ବରଗଡ଼ ପଦ୍ମପୁରରେ ଟୋକନ୍‌ ଓ ଟାର୍ଗେଟ୍‌ ଫାଶରେ ଚାଷୀ: ସକ୍ରିୟ ହେଉଛନ୍ତି ଦଲାଲ୍‌, ଚାଷୀ ଠୁ କମ୍‌ ଦରରେ ଧାନ କିଣି ହେଉଛନ୍ତି ମାଲେମାଲ

Advertisment

ଚାଷୀ ଠୁ କମ୍‌ ଦରରେ ଧାନ କିଣି ହେଉଛନ୍ତି ମାଲେମାଲ । ଅଭିଯୋଗ କଲେ ଶୁଣୁନାହାନ୍ତି ବାବୁ! ।

ଚାଷୀ ଠୁ କମ୍‌ ଦରରେ ଧାନ କିଣି ହେଉଛନ୍ତି ମାଲେମାଲ । ଅଭିଯୋଗ କଲେ ଶୁଣୁନାହାନ୍ତି ବାବୁ! ।

farmer problems

farmer problems Photograph: (KanakNews)

କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏକ ମରୁଡ଼ି ପ୍ରପିଡିତ ଅଞ୍ଚଳ । ଚାଷ ଠାରୁ ଆରମ୍ଭ କରି ଧାନ ବିକ୍ରି ପାଇଁ ପଞ୍ଜିକରଣ ପର୍ଯ୍ୟନ୍ତ ଚାଷୀ ସମସ୍ୟା ଭୋଗୁଛି । ଖରିଫ ଋତୁର ଧାନ କ୍ରୟ ପାଇଁ ସରକାରଙ୍କ ତରଫରୁ ପଦ୍ମପୁର ଆରଏମସି ଅଧିନରେ ୯୩ ଗୋଟି ଧାନ କ୍ରୟ କେନ୍ଦ୍ର ଆରମ୍ଭ ହୋଇଛି । ରବି ଚାଷ ଆରମ୍ଭ ହେଲାଣି ହେଲେ ଟୋକନ ଓ ଟାର୍ଗେଟ ଫାସରେ ଛନ୍ଦି ହୋଇ ଧାନ ବିକ୍ରି କରିପାରୁ ନାହାଁନ୍ତି । ବଳକା ଧାନକୁ ଶାଗମାଛ ଦରରେ ବେପାରୀଙ୍କୁ ବିକି କ୍ଷତି ସହୁଛି ।

 ଚାଷ ଠାରୁ ଅମଳ ତା’ ପରେ ବିକ୍ରି, ସମସ୍ୟା ଚାଷୀର ପିଛା ଛାଡ଼ୁନି। ପଦ୍ମପୁର ଆରଏମ୍‌ସି ଅଧୀନରେ ୧୫ ଲକ୍ଷରୁ ଅଧିକ ଧାନ ବସ୍ତା ବିଭିନ୍ନ ମଣ୍ଡିରେ ପଡ଼ିରହିଛି। ସୋହେଲା ବ୍ଲକ ଘେଁସ ଧାନ ମଣ୍ଡିରେ ହଜାର ହଜାର ପ୍ୟାକେଟ୍‌ ଧାନ ନଷ୍ଟ ହେବାକୁ ବସିଲାଣି। କାରଣ ଆବଶ୍ୟକ ଟାର୍ଗେଟ୍‌ ନାହିଁ । ବିପିନ ନାଗ, ନିଜ ୮୬ ଡେସିମିଲ୍‌ ଜମି ସହ ଭାଗଚାଷୀ ଭାବେ ୧ ଏକର ୯୬ ଡେସିମିଲ୍‌ ଜମିରେ ଚାଷ କରିଥିଲେ। କାଗଜପତ୍ର ଦେଇ କୃଷି ସମବାୟ ସମିତିରେ ପଞ୍ଜିକୃତ ହୋଇଥିଲେ । ହେଲେ କେବଳ ୧୫ କ୍ୱିଣ୍ଟାଲ ୯୬ କେଜି ଧାନ ବିକ୍ରି ପାଇଁ ଟୋକନ ମିଳିଲା। ନିରୂପାୟ ହୋଇ ବଳକା ଧାନକୁ ସାହୁକାରକୁ ଅଳ୍ପ ଦରରେ ବିକ୍ରି କରିଥିବା ବିପିନ ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ:  କପା ଚାଷ କରି ହରଡ଼ଘଣାରେ ମୁନିଗୁଡ଼ାର ଚାଷୀ, ଘରଠାରୁ ମଣ୍ଡିର ଦୂରତା ୯୦ କିଲୋମିଟର, ଗାଁକୁ ଆସି କମ୍ ଦାମରେ ନେଇଯାଉଛନ୍ତି ଦଲାଲ

ଘେଁସ ସମବାୟ ସମିତିର ଆଉ ଜଣେ ଚାଷୀ ସୁରେଶ ସାହୁ। ୧୦ ଏକର ଜମିରେ ଚାଷ କରି ଘେଁସ କୃଷି ସମବାୟ ସମିତିରେ ପଞ୍ଜିକରଣ କରିଥିଲେ । କେବଳ ୫୩ କ୍ୱିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ ଆସିଲା, ବଳକା ଧାନ ଶାଗମାଛ ଦରରେ ବେପାରୀଙ୍କ ହାତକୁ ଟେକି ଦେଇଛନ୍ତି । ସମସ୍ୟା ବିଷୟରେ କୃଷି ସମବାୟ ସମିତି ଅଧିକାରୀଙ୍କୁ ଜଣାଇଲେ ବି କିଛି ସୁଫଳ ମିଳୁନି ।

ଅନ୍ନଦାତାଙ୍କୁ କାହିଁକି ଅବହେଳା? ଚାଷୀଙ୍କ ଦୁଃଖର ଅନ୍ତ କେବେ? ଖରା, ବର୍ଷା, ଶୀତ ସହି ଚାଷୀ ପରିଶ୍ରମ କରି ଧାନ ଅମଳ କରୁଛି । କିନ୍ତୁ ସରକାରୀ ଅବହେଳା ପାଇଁ ତାହା ବିକ୍ରି ନହୋଇ ମଣ୍ଡିରେ ପଡି ନଷ୍ଟ ହେଉଛି । ପ୍ରଶାସନିକ ଅଧିକାରୀ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ପାଇଁ ଦାବି ହୋଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe