବୃତ ଅଞ୍ଚଳରେ ରହେ, ସମୁଦ୍ରରେ ମାଛ ଶିକାର କରେ । ଦକ୍ଷିଣ ଆଫ୍ରିକା ତଟରେ ରହୁଥିବା ପେଙ୍ଗୁଇନ୍‌ ଏବେ ସଂକଟ ଘେରରେ । ଖାଇବାକୁ ନପାଇ ସଫା ହୋଇଗଲେଣି ୬୦ ହଜାରରୁ ଅଧିକ ପେଙ୍ଗୁଇନ୍ । ୨ଟି ବିଶାଳ ପ୍ରଜନନ ସ୍ଥଳୀରେ ୮ ବର୍ଷରେ ୯୫ ପ୍ରତିଶତ ପେଙ୍ଗୁଇନ୍‌ ଉଭାନ ହୋଇଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଡାସେନ୍ ଓ ରବେନ୍ ଦ୍ୱୀପରେ ପେଙ୍ଗୁଇନ ବଂଶ ବିପଦ ଘେରରେ ରହିଛି ।

ଅଧିକ ପଢ଼ନ୍ତୁ : ଓଡ଼ିଶାରେ ଡାକ୍ତର ମରୁଡ଼ି, ଠିକାରେ ଚାଲିଛି ଡାକ୍ତରୀ ସେବା

ସାର୍ଡିନ୍ ମାଛ ପେଙ୍ଗୁଇନଙ୍କ ପସନ୍ଦର ଖାଦ୍ୟ । ଆଫ୍ରିକୀୟ ଫେଙ୍ଗୁଇନ୍ ପ୍ରଜାତି ମୁଖ୍ୟତଃ ସାର୍ଡିନ୍‌ ହିଁ ଖାଇଥାନ୍ତି । କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରରେ ଏହି ମାଛ କମିବାରେ ଲାଗିଛି । ପଶ୍ଚିମ ତଟରେ ସମୁଦ୍ରର ତାପମାତ୍ରାରେ ପରିବର୍ତ୍ତନ ଯୋଗୁ ସାର୍ଡିନ ଅଣ୍ଡାଦାନ ଓ ବଂଶବୃଦ୍ଧି ପ୍ରଭାବିତ ହେଉଛି । ମତ୍ସ୍ୟଜୀବୀଙ୍କ ଦୌରାତ୍ମ୍ୟ ଏବଂ ମାତ୍ରାଧିକ ମାଛମରା ମଧ୍ୟ ଏହାର ଆଉ ଏକ କାରଣ । ତେଣୁ ହଜାର ହଜାର ପେଙ୍ଗୁଇନ ଖାଦ୍ୟ ସଂକଟର ସମ୍ମୁଖୀନ ହୋଇ କେବଳ ମୃତ୍ୟୁମୁଖରେ ପଡ଼ୁନାହାନ୍ତି, ବରଂ ଆଫ୍ରିକୀୟ ପେଙ୍ଗୁଇନ୍ ପ୍ରଜାତି ଲୋପ ପାଇବାକୁ ବସିଛି ।

Advertisment