କନକ ବ୍ୟୁରୋ : ଦୀର୍ଘ ଦିନର ଦାବି ପୂରଣ ନହେବାରୁ ଆଜି ଆନ୍ଦୋଳନ ପଥକୁ ଓହ୍ଲାଇଛି 'ଉମରକୋଟ ସଂଗ୍ରାମ ମଞ୍ଚ' । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକକୁ ୧୨ ଘଣ୍ଟିଆ ସମ୍ପୂର୍ଣ୍ଣ 'ଅଖ ଚକ ବନ୍ଦ' ସହ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବରେ ରାସ୍ତାରେ ଗାଡ଼ିଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ବଜାର ଘାଟ ମଧ୍ୟ ବନ୍ଦ ରହିଥିଲା ।

Advertisment

ଆନ୍ଦୋଳନକୁ ଓହ୍ଲାଇଲା ନବରଙ୍ଗପୁର ଜିଲ୍ଲା ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଉମରକୋଟକୁ ସବ୍-ଡିଭିଜନ ମାନ୍ୟତା, ଭୂ-ବନ୍ଦୋବସ୍ତ, ମେଡିକାଲ କଲେଜ ପ୍ରତିଷ୍ଠା, ଧାନମଣ୍ଡି ସମସ୍ୟା, ମକା ପ୍ରକ୍ରିୟାକରଣ ୟୁନିଟ୍ ବସାଇବା ଆଦି ଦାବି ନେଇ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ଉମରକୋଟ ସଂଗ୍ରାମ ମଞ୍ଚ । ଉମରକୋଟ, ରାଇଘର, ଝରିଗାଁ ଓ ଚାନ୍ଦାହାଣ୍ଡି ବ୍ଲକରେ ବନ୍ଦ ପାଳନ ନେଇ ଆହ୍ୱାନ ଦିଆଯାଇଥିଲା । ଯାହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଥିଲା ।

ଅଧିକ ପଢ଼ନ୍ତୁ : ପଦାରେ ପଡ଼ିଲା ବଡ଼ ମେଡିକାଲର ବିକଳ ବ୍ୟବସ୍ଥା ; ଆଇସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଅବହେଳା

୧୯୫୬ ମସିହା ପରଠାରୁ ଉମରକୋଟରେ ଭୂ-ବନ୍ଦୋବସ୍ତ ହୋଇନାହିଁ । ଲୋକ ନିଜ ଜମିର ପଟ୍ଟା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହା ସହ ଉମରକୋଟକୁ ସବ୍-ଡିଭିଜନ ମାନ୍ୟତା ମିଳିଥିଲେ ମଧ୍ୟ ଆବଶ୍ୟକ ସରକାରୀ ଅଧିକାରୀ ନିଯୁକ୍ତି ହୋଇନାହାଁନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଜି ରାଜପଥକୁ ଓହ୍ଲାଇଛନ୍ତି ସଂଗ୍ରାମ ମଞ୍ଚ । ଖାଲି ସେତିକି ନୁହେଁ, ମକା ଚାଷୀଙ୍କ ଦୁର୍ଦ୍ଦଶାକୁ ନେଇ ମଧ୍ୟ ସ୍ୱର ଉତ୍ତୋଳନ କରିଛି ସଂଗ୍ରାମ ମଞ୍ଚ । ‘ମକା ପ୍ରକ୍ରିୟାକରଣ ୟୁନିଟ୍’ ସ୍ଥାପନ ସହ ଧାନ ମଣ୍ଡି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜୋର ଧରିଛି ଦାବି ।

ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି କଂଗ୍ରେସ ସମେତ ଅନ୍ୟାନ୍ୟ ସଂଗଠନ । ଯଦି ଦାବି ପୂରଣ ନହୁଏ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବା ନେଇ ମଞ୍ଚ ପକ୍ଷରୁ ଚେତାବନୀ ମିଳିଛି ।