କନକ ବ୍ୟୁରୋ : ଜ୍ୟୋତିର୍ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏବଂ ତାଙ୍କର ଜଣେ ଶିଷ୍ୟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଏକ ଏଫଆଇଆର ରୁଜୁ କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଝୁନସି ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି ଏବଂ ପୋକ୍ସୋ ଆଇନ ସମେତ ଗମ୍ଭୀର ଧାରା ଲାଗୁ କରାଯାଇଛି । ଏଫଆଇଆର ଅନୁଯାୟୀ, ଘଟଣାଟି ୨୦୨୫ ଜାନୁଆରୀ ୧୩ରୁ ୨୦୨୬ ଫେବ୍ରୁଆରି ୧୫ ମଧ୍ୟରେ ଘଟିଥିଲା । ଏଥିରେ ଅଭିଯୋଗ କରାଯାଇଛି ଯେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ତାଙ୍କ ଶିଷ୍ୟ ଦୁଇ ଶିଷ୍ୟାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଏବଂ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ମଧ୍ୟ ରହିଛନ୍ତି । ଯେଉଁ ବ୍ୟକ୍ତି ଅଭିଯୋଗ ଆଣିଛନ୍ତି ତାଙ୍କ ନାଁ ଆଶୁତୋଷ ବ୍ରହ୍ମଚାରୀ ବୋଲି ସୂଚନା ମିଳୁଛି । ସେ ଅଭିଯୋଗ କରିଛନ୍ତି ଯେ ଉଭୟ ପୀଡ଼ିତା ଦୀର୍ଘ ଦିନ ଧରି ଶୋଷଣର ଶିକାର ହୋଇଆସୁଥିଲେ କିନ୍ତୁ ଭୟ ଏବଂ ଚାପ ଯୋଗୁଁ ସାମ୍ନାକୁ ଆସିପାରୁ ନଥିଲେ । ଏଫଆଇଆରରେ ଏହା ମଧ୍ୟ ଦାବି କରାଯାଇଛି ଯେ ୨୦୨୫ କୁମ୍ଭମେଳା ଏବଂ ୨୦୨୬ ମାଘ ମେଳା ସମୟରେ ଶିବିରରେ ଏହି ଘଟଣା ଘଟିଥିଲା । ଅଭିଯୋଗ ହୋଇଛି କି ଏହି ନିର୍ଯାତନା କେବଳ ଶିବିର ଭିତରେ ନୁହେଁ ବରଂ ଶିବିର ବାହାରେ ପାର୍କିଂ ହୋଇଥିବା ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଗାଡ଼ିରେ ମଧ୍ୟ ଘଟିଥିଲା ।
ଆଗକୁ ପଢ଼ନ୍ତୁ : ପ୍ରଶାସନ ବନାମ ଶଙ୍କରାଚାର୍ଯ୍ୟ : ସ୍ବାମୀ ଅଭିମୁକ୍ତେଶ୍ବରନନ୍ଦଙ୍କୁ ନେଇ ତେଜିଲା ବିବାଦ
ପୁଲିସ ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା (IPC)ର ଧାରା ୩୫୧(୩) ଏବଂ POCSO ଆଇନର ଧାରା ୫୧, ୬, ୩, ୪(୨), ୧୬, ଏବଂ ୧୭ ସମେତ ଅନ୍ୟାନ୍ୟ ଗୁରୁତର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି । ଏହାସହ ଅଭିଯୁକ୍ତ ଭାବରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ନାଁ ମଧ୍ୟ ଏତଲାରେ ଦିଆଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ FIR ରୁଜୁ ହୋଇଛି ଏବଂ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଏହି ସମୟରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ, ବେଦ-ଅଧ୍ୟୟନରତ ଛାତ୍ରମାନଙ୍କ ଶୋଷଣ ମାମଲାରେ ଏଫଆଇଆର ପଞ୍ଜିକରଣ ପାଇଁ ଆହ୍ଲାବାଦ କୋର୍ଟଙ୍କ ନିର୍ଦ୍ଦେଶର ପ୍ରତିକ୍ରିୟାରେ କହିଛନ୍ତି ଯେ ‘‘ଅଭିଯୋଗ ଆଣିବା ଗୋଟିଏ କଥା ଏବଂ ଏହାକୁ ପ୍ରମାଣ କରିବା ଅନ୍ୟ କଥା । ଯଦି ଆମେ ସେପରି ଲୋକ ହୋଇଥାନ୍ତୁ ତେବେ ମୁଣ୍ଡରେ ଚିନ୍ତା ପଶିଥାନ୍ତା । କିନ୍ତୁ ଯେହେତୁ ଆମେ ନିର୍ଦ୍ଦୋଷ କୌଣସି ଜିନିଷକୁ ଭୟ କରୁନାହୁଁ ।’’ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇ ଶଙ୍କରାଚାର୍ଯ୍ୟ କହିଥିଲେ ଯେ ପୁଲିସ ତଦନ୍ତ ଉପରେ ତାଙ୍କର କୌଣସି ଭରସା ନାହିଁ ଏବଂ ଏକ ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ । ତଥାପି ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ । ସେ କହିଥିଲେ ଯେ ପୁଲିସ ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ଅଛି ତେଣୁ ସେମାନେ କ’ଣ ରିପୋର୍ଟ ଦେବେ? ଆମେ ଏବେ ବି କୋର୍ଟ ଉପରେ ବିଶ୍ୱାସ କରୁଛୁ ଏବଂ ଯେତେବେଳେ ମାମଲା କୋର୍ଟକୁ ଆସିବ ସତ୍ୟ ପ୍ରକାଶ ପାଇବ । ଏହା ବ୍ୟତୀତ ଏକ ଉଚ୍ଚସ୍ତରୀୟ ଏବଂ ନିରପେକ୍ଷ ତଦନ୍ତ କରାଯିବା ଉଚିତ । ଆମେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବୁ ।
ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଅଭିଯୋଗକାରୀ ଆଶୁତୋଷ ବ୍ରହ୍ମଚାରୀଙ୍କ ବିରୋଧରେ ମଧ୍ୟ ଗମ୍ଭୀର ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ଆଶୁତୋଷ କୋର୍ଟରେ ଦୁଇଟି ଅଲଗା ଅଲଗା ସତ୍ୟପାଠ ଦାଖଲ କରିଥିଲେ ଯାହାର କାହାଣୀ ମଧ୍ୟ ଭିନ୍ନ ଭିନ୍ନ ଥିଲା । ଗୋଟିଏ ଲୋକ ସମାନ ମାମଲାରେ ଦୁଇଟି ଭିନ୍ନ ବୟାନ ଦେବାର ଅର୍ଥ ହେଉଛି ସେ ସମ୍ପୂର୍ଣ୍ଣ ମିଛ କହୁଛି । ତଦନ୍ତ ପରେ ପୂରା ସତ ସାମ୍ନାକୁ ଆସିଯିବ । କେବଳ ଏତିକି ନୁହେଁ, ସେ ଆଶୁତୋଷଙ୍କୁ ହିଷ୍ଟ୍ରି-ସିଟର୍ ବୋଲି କହିବା ସହ ତାଙ୍କ ବିରୁଦ୍ଧରେ ପୂର୍ବରୁ ଏକ ଅପରାଧିକ ରେକର୍ଡ ରହିଛି ବୋଲି କହିଥିଲେ । ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ପୂରା ମାମଲାକୁ ଏକ ଷଡ଼ଯନ୍ତ୍ର ବୋଲି କହିବା ସହ ତାଙ୍କୁ ବଦନାମ କରିବା ଏବଂ ତାଙ୍କ ସ୍ୱରକୁ ଦବାଇବା ପାଇଁ ଏଭଳି କରାଯାଉଛି ବୋଲି କହିଛନ୍ତି । ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଗୋ ସୁରକ୍ଷା ପ୍ରସଙ୍ଗରେ ତାଙ୍କର ସକ୍ରିୟତାକୁ ନେଇ ସମସ୍ତେ ବିରକ୍ତ ହେଉଛନ୍ତି । ତେଣୁ ତାଙ୍କୁ ରୋକିବା ପାଇଁ ଏପରି ମିଛ ମାମଲା ପ୍ରସ୍ତୁତ କରାଯାଉଛି କିନ୍ତୁ ଯେତେ ମିଛ କହିଲେ ମଧ୍ୟ ସତକୁ କେହି ଲୁଚାଇ ପାରିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/23/sankaracharya-2026-02-23-16-57-23.jpg)