କନକ ବ୍ୟୁରୋ: ମୌସୁମୀ ବିଦାୟ ନେଇଛି। କିନ୍ତୁ ଅକ୍ଟୋବର ମାସର ପୁଣିଥରେ ଘାରିଛି ବାତ୍ୟା ଭୟ । ଆମେରିକାର ଜିଏଫଏସ ମଡେଲର ଆକଳନ ଅନୁଯାୟୀ, ଅକ୍ଟୋବର ଶେଷ ସୁଦ୍ଧା ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦିଓ ଏନେଇ ଚିତ୍ର ଏବେ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ଦିନ କେଇଟା ମଧ୍ୟରେ ବାତ୍ୟା ନେଇ ସ୍ପଷ୍ଟ ସୂଚନା ମିଳିବ । ତେବେ ଏହି ଖବର ପୁଣିଥରେ ୧୯୯୯ ଅକ୍ଟୋବର ମାସର ମହାପ୍ରଳୟକୁ ମନେପକାଇ ଦେଇଛି। ୧୯୯୯ ମସିହା ଅକ୍ଟୋବର ମାସ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା । ଗୋଟିଏ ଅକ୍ଟୋବର ୧୭ରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁ ଥିଲା । ଅନ୍ୟଟି ଅକ୍ଟୋବର ୨୯ରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ପରେ ରଚିଥିଲା ପ୍ରଳୟ ।
ଦୀପାବଳିକୁ ନେଇ ଦ୍ଵନ୍ଦ୍ଵ ଭିତରେ ଅତିରିକ୍ତ ଛୁଟି ଘୋଷଣା ; ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨୧ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ-ବଙ୍ଗୋପସାଗର ଏବଂ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ତାହା କ୍ରମଶଃ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଆଡକୁ ମୁହାଁଇବ । ଯାହା ପ୍ରଭାବରେ ୨୧ ତାରିଖରୁ ୨୩ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୩୦ରୁ ୫୫ କିଲୋମିଟର ବେଗରେ ପବନ ବହିବ ।
କୌଣସି ଜିଏଫଏକ୍ସ ମଡେଲକୁ ଅନୁସରଣ ନକରି ଆଇଏମ୍ଡି ପୂର୍ବାନୁମାନକୁ ଅନୁକରଣ କରିବାକୁ କହିଛନ୍ତି ଆଇଏମ୍ଡି ଡିଜି । ତେବେ ଓଡ଼ିଶା ପାଇଁ ବାତ୍ୟା ଲାଗି କୌଣସି ୱାର୍ଣ୍ଣିଙ୍ଗ ଦିଆଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି । ୨୧ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ପୂର୍ବାନୁମାନ କରାଯିବ। ଅକ୍ଟୋବର ୨୯ ତାରିଖ ପାଇଁ ସେଭଳି କୌଣସି ପୂର୍ବାନୁମାନ ଏଯାଏଁ ହୋଇନି ।