କନକବ୍ୟୁରୋ : ଭୁଶୁଡୁଛି ପ୍ରାଥମିକ ଶିକ୍ଷା । ନାଁ ଅଛନ୍ତି ଶିକ୍ଷକ, ନାଁ ଅଛି ଭିତ୍ତିଭୂମି  ।  ଛାତ୍ରଛାତ୍ରୀଙ୍କୁ ମିଳୁନି ଆବଶ୍ୟକୀୟ ସ୍କୁଲ ସାମଗ୍ରୀ ।  ଏହାରି ଭିତରେ ଆସନ୍ତା ବର୍ଷରୁ ଜାତୀୟ ଶିକ୍ଷା ନୀତି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  ।  ତେବେ ଏହା କେମିତି ହେବ ସଫଳ ସେ ନେଇ ଏବେଠୁ ଉଠିଲାଣି ପ୍ରଶ୍ନ। 
ଗୋଟେ ପଟେ ଏନଇପି ଲାଗୁ ନେଇ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି ।  

Advertisment

ଅଧିକ ପଢନ୍ତୁ....ପୂର୍ବୋଦୟର ବିକାଶ, ଦେଶର ବିକାଶ : ୨୦୪୭ ବିକଶିତ ଭାରତର ମୂଳଦୁଆ ହେବ ପୂର୍ବୋଦୟ

ଅନ୍ୟପଟେ ରାଜ୍ୟରେ ସ୍କୁଲ ଶିକ୍ଷାର ନୈରାଶ୍ୟଜନକ ଚିତ୍ର। ସ୍କୁଲଗୁଡିକରେ ନାହିଁ ଆବଶ୍ୟକୀୟ ଭିତ୍ତିଭୂମି ।  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ୬୭% ସରକାରୀ ସ୍କୁଲରେ ନାହିଁ ସ୍କାର୍ଟ ଶ୍ରେଣୀଗୃହ । ୮୭% ସ୍କୁଲରେ ନାହିଁ ଡିଜିଟାଲ ଲାଇବ୍ରେରୀ । ସିଏଜି ରିପୋର୍ଟ ଅନୁସାରେ ୪୩% ସ୍କୁଲରେ ତଳେ ବସି ପିଲା ପାଠ ପଢୁଛନ୍ତି । ୪୪% ପ୍ରତିଶତ ସ୍କୁଲରେ ନାହିଁ ଖେଳ ପଡିଆ ।  ସ୍ଥାୟୀ ଶିକ୍ଷକ ନାହାନ୍ତି, ପାଞ୍ଚଟି ଶ୍ରେଣୀକୁ ଜଣେ, ୨ଜଣ ଶିକ୍ଷକ ।  

ସରକାରୀ ସ୍କୁଲରେ ପାଠପଢା ପରିବେଶ ନାହିଁ। ଯେଉଁଥିପାଇଁ ସରକାରୀ ସ୍କୁଲକୁ ପିଲାଙ୍କୁ ପଠାଇବାକୁ ଚାହୁଁନାହାନ୍ତି ଅଭିଭାବକ ।  ଅଧିକ ଖର୍ଚ୍ଚ ପଡିଲେ ବି ଘରୋଇ ସ୍କୁଲକୁ ଭରସା କରୁଛନ୍ତି। ଏଭଳି ସ୍ଥିତିରେ ଜାତୀୟ ଶିକ୍ଷା ନୀତି କିଭଳି ଲାଗୁ ହେବ ?  ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।   ଜାତୀୟ ଶିକ୍ଷା ନୀତି ସାଧାରଣତଃ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରୁଛି । ଶ୍ରେଣୀ ଗୃହରେ ଏଆଇ ଶିକ୍ଷା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । 

ହେଲେ ରାଜ୍ୟର ଅନେକ ସ୍କୁଲକୁ ବିଦ୍ୟୁତ ସଂଯୋଗ ନାହିଁ ।  ୨୩% ସ୍କୁଲରେ ଗୋଟିଏ ଶ୍ରେଣୀଗୃହରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଗୋଟେ ପଟେ ଭିତ୍ତିଭୂମି ନାହିଁ । ଅନ୍ୟପଟେ ନିଜ ହକ ପାଇଁ ଶିକ୍ଷକ ସଂଘର୍ଷ କରୁଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ଶିକ୍ଷା । ସରକାର ଏନଇପି ଲାଗୁ ପାଇଁ ଯାହା ଭିତ୍ତିଭୂମି ଦରକାର ତାକୁ ଆଗ ପୂରଣ କରିବାକୁ ପଡିବ ବୋଲି ମତ ରଖିଛନ୍ତି ଶିକ୍ଷାବିତ୍  ।