Final Photograph: (Kanak news)
କନକ ବ୍ୟୁରୋ: ରବିବାର ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୬ର ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଥିବା ଭାରତୀୟ ଇତିହାସ ସୃଷ୍ଟି କରିବାର ଏକ ମୌକା ରହିଛି। ବିଜୟ ହାସଲ କଲେ ପ୍ରଥମ ଦଳଭାବେ ଭାରତ ଲଗାତାର ଦୁଇଥର ବିଶ୍ବକପ୍ ହାସଲ କରିବ। ତେବେ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ଭାରତକୁ ମାତ୍ ଦେବାକୁ ସବୁ ପ୍ରକାରର ରଣକୌଶଳ ଚୂଡ଼ାନ୍ତ କରିଛି। ଟ୍ବେଣ୍ଟି-୨୦ ବିଶ୍ବକପରେ ରେକର୍ଡ ମଧ୍ୟ କିଓ୍ବି ଦଳ ସପକ୍ଷରେ ଅଛି, କାରଣ ଏହି ଦଳକୁ ଭାରତ ଆଦୌ ଜିତିପାରିନାହିଁ।
ସେମିଫାଇନାଲ୍ରେ ଇଂଲଣ୍ଡ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା। ପାକିସ୍ତାନ ଓ ଶ୍ରୀଲଙ୍କା ପରେ ତୃତୀୟ ଦଳଭାବେ ଭାରତ ଲଗାତାର ଦୁଇଟି ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ୍ରେ ଭାରତୀୟ ବ୍ୟାଟିଂଲାଇନ୍ ଭଲ ପ୍ରଦର୍ଶନ କରିଥିଲେ ବି କେତେକ ଦୁର୍ବଳତା ପୁଣି ଧରାପଡ଼ିଥିଲା। ଓପନର ଅଭିଷେକ ଶର୍ମା ପୁଣି ଥରେ ବିଫଳ ହୋଇଥିଲେ। ତାଙ୍କର ଖରାପ ଲୟ ଭାରତୀୟ ଓପନିଂକୁ ଦୁର୍ବଳ କରୁଛି। ଏଣୁ ଫାଇନାଲ୍ରେ ତାଙ୍କୁ ଚୂଡ଼ାନ୍ତ ଏକାଦଳରେ ସାମିଲ କରାଯିବ କି ତାଙ୍କ ବଦଳରେ ରିଙ୍କୁ ସିଂହଙ୍କୁ ସାମିଲ କରାଯିବ ତାହା ଉପରେ ସମସ୍ତଙ୍କ ନଜର ରହିବ।
ସେହିପରି ଭାରତର ଆଉ ଏକ ଦୁର୍ବଳତା ହେଉଛି ସ୍ପିନର ବରୁଣ ଚକ୍ରବର୍ତ୍ତିଙ୍କ ଖରାପ ଫର୍ମ। ବିଶ୍ବକପର ନକ୍ଆଉଟ୍ ପର୍ଯ୍ୟାୟରେ ସେ ନିୟମିତଭାବେ ବିଫଳ ହୋଇଚାଲିଛନ୍ତି। ବିପକ୍ଷ ବ୍ୟାଟର୍ମାନେ ତାଙ୍କୁ ଆକ୍ରମଣ କରି ବିପୁଳ ରନ୍ ସଂଗ୍ରହ କରୁଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ୪ ଓଭରରେ ୬୪ ରନ୍ ବ୍ୟୟ କରି ଗୋଟିଏ ଓ୍ବିକେଟ୍ ନେଇଥିଲେ। ଏଣୁ ଫାଇନାଲ୍ରେ ତାଙ୍କୁ ବିଶ୍ରାମ ଦେଇ କୁଳଦୀପ ଯାଦବଙ୍କୁ ଖେଳାଇବା ସମ୍ପର୍କରେ ଦଳ ବିଚାର କରିପାରେ।
ଆହୁରି ପଢ଼ନ୍ତୁ... ପୁରୁଷ ବିଶ୍ବକପ୍ ହକି ପାଇଁ ଯୋଗ୍ୟତା ଅର୍ଜନ କଲେ ପାକିସ୍ତାନ, ଇଂଲଣ୍ଡ
ପିଚ୍
ଫାଇନାଲ୍ ମ୍ୟାଚ୍ ପାଇଁ ଲାଲ୍ ଓ କୃଷ୍ଣ ମୃତ୍ତିକା ବିଶିଷ୍ଟ ଏକ ମିଶ୍ରିତ ପିଚ୍କୁ ବଛାଯାଇଛି। ଏହି ପିଚ୍ରେ ପୂର୍ବରୁ କେବଳ ଗୋଟିଏ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ କାନାଡା ମଧ୍ୟରେ ଖେଳାଯାଇଥିଲା। ସେହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୨୧୩ ରନ୍ ସଂଗ୍ରହ କରିଥିଲା। ଏହି ପିଚ୍ରୁ ଭଲ ବାଉନ୍ସ ଓ ଅଳ୍ପ ଟର୍ଣ୍ଣ ମିଳିବ। ଏଣୁ ଏହି ପିଚ୍ରୁ ଏକ ଉଚ୍ଚ ସ୍କୋର୍ ବିଶିଷ୍ଟ ମ୍ୟାଚ୍ ଦେଖିବାକୁ ମିଳିପାରେ।
ପାଣିପାଗ
ରବିବାର ଅହମଦାବାଦରେ ବର୍ଷାର ଆଶଙ୍କା ନାହିଁ। ତେବେ ପାଣିପାଗ ଉଷ୍ମ ରହିବାର ସମ୍ଭାବନା ରହିଛି। ଫାଇନାଲ୍ ମ୍ୟାଚ୍ ପାଇଁ ଗୋଟିଏ ସଂରକ୍ଷିତ ଦିବସ ରଖାଯାଇଛି। ବର୍ଷା କିମ୍ବା ଅନ୍ୟ କୌଣସି ପ୍ରାକୃତିକ କାରଣରୁ ରବିବାର ମ୍ୟାଚ୍ ସମ୍ଭବ ନ ହେଲେ ସୋମବାର ବି ମ୍ୟାଚ୍ ଖେଳାଯାଇପାରିବ।
Follow Us