କନକ ବ୍ୟୁରୋ: କିମ୍ୱଦନ୍ତୀ ରୋଜର ଫେଡେରର୍‌ ଚଳିତ ବର୍ଷ ଅଗଷ୍ଟ ୨୯ରେ ନ୍ୟୁପର୍ଟରେ ଅନ୍ତର୍ଜାତୀୟ ଟେନିସ୍‌ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବେ । ତାଙ୍କର ଏହି ସାମିଲ ହେବାର ଦୃଶ୍ୟକୁ ଦେଖିବା ଲାଗି ପ୍ରଶଂସକଙ୍କୁ ସୁଯୋଗ ମିଳିବ। ଏଥିପାଇଁ ହୋଇଥିବା ଟିକେଟ୍‌ ମାତ୍ର ୨ ମିନିଟ୍‌ରେ ଶେଷ ହୋଇଯାଇଛି । ଯାହା ଫେଡେରେର୍‌ଙ୍କ ଲୋକପ୍ରିୟତାକୁ ବୁଝାଉଛି । ଐତିହାସିକ ନ୍ୟୁପର୍ଟ କାସିନୋ ଭିତରେ ମୋଟ୍‌ ୯୦୦ ସିଟ୍‌ ରହିଛି । ଅଧିକ ପ୍ରଶଂସକଙ୍କ ଲାଗି ନିକଟରେ ଥିବା ୩୬୦୦ ସିଟ୍‌ ବିଶିଷ୍ଟ ଷ୍ଟାଡିୟମ୍‌ରେ ସୁବିଧା କରାଯାଇଛି । ମୋଟ ୪୫୦୦ ଟିକେଟ୍‌ ହୋଇଥିଲେ ମଧ୍ୟ ସବୁତକ କିଛି ମିନିଟ୍‌ରେ ସରିଯାଇଛି । 

Advertisment

ଆହୁରି ପଢ଼ନ୍ତୁ... ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ବରୁଣଙ୍କ ବୟାନ: କହିଲେ...

ଏଥିଲାଗି ତିନିଦିନିଆ ଉତ୍ସବ ପାଳନର ଯୋଜନା ହୋଇଥିଲା ବେଳେ ଏଥିରେ ଫେଡେରର୍‌ଙ୍କ ସହ ଟେନିସ୍‌ ବ୍ରଡ୍‌କାଷ୍ଟର ମାରି କାରିଲୋ ସାମିଲ ଅଛନ୍ତି। ନ୍ୟୁପର୍ଟ କାସିନୋର ନବୀକରଣ ଲାଗି ୩ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ୨୮ କୋଟି ଟଙ୍କା) ଖର୍ଚ୍ଚ କରାଯାଇଛି। ଆସନ୍ତା ବର୍ଷ ସେରେନା ୱିଲିୟମ୍ସଙ୍କୁ ଏଥିରେ ସାମିଲ କରିବାର ଯୋଜନା ମଧ୍ୟ ରହିଛି। ୨୦୨୨ରେ ଅବସର ନେଇଥିବା ଫେଡେରର ୨୦ ଗ୍ରାଣ୍ଡ ସ୍ଲାମ୍‌ ଏକକ ଟ୍ରଫି (୮ ୱିମ୍ବଲଡନ୍‌, ୬ ଅଷ୍ଟ୍ରେଲିଆନ୍‌ ଓପନ୍‌, ୫ ୟୁଏସ୍‌ ଓପନ୍‌ ଓ ‌୧ ଫ୍ରେଞ୍ଚ୍‌ ଓପନ୍‌) ଜିତିଛନ୍ତି। ସେ ମଧ୍ୟ ୩୧୦ ସପ୍ତାହ ବିଶ୍ବର ୧ ନମ୍ବର ସ୍ଥାନ ଅଳଙ୍କୃତ କରିବା ସହ ଅଲିମ୍ପିକ୍ସରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ (ଯୁଗଳ) ଓ ରୌପ୍ୟ (ଏକକ) ପଦକ ଜିତିଛନ୍ତି।