କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଆଜି ୧୨ ଘଣ୍ଟିଆ ସମ୍ବଲପୁରବନ୍ଦ ପାଳିଛି ଜିଲ୍ଲା କୃଷକ ସୁରକ୍ଷା ସଂଗଠନ । ଦୋକାନ ବଜାର ବନ୍ଦ ରହିବା ସହ ସହରରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା । ମୋଟାମୋଟି କହିବାକୁ ଗଲେ ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ ସଫଳ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ :ଡାକ୍ତରଙ୍କର ହେଉଛି ଅନ୍ୟତ୍ର ବଦଳି, ମିଳୁନି ନୂଆ ନିଯୁକ୍ତି, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଦିନ ହେଲା ଓପିଡ଼ି ବନ୍ଦ

 ଖାଁ ଖାଁ ରାସ୍ତାଘାଟ । ପ୍ରତିଟି ଦୋକାନରେ ତାଲା। ବ୍ୟସ୍ତ ବହୁଳ ସମ୍ବଲପୁର ଆଜି ଯେମିତି ଅଟକି ଯାଇଥିଲା, ନୀରବି ଯାଇଥିଲା । ଏପଟେ ସହରରେ ଶୁଭୁଛି ଚାଷୀଙ୍କ ନାରା, ଅନ୍ନଦାତାଙ୍କ ଗର୍ଜନ। ପୂର୍ବ ଘୋଷଣା ମୁତାବକ ଆଜି ସମ୍ବଲପୁର ବନ୍ଦ ପାଳିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ । ଜରୁରୀ ସେବା ଓ ସାଧାରଣ ଲୋକଙ୍କ ଗମନାଗମନାକୁ ବାଦ୍ ଦେଲେ ପୂରା ସହର ଠପ୍ ହୋଇ ପଡ଼ିଥିଲା । ୩ ଘଣ୍ଟା ଧରି ଚାଷୀମାନେ ଅବରୋଧ କରି ରଖିଥିଲେ ୫୩ ନମ୍ବର ଜାତୀୟ ରାଜପଥ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ  ଏମିତିକି ବ୍ୟାଙ୍କ ଓ ସ୍କୁଲ ମଧ୍ୟ ବନ୍ଦ ରହିଥିଲା ।

ଅଧିକ ପଢ଼ନ୍ତୁ :ପ୍ରହସନ ପାଲଟିଛି ବନ ସୁରକ୍ଷା; ସମ୍ବଲପୁର ବନଖଣ୍ଡରେ ନାହାନ୍ତି ବନ କର୍ମଚାରୀ

 ବିଭିନ୍ନ ଟ୍ରେଡ୍ ୟୁନିୟନ ଆଜି ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଥିଲେ । ଏହାସହ ବିଜୁ ଜନତା ଦଳ ମଧ୍ୟ ଚାଷୀଙ୍କ ପାଇଁ ବାଇକ୍‌ ରାଲି କରି ବନ୍ଦ ପାଳନରେ ସାମିଲ ହୋଇଥିଲା । ଜିଲ୍ଲାରେ ଟୋକନ ସମସ୍ୟା ଏବଂ ମଣ୍ଡି ଅଚଳାବସ୍ଥା ସମସମୟାର ସମାଧାନ ସହ ଜିଲ୍ଲା କ୍ରୟ ସମିତିକୁ କ୍ଷମତା ଦେବାକୁ ଦାବି ହୋଇଛି । ଜିଲ୍ଲାକୁ ପ୍ରାୟ ୭୩ ହଜାର ଟୋକନ ଆସିଥିବା ବେଳେ ଏବେ ମଧ୍ୟ ପ୍ରାୟ ୯ ହଜାର ଟୋକନ ଆସିବା ବାକିଅଛି । ଶେଷ ଟୋକନ ଆସିବା ଯାଏଁ ସଂଘର୍ଷ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ।  ଦେଖିବାର କଥା କେବେ ପୂରଣ ହେଉଛି ଚାଷୀଙ୍କ ଦାବି? କେବେ ଟୋକନ୍‌ ସମସ୍ୟା ଦୂର କରୁଛନ୍ତି ରାଜ୍ୟ ସରକାର?