କନକ ବ୍ୟୁରୋ : ପାଗା ଫାଣ୍ଡି ଭିତରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । ଘରୋଇ ହସ୍ପିଟାଲରେ ଭର୍ତ୍ତି, ଅବସ୍ଥା ସଙ୍କଟାପନ୍ନ । ଜଗତପୁର ଥାନା ଅନ୍ତର୍ଗତ ପାଗା ଫାଣ୍ଡିରେ ଘଟିଛି ଏକ ଅଭାବନୀୟ ଘଟଣା । ନ୍ୟାୟ ପାଇଁ ବାରମ୍ବାର ଫାଣ୍ଡି ପୁଲିସର ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ଜଣେ ଅଭିଯୋଗକାରୀ ଚାଷୀ ଫାଣ୍ଡି ଭିତରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅନ୍ୟପଟେ ତାଙ୍କୁ ନିବୃତ୍ତ କରିବା ବଦଳରେ ଏହି ଦୃଶ୍ୟକୁ ଜଣେ ପୁଲିସ ମୋବାଇଲ ଫୋନରେ ରେକର୍ଡ କରିବା ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସୂଚନା ମୁତାବକ ପାଗା ଫାଣ୍ଡି ଅନ୍ତର୍ଗତ ରାମେଶ୍ବର ଚାହାପଡ଼ା ଗ୍ରାମର ଜଣେ ବ୍ୟକ୍ତି ଜଗତପୁର ସ୍ଥିତ ଏକ କମ୍ପାନିରେ ତାଙ୍କ ଗାଡ଼ି ଭଡା ଲଗାଇଥିଲେ ।
କମ୍ପାନିର ସାମଗ୍ରୀକୁ ଗାଡିରେ ଜଗତପୁରରୁ ପାରାଦୀପ ପଠାଯାଉଥିଲା । ଗତ ଜାନୁଆରି ମାସ ୭ ତାରିଖରେ ତାଙ୍କ ଗାଡ଼ି ଜଗତପୁରରୁ ମାଲ ବୋଝେଇ କରି ଗାଡ଼ିକୁ ତାଙ୍କ ଘରକୁ ନେଇଥିଲେ । ସେଠାରୁ ସେ ପାରାଦୀପ ଯାଇଥାନ୍ତା । ସେହିଦିନ ରାତିରେ ଗାଡିରୁ ଏକ ପ୍ୟାକେଟ ଜିନିଷ ଚୋରି ହୋଇଥିଲା । ସେହିଦିନ ଚକ୍ରଧରଙ୍କ ଦୁଇ ପୁଅ ଓ ଗ୍ରାମର ଅନ୍ୟ ଚାରି ଜଣ ଯୁବକ ଭୋଜି କରୁଥିଲେ । ସେହି ଭୋଜି ସମୟରେ ଚୋରି ହୋଇଥିବା ସନ୍ଦେହ କରି ଚକ୍ରଧରଙ୍କ ପୁଅଙ୍କ ନାମରେ ଅଭିଯୋଗ ଆଣି ଗାଡ଼ି ମାଲିକ ପାଗା ଫାଣ୍ଡିରେ ଏତଲା ଦେଇଥିଲେ ।
ଅଧିକ ପଢନ୍ତୁ : ଆଇପିଏସ୍ ଅଫିସରଙ୍କ ଆତ୍ମହତ୍ୟାର ତଦନ୍ତ କରୁଥିବା ଅଧିକାରୀଙ୍କ ଆତ୍ମହତ୍ୟା, ସେହି ସମାନ ଫର୍ମୁଲାରେ ସର୍ଭିସ ରିଭଲଭରରୁ ନିଜକୁ କଲେ ଗୁଳି
ଫାଣ୍ଡି ପୁଲିସ ଚକ୍ରଧରଙ୍କ ପୁଅଙ୍କୁ ଡାକି ପଚରାଉଚରା କରି ତଦନ୍ତ ଜାରି ରଖିଥିଲା । ପରେ ଚକ୍ରଧରଙ୍କ ଖଳାରୁ ୧୨ ବସ୍ତା ଧାନ ଚୋରି ହୋଇଥିଲା । ଚକ୍ରଧର ଧାନ ଚୋରିର ଅଭିଯୋଗ ମଧ୍ୟ ଫାଣ୍ଡିରେ ଦେଇଥିଲେ । କିନ୍ତୁ ପୁଲିସ ଏସମ୍ପର୍କରେ କୌଣସି ପଦକ୍ଷେପ ନେଇ ନଥିବାବେଳେ ଚକ୍ରଧରଙ୍କ ପୁଅମାନଙ୍କ ନାମରେ ଥିବା ଅଭିଯୋଗରେ ଥରକୁ ଥର ସେମାନଙ୍କୁ ଡାକି ପଚରାଉଚରା କରିବା ସହ ମାନସିକ ନିର୍ୟାତନା ଦେଉଥିଲା । ପୁଲିସ ଠାରୁ ନ୍ୟାୟ ନପାଇ ଫାଣ୍ଡି ଭିତରେ ଚକ୍ରଧର ଚାଷରେ ବ୍ୟବହାର ପାଇଁ ଆଣିଥିବା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏବେ ଚକ୍ରଧର ଜଗତପୁର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)