କନକ ବ୍ୟୁରୋ :କପା ଚାଷ କରି ହରଡଘଣାରେ ଆଦିବାସୀ ଚାଷୀ। ଅମଳ କପାକୁ ଚାଷୀ ମଣ୍ଡିରେ ବିକିବା ନେଇ ଆଶା ରଖିଥିବା ବେଳେ କପା ଚାଷୀଙ୍କୁ ଏବେ ଡରାଉଛି ନବେ କିମି ଦୂରରେ ଥିବା ମଣ୍ଡି। ଫଳରେ ଧାର କରଜ କରି ଲକ୍ଷ ଲକ୍ଷ ଟଙ୍କା ବିନିଯୋଗରେ ଅମଳ କରିଥିବା କପାକୁ କମ ଦାମରେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଯାହାକୁ ନେଇ ଅଂଚଳର ଆଦିବାସୀ କପା ଚାଷୀ ବେଶ ଚିନ୍ତିତ । ଓଡିଶାର ଧଳା ସୁନା ଅଂଚଳ ଭାବେ ବେଶ ଜଣାଶୁଣା ରାୟଗଡ଼ା। ମୁନିଗୁଡା କୃଷି ଜିଲ୍ଲାରେ ଚଳିତ ବର୍ଷ ସର୍ବ ମୋଟ ୧୦ ହଜାର ୩୩୫ ହେକ୍ଟର ଜମିରେ କପା ଚାଷ ହୋଇଛି । ଅମଳ କପାକୁ କିଣିବା ପାଇଁ ଭାରତୀୟ କପା ନିଗମ ପକ୍ଷରୁ ଗୁଣପୁରରେ ମଣ୍ଡି ବ୍ୟବସ୍ଥା କରାଯାଇଛି । ମୁନିଗୁଡ଼ାରୁ ଗୁଣପୁର ମଣ୍ଡିର ଦୂରତା ୯୦ କିଲୋମିଟର । ଏତେ ଦୂରକୁ ଯାଇ କପା ବିକିବା ଚାଷୀଙ୍କ କ୍ଷେତ୍ରରେ ସମ୍ଭବ ହେଉନାହିଁ। ଆଉ ଏହାର ସୁଯୋଗ ଉଠାଉଛନ୍ତି ଦଲାଲ। ଗାଁ ଗାଁରେ ସକ୍ରିୟ ହୋଇଛନ୍ତି।
ଅଧିକ ପଢ଼ନ୍ତୁ : ରାୟଗଡାରେ କପା ଚାଷ କରି ହରଡଘଣାରେ ଚାଷୀ । ଗୁଣୁପୁର ମଣ୍ଡିରେ କପା କିଣା ଯାଉଥିବା ବେଳେ ରାୟଗଡାରେ ହେଉନି ବିକ୍ରି
କପାର ସରକାରୀ ମୂଲ୍ୟ କ୍ଵିଣ୍ଟାଲ ପିଛା ୮୧୧୦ ଟଙ୍କା। ମଣ୍ଡିରେ ବିକ୍ରି କରିନପାରି ବାଧ୍ୟ ହୋଇ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ରାଜ୍ୟର ବ୍ୟବସାୟୀଙ୍କୁ ସରକାରୀ ଧାର୍ୟ୍ୟ ମୂଲ୍ୟ ଠାରୁ ଖୁବ୍ କମ ଦରରେ ବିକ୍ରି ଦେଉଛନ୍ତି ଆଦିବାସୀ। ମୁନିଗୁଡା କୃଷି ଜିଲ୍ଲାର ମୁନିଗୁଡା, ବିଷମକଟକ ଓ ଚନ୍ଦ୍ରପୁର ବ୍ଲକର କପାଚାଷୀ କପା ବିକ୍ରି ପାଇଁ ଆପ ଜରିଆରେ ରେଜିଷ୍ଟ୍ରେସନ କରାଇବା ବ୍ୟବସ୍ଥା ହୋଇଛି। ସମସ୍ତଙ୍କୁ ସଚେତନତା କରାଯାଉଛି, ଧୀରେଧୀରେ ସବୁ ବ୍ୟବସ୍ଥିତ ହୋଇଯିବ ବୋଲି କହିଛନ୍ତି କୃଷି ଜିଲ୍ଲା ଅଧିକାରୀ। କେତେବେଳେ ଆଦିନିଆ ବର୍ଷା ତ ଆଉ କେତେବେଳେ ରୋଗ ପୋକ ରାୟଗଡ଼ା ଜିଲ୍ଲାର କପାଚାଷୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ କରି ଦେଉଥିଲା। ଏବେ ମୁଖ୍ୟ ସମସ୍ୟା ମଣ୍ଡି ଦୂରତା। ଚାଷୀଙ୍କ ସୁବିଧା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/cotton-2026-01-22-23-19-10.jpg)