Death Photograph: (kanak news)
କନକ ବ୍ୟୁରୋ : ସାମାନ୍ୟ ପାରିବାରିକ କଳହର କରୁଣ ପରିଣତି । ରକ୍ତମୁଖା ହେଲା ଜନ୍ମକଲା ବାପା । ନିଜ ହାତରେ ପୁଅକୁ ଛୁରି ଭୁସି ହତ୍ୟା କଲା । ଏଭଳି ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଞ୍ଚଳରେ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି । ପାରିବାରିକ ଅଶାନ୍ତିରୁ ଚରମ ସୀମାରେ ପହଞ୍ଚିଲା ବିବାଦ । ରାଗରେ ହିତାହିତ ଜ୍ଞାନ ଭୁଲିଗଲା ବାପା । ଶେଷରେ ନିଜ ପୁଅର ଛାତିରେ ଭୁସିଦେଲା ଛୁରୀ । କଙ୍କଡାହାଡ଼ ଥାନା ଅନ୍ତର୍ଗତ କମ୍ପୁଲେଇ ପୁରୁଣାସାହିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ଜଣକ ହେଲେ ସେହି ଗାଁର କ୍ଷୀରୋଦ ସାହୁ ।
ସୂଚନା ଅନୁଯାୟୀ, କୌଣସି ପାରିବାରିକ କଳହକୁ କେନ୍ଦ୍ରକରି ବାପା ବିଭୂତି ସାହୁ ଓ ପୁଅ କ୍ଷୀରୋଦଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାପା ବିଭୂତି, ପୁଅକୁ ଛୁରୀରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ କ୍ଷୀରୋଦଙ୍କୁ ତୁରନ୍ତ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ, ଏହି କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ବାପା ବିଭୂତି ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ କଙ୍କଡାହାଡ଼ ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଅଧିକ ପଢ଼ନ୍ତୁ---ବାହାଘର ଶୋଭାଯାତ୍ରାକୁ ନେଇ ତୁମୁଳକାଣ୍ଡ : ୪ ଗୁରୁତର ମେଡିକାଲରେ ଭର୍ତ୍ତି
Follow Us