କନକ ବ୍ୟୁରୋ: ଆଗକୁ ଗାଡ଼ି ମାଲିକଙ୍କ ଯନ୍ତ୍ରଣା ବଢ଼ିବାକୁ ଯାଉଛି। ଯଦି ଗାଡ଼ି ଉପରେ କିଛି ଜରିମାନା ଅଛି, ବୀମା ନାହିଁ, ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ; ତେବେ ଫାସ୍ଟ୍ୟାଗ୍ ଆକ୍ଟିଭେଟ୍ ହେବନି। ଅର୍ଥାତ୍ ଟୋଲ୍ଗେଟ୍ରେ ଗଲାବେଳେ ଆପଣ ମୋଟା ଅଙ୍କର ଜରିମାନା ଗଣିବେ । ଆଉ ଫାସ୍ଟ୍ୟାଗ୍ ଆକ୍ଟିଭେଟ୍ କରିବାକୁ ଗଲେ ସବୁ ଜରିମାନା ସହିତ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଟଙ୍କା ଦେବାକୁ ହେବ । ଫେବ୍ରୁଆରି ୧ ତାରିଖରୁ ଏହି ନିୟମ ଲାଗୁ କରିବାକୁ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତି ଓଡ଼ିଶାରେ ବି କାର୍ଯ୍ୟକାରୀ ହେବ। ଆଉ ଏ ନେଇ ପରିବହନ ବିଭାଗ ଏସ୍ଟିଏକୁ ଜଣାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ, ଜାନୁଆରି ୧ରୁ ନିୟମ ହୋଇଛି ଯେ ସବୁ ସାଧାରଣ ପରିବହନ ଗାଡ଼ି ଅର୍ଥାତ୍ ଟାକ୍ସି, ଚାରିଚକିଆ ବ୍ୟାବସାୟିକ ଗାଡ଼ି, ଭ୍ୟାନ୍, ବସ୍, ଟ୍ରକ୍ ଏବଂ ଜାତୀୟ ପରମିଟ୍ ପାଇଥିବା ଗାଡ଼ିରେ ‘ଗାଡ଼ି ଲୋକେସନ୍ ଟ୍ରାକିଂ ଯନ୍ତ୍ର’ (ଭିଏଲ୍ଟିଡି) ଲାଗିବ। ପୂର୍ବରୁ ଏହି ନିୟମ ରହିଛି। ହେଲେ ଏବେ ଏହାକୁ କଡ଼ାକଡ଼ି ଲାଗୁ ହେବ। ଏବେ ଯେଉଁମାନେ ସାଧାରଣ ପରିବହନ ଗାଡ଼ି ବା ବ୍ୟବସାୟିକ ଉଦ୍ଦେଶ୍ୟରେ ଗାଡ଼ି କିଣି ପଞ୍ଜୀକରଣ କରିବେ, ସେମାନେ ଲୋକେସନ୍ ଟ୍ରାକିଂ ଯନ୍ତ୍ର ନ ଲଗାଇଲେ ପଞ୍ଜୀକରଣ ହେବନି। ଏହାସହ ଯେତେବେଳେ କୌଣସି ଗାଡ଼ିର ପଞ୍ଜୀକରଣ ନବୀକରଣ ହେବ ବା ମାଲିକାନା ପରିବର୍ତ୍ତନ ହେବ ସେତେବେଳେ ଯଦି ଗାଡ଼ିରେ ଲୋକେସନ୍ ଟ୍ରାକିଂ ଯନ୍ତ୍ର ଲାଗି ନ ଥିବ ତେବେ ଏହା କରିବାକୁ ଅନୁମତି ମିଳିବନି।
ସେହିପରି ଏପ୍ରିଲ ୧ରୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଏବଂ ଫିଟ୍ନେସ୍ ଯାଞ୍ଚ ବେଳେ ବାହନ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ବାରା ସବୁ ଚାଲାଣ ଦେଇଥିଲେ, ବୀମା ଥିଲେ ହିଁ ଫିଟନେସ୍ ଓ ପଲ୍ୟୁସନ୍ ସାର୍ଟିଫିକେଟ ମିଳିବ। ଗାଡ଼ିର ପରମିଟ୍ ଦେବାବେଳେ ବି ଏହାକୁ ଲାଗୁ କରିବାକୁ ନିୟମ କରାଯାଇଛି। ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ମନଇଚ୍ଛା ଇ-ଚାଲାଣ କଟାଯାଇଥିବାରୁ ସେଗୁଡ଼ିକୁ ଦେବାରେ ଲୋକେ ସମସ୍ୟା ଭୋଗୁଛନ୍ତି। ଲୋକଙ୍କର ଭୁଲ୍ ନଥାଇ ବି ଇ-ଚାଲାଣ କଟାଯାଇଥିବା ଅଭିଯୋଗ ଆସୁଛି। ଏହାକୁ କିପରି ସିଙ୍ଗିଲ୍ ୱିଣ୍ଡୋ ମାଧ୍ୟମରେ ସମାଧାନ କରାଯିବ ସେନେଇ ପରିବହନ ବିଭାଗ ସଚେତନ କରୁନାହିଁ। ଓଲଟା କିପରି ଅଧିକ ଜରିମାନା ଆଦାୟ କରିହେବ ସେନେଇ ନିୟମ ଲଦି ଦିଆଯାଉଛି।
ଆହୁରି ପଢ଼ନ୍ତୁ : ବର୍ଷ ଆରମ୍ଭରୁ ଲଘୁଚାପ: ଆଗାମୀ ୨୪ ଘଣ୍ଟାରେ ଆହୁରି ହେବ ସ୍ପଷ୍ଟ
ତେବେ ସମସ୍ତ ରାସ୍ତାରେ କେଉଁ ଗାଡ଼ିର କେତେ ସର୍ବାଧିକ ଗତି ରହିବ ସେନେଇ ଜିଲ୍ଲା ପ୍ରଶାସନ, ପରିବହନ ବିଭାଗ, ଏନ୍ଏଚ୍ଏଆଇ ପକ୍ଷରୁ ପର୍ଯ୍ୟାପ୍ତ ସାଇନ୍ବୋର୍ଡ ଲଗାଇବାର ନିୟମ ରହିଛି। କିନ୍ତୁ ଏହା ଲଗାଯାଇ ନାହିଁ। ଫଳରେ ଗାଡ଼ିଚାଳକ କେଉଁ ରାସ୍ତାରେ କେତେ ଗତିରେ ଗାଡ଼ି ଚଳାଇବେ ତାହା ଜାଣିପାରୁ ନାହାନ୍ତି। କିନ୍ତୁ ଗାଡ଼ିଚାଳକ ନିର୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଥିବା କହି ୨ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଉଛି। ତେଣୁ ଚର୍ଚ୍ଚା ହେଉଛି, ଏହି ନୂଆ ନିୟମ ସହିତ ଫେବ୍ରୁଆରି ମାସରୁ ଗାଡ଼ି ଚାଳକଙ୍କ ଟେନସନ୍ ବଢ଼ିବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/06/vechile-odisha-2026-01-06-10-33-53.jpg)