କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗୁରୁବାର ନାମିବ୍ୟାକୁ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଥିବା ଆୟୋଜକ ଭାରତ ରବିବାର ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଚୀରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । କଲମ୍ବୋରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ପୂର୍ବରୁ ବରୁଣ ଚକ୍ରବର୍ତ୍ତୀ କହିଛନ୍ତି ‘‘ଭାରତର ସ୍ପିନ୍ ପ୍ରାଧାନ୍ୟ ଏବଂ ପାକିସ୍ତାନର ସ୍ପିନ୍-କେନ୍ଦ୍ରିତ ରଣନୀତି ବଡ଼ ମୁକାବିଲା ହେବ । ଏଥି ପାଇଁ ପ୍ରସ୍ତୁତ ଅଛୁ । ଆମେ ମଧ୍ୟ ତାଙ୍କଠୁ ଆଗରେ’’। ଆମେରିକା ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ସ୍ପିନ୍ ଉପରେ ବହୁତ ନିର୍ଭର କରିଥିଲା । ସୈମ ଆୟୁବ, ଅବ୍ରାର ଅହମଦ, ମହମ୍ମଦ ନୱାଜ, ସଦାବ ଖାନ ଓ ସେମାନଙ୍କର ‘ଏକ୍ସ-ଫ୍ୟାକ୍ଟର’ ଉସ୍‌ମାନ୍‌ ତାରିକ୍‌ଙ୍କୁ ବୋଲିଂ ଦାୟିତ୍ବ ଦେଇଥିଲା । ଏହି ରଣନୀତି ବି କାମ କଲା, ସ୍ପିନର୍‌ମାନେ ୭ ୱିକେଟ ବାଣ୍ଟି ନେଇଥିଲେ।

Advertisment

ଆହୁରି ପଢ଼ନ୍ତୁ... ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାଇଭାଇ

ସେ ପୁଣି କହିଛନ୍ତି ଯେ ‘‘ବିଶ୍ୱକପ୍‌ରେ ପ୍ରତ୍ୟେକ ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନ ମ୍ୟାଚ୍‌ ପାଇଁ ଆମେ ଉତ୍ସାହିତ ଏବଂ ଏହା ଏକ ମଜାଦାର ଚ୍ୟାଲେଞ୍ଜ ହେବ । ସ୍ପିନ୍ ବିପକ୍ଷରେ ଆମେ ଦୃଢ଼ ଏବଂ ଆମ ପାଖରେ ଭଲ ସ୍ପିନ୍ ଆକ୍ରମଣ ଅଛି । ମୁଁ ନିଶ୍ଚିତ ଯେ ଆମେ ତାଙ୍କଠୁ ଆଗରେ ରହିବୁ । ଯଦିଓ ସେମାନେ ସମାନ ପରିସ୍ଥିତିରେ ଲଗାତାର ଖେଳୁଛନ୍ତି । ଏହାର ଲଭା ଉଠାଇ ପାରିବେ । କିନ୍ତୁ ମୋର ବିଶ୍ବାସ ଗୋଟିଏ ଦଳ ଭାବେ ଆମେ ସେମାନଙ୍କଠାରୁ ଭଲ ଖେଳିଛୁ ଏବଂ ଭଲ ଭାବରେ ପ୍ରସ୍ତୁତ ଅଛୁ ।’’

ନିକଟରେ ବି ପାକିସ୍ତାନ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି । ପାକିସ୍ତାନ ବିପକ୍ଷ ଗତ ‌୭ ମୁକାବିଲାରେ ଭାରତ ବିଜୟୀ ହୋଇଛି । ପାକିସ୍ତାନ ଶେଷ ଥର ଲାଗି ୨୦୨୨ ସେପ୍ଟେମ୍ବର ୪ରେ ଦୁବାଇ ଖେଳାଯାଇଥିବା ଭାରତ ବିପକ୍ଷ ଏସିଆ କପ୍‌ ମ୍ୟାଚ୍‌ ଜିତିଥିଲା । ସେବେଠାରୁ, ଉଭୟ ଦଳ ମଧ୍ୟରେ ୯ଟି ମ୍ୟାଚ୍‌ ଅନୁ‌ଷ୍ଠିତ ହୋଇଥିଲା ବେଳେ ଭାରତ ୮ଟି ଜିତିଛି, ଅନ୍ୟଟି ବର୍ଷା ଯୋଗୁଁ ଫଳାଫଳ ବିନା ଶେଷ ହୋଇଥିଲା ।